ନୂଆଦିଲ୍ଲୀ: ‘କି ଆକର୍ଷଣୀୟ ଯାତ୍ରା! ମୋ କାନ୍ଧରେ ଲାଗିଥିବା ତ୍ରିରଙ୍ଗା ମୋତେ କହୁଛି ଯେ ମୁଁ ତୁମ ସମସ୍ତଙ୍କ ସହିତ ଅଛି।’- ରାକେଶ ଶର୍ମାଙ୍କ ଐତିହାସିକ ଅଭିଯାନ ପରେ ଦ୍ୱିତୀୟ ଭାରତୀୟ ଭାବେ କକ୍ଷପଥରେ ପହଞ୍ଚିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କର ଏହା ଥିଲା ପ୍ରଥମ ଶବ୍ଦ। ସ୍ପେସ୍ଏକ୍ସ କ୍ରୁ ଡ୍ରାଗନ୍ ମହାକାଶଯାନ ଉତ୍କ୍ଷେପଣର କିଛି ମିନିଟ୍ ପରେ ଶୁକ୍ଳା କହିଛନ୍ତି ଯେ ଭାରତ ୪୧ ବର୍ଷ ପରେ ମହାକାଶକୁ ଫେରିଛି ଏବଂ ସେ ଏହାକୁ ଭାରତର ପ୍ରଥମ ମାନବ ମହାକାଶ ଯାତ୍ରା ଅଭିଯାନ ଗଗନଯାନର ଆରମ୍ଭ ବୋଲି ଘୋଷଣା କରିଛନ୍ତି।
ମହାକାଶକୁ ଯିବା ବେଳେ ଭାରତକୁ ଶୁଭାଂଶୁ ଶୁକ୍ଲାଙ୍କ ବାର୍ତ୍ତା
୨୦୦ କିଲୋମିଟର ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରୁଥିବା ବେଳେ ଲକ୍ଷ୍ନୌର ଭାରତୀୟ ବାୟୁସେନାର ପାଇଲଟ୍ ଶୁକ୍ଳା କହିଛନ୍ତି ଯେ ଆମେ ପୃଥିବୀ ଚାରିପଟେ ସେକେଣ୍ଡ ପ୍ରତି ୭.୫ କିଲୋମିଟର ବେଗରେ ବୁଲୁଛୁ। ରାକେଶ ଶର୍ମା ୧୯୮୪ ମସିହାରେ ତତ୍କାଳୀନ ସୋଭିଏତ ୟୁନିୟନର ସାଲୟୁଟ୍-୭ ମହାକାଶ ଷ୍ଟେସନର ଅଂଶ ଭାବରେ ଆଠ ଦିନ କକ୍ଷପଥରେ ବିତାଇଥିଲେ। ମିସନ ପାଇଲଟ ଶୁକ୍ଳା ସାଥୀ ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇ କହିଛନ୍ତି, ‘ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)କୁ ଯାତ୍ରା ସମୟରେ ମୁଁ କୋଟି କୋଟି ହୃଦୟର ଆଶା ଓ ସ୍ୱପ୍ନ ବହନ କରୁଛି। ମୋର ଏହି ଯାତ୍ରା ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଆରମ୍ଭ। ମୁଁ ଚାହୁଛି ଆପଣମାନେ ସମସ୍ତେ ଏହି ଯାତ୍ରାରେ ସାମିଲ ହୁଅନ୍ତୁ।’ ଏହି ଅଭିଯାନରେ ଶୁକ୍ଳାଙ୍କ ଅଭିଜ୍ଞତା ଭାରତର ଗଗନଯାନ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ହେବ, ଯାହା କି ୨୦୨୭ ପାଇଁ ଯୋଜନା କରାଯାଇଛି। ଗଗନଯାନ ପାଇଁ ମନୋନୀତ ହୋଇଥିବା ୪ ଜଣ ମହାକାଶଚାରୀଙ୍କ ମଧ୍ୟରୁ ଶୁକ୍ଳା ଆଇଏସ୍ଏସ୍ରେ ୧୪ ଦିନ ବିତାଇବେ।