ନିର୍ଭୟା ମାମଲା: ପୁଣି ନୂଆ ଚାଲ ଖେଳିଲା ଦୋଷୀ ପଓ୍ଵନ; କହିଲା, ‘ଓକିଲ ନାହାନ୍ତି; ଆଇନ ସହାୟତା ଦିଆଯାଉ’: କାନ୍ଦି କାନ୍ଦି ନିର୍ଭୟା ମା’ ବିଚାରପତିଙ୍କୁ ପଚାରିଲେ, ‘ମୋର କ’ଣ କିଛି ଅଧିକାର ନାହିଁ?’…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଘଟଣା ପୁଣି ଆଜି ଏକ ନୂଆମୋଡ଼ ନେଇଛି। ଗତକାଲି (ମଙ୍ଗଳବାର) ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମ୍‌ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି ପାଇଁ ‘ଟ୍ରାଏଲ କୋର୍ଟ’ରେ ଆବେଦନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେବାପରେ ପୁଣି ଫାଶୀକୁ ଟାଳିବା ପାଇଁ ଦୋଷୀମାନେ ଆଜି ପୁଣିଥରେ ଖେଳିବାକୁ ଆରମ୍ଭ କରିଛନ୍ତି, ଆଇନ୍‌ର ନୂଆ ଏକ ଖେଳ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ଆଜି ଦିଲ୍ଲୀର ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତରେ ଏକ ମାମଲା ଆଗତ କରି କହିଛି ଯେ ମୋ ମାମଲା ଲଢ଼ିବା ପାଇଁ ମୁଁ ଓକିଲଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଛି। କିନ୍ତୁ, ମୋତେ ଆଇନର ସହାୟତା ମିଳୁନାହିଁ। ତେଣୁ, ଆଇନ ସହାୟତା ଯୋଗାଇବା ସହ ନୂତନ ଓକିଲ ନିଯୁକ୍ତି ପର୍ଯ୍ୟନ୍ତ ମୋତେ ସମୟ ଦିଆଯାଉ।

Jagaran

ତେବେ, ଦୋଷୀ ପଓ୍ଵନ ଗୁପ୍ତା ପକ୍ଷରୁ ଆଗତ ଏ ମାମଲାର ତୀବ୍ର ବିରୋଧ କରିଥିଲେ ପୀଡ଼ତା ନିର୍ଭୟାଙ୍କ ମା’ ଆଶାଦେବୀ ଓ ତାଙ୍କ ଓକିଲ। ନିର୍ଭୟାଙ୍କ ମା’ ଆଶାଦେବୀ ଭରପୂର ଅଦାଲତ ଭିତରେ ଭେଁ ଭେଁ ହୋଇ କାନ୍ଦିବା ସହ ବିଚାରପତିଙ୍କୁ କହିଥିଲେ ଯେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ଅପରାଧୀଙ୍କ ନ୍ୟାୟିକ ଅଧିକାରର ସବୁ ଦିଗକୁ ତନ୍ନ ତନ୍ନ କରି ବିଚାର କରାଯାଉଛି। ତେବେ, ପୀଡ଼ିତାର ମା’ ଭାବେ କ’ଣ ମୋର କୌଣସି ଅଧିକାର ନାହିଁ। କାଲି ପର୍ଯ୍ୟନ୍ତ ଦୋଷୀଙ୍କ ପାଖରେ ଓକିଲ ଥିଲେ କିନ୍ତୁ ଆଜି ମୁଁ ଯେତେବେଳେ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ତାରିଖ ମାଗୁଛି ସେତେବେଳେ ତାଙ୍କ ପାଖରେ ଓକିଲ ନାହାନ୍ତି। ଏପରିସ୍ଥିତିରେ ମୁଁ ଯୋଡ଼ହସ୍ତ ହୋଇ ବିଚାରପତିଙ୍କ ନିକଟରୁ ଜାଣିବାକୁ ଚାହୁଁଛି, ପୀଡ଼ିତାର ମା’ ଭାବେ ମୋର କିଛି ଅଧିକାର ଅଛି ନା ନାହିଁ? ଆଉ ମୋତେ ନ୍ୟାୟ ମିଳିବ ନା ନାହିଁ?

ଆଶାଦେବୀଙ୍କ ଯୁକ୍ତି ଶୁଣିବା ପରେ ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରାଣା ଦୋଷୀ ପଓ୍ଵନ ଗୁପ୍ତା ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ପ୍ରସଙ୍ଗକ୍ରମେ, ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୫ ତାରିଖରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତାଙ୍କର ରାୟ ଘୋଷଣା କରି କହିଥିଲେ ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ। ଏଥିସହ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପୂର୍ବରୁ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ କେନ୍ଦ୍ର ସରକାର ଆଉଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର ଭାରନୁମତୀ, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି ପାଇଁ ‘ଟ୍ରାଏଲ କୋର୍ଟ’ରେ ଆବେଦନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଥିଲେ।

NDTV

ସୁପ୍ରିମ୍‌ କୋର୍ଟରେ ଏହି ମାମଲାର ଶୁଣାଣି କାଳରେ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ ଦୋଷୀମାନେ ଆଇନର ଦୁରୁପଯୋଗ କରୁଛନ୍ତି ଏବଂ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍‌ ଚଳାଉଛନ୍ତି। ଦୋଷୀ ପଓ୍ଵନ ଗୁପ୍ତା ଏ ପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ୍‌ କିମ୍ବା ରାଜକ୍ଷମା ଆବେଦନ ଦାଖଲ ନ କରିବା ମଧ୍ୟ ଏକ ସୁଚିନ୍ତିତ ଚାଲ୍‌ ବୋଲି ସେ କହିଥିଲେ। ତେଣୁ, ଏପରିସ୍ଥିତିରେ ଯେଉଁମାନଙ୍କର କୌଣସି ଆବେଦନ କୌଣସି ଅଦାଲତ କିମ୍ବା ରାଷ୍ଟ୍ରପତିଙ୍କ ନିକଟରେ ନାହିଁ ସେମାନଙ୍କୁ ତୁରନ୍ତ ଫାଶୀରେ ଝୁଲାଇବାକୁ ନିର୍ଦ୍ଦେଶ ଦେବାକୁ ସଲିସିଟର ଜେନେରାଲ ଦୃଢ଼ ଯୁକ୍ତି ରଖିଥିଲେ। ତେବେ, ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାର କଣ୍ଟ ତାହା ମଙ୍ଗଳବାର ଶେଷ ହୋଇ ଯାଉଛି। ତେଣୁ, ମଙ୍ଗଳବାର ସୁଦ୍ଧା ଯେଉଁ ଦୋଷୀମାନେ ସେମାନଙ୍କ ନିକଟରେ ଉପଲବ୍ଧ ଥିବା ନ୍ୟାୟିକ ବିକଳ୍ପର ଉପଯୋଗ କରି ନଥିବେ, ସେମାନଙ୍କୁ ଆଉ ନୂତନ ସୁଯୋଗ ପ୍ରଦାନ କରାଯାଇ ପାରିବ ନାହିଁ। ଏବଂ ଆଇନ ତା’ ବାଟରେ କାମ କରିବ। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଫେବ୍ରୁଆରି ୧୩ ତାରିଖକୁ ଧାର୍ଯ୍ୟ କରିଥିଲେ ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର