ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଉପରେ ଲାଗିଥିବା ନିଲମ୍ବନକୁ ତୁରନ୍ତ ପ୍ରତ୍ୟାହାର କରିନେଇଛି ବିଶ୍ବ କୁସ୍ତି ସଂଘ ବା ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)। ଡବ୍ଲ୍ୟୁଏଫଆଇ ଠିକ୍ ସମୟରେ ନିର୍ବାଚନ କରିବାରେ ବିଫଳ ହେବାରୁ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆକୁ ଗତ ବର୍ଷ ଅଗଷ୍ଟରେ ନିଲମ୍ବିତ କରିଥିଲା। ମହାସଂଘରେ ଏଭଳି ସ୍ଥିତି ଅତି କମରେ ୬ ମାସ ଧରି ଲାଗି ରହିଥିବାରୁ ନିଲମ୍ବନ ପାଇଁ ଯଥେଷ୍ଟ ଆଧାର ରହିଛି ବୋଲି ଶୃଙ୍ଖଳା ଚାମ୍ବର ନିଷ୍ପତ୍ତି ନେଇଥିଲା।

Advertisment

ଗତ ଫେବ୍ରୁଆରି ୯ ତାରିଖରେ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ବୈଠକ ବସି ନିଲମ୍ବନର ସମୀକ୍ଷା କରିବା ସହ ସମସ୍ତ କାରକ ଓ ସୂଚନାକୁ ବିଚାରକୁ ନେଇ ନିଲମ୍ବନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଡବ୍ଲ୍ୟୁଏଫଆଇକୁ ଏହାର ଆଥଲେଟ୍ କମିଶନ ନିର୍ବାଚନ ପୁନର୍ବାର ଆୟୋଜନ କରିବାକୁ ପଡ଼ିବ। ଏହି କମିଶନ ପାଇଁ ସକ୍ରିୟ ଆଥଲେଟ ମାନେହିଁ ପ୍ରାର୍ଥୀ ହୋଇପାରିବେ। ସେହିପରି ୪ ବର୍ଷ କିମ୍ବା ତା'ଠାରୁ ଅଧିକ ବର୍ଷ ପୂର୍ବରୁ ଅବସର ନେଇଥିବା ଆଥଲେଟ୍ ମାନେ ଏଥିରେ ନିର୍ବାଚନ ଲଢ଼ିପାରିବେ ନାହିଁ। ଏହି ନିର୍ବାଚନ ଟ୍ରାଏଲ କିମ୍ବା କୌଣସି ସିନିୟର ଜାତୀୟ ଚାମ୍ପିୟନଶିପ୍ ସମୟରେ ଅନୁଷ୍ଠିତ ହେବ। କିନ୍ତୁ ଏହି ନିର୍ବାଚନ ୧ ଜୁଲାଇ ୨୦୨୪ ପୂର୍ବରୁ ଅନୁଷ୍ଠିତ ହେବ।