ବିକଳ୍ପ କାର୍ଯ୍ୟପନ୍ଥା ନେଇ ଆଜି ଜବାବ ରଖିବେ ସଚିନ୍ ପାଇଲଟ୍‌

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ୧୦୨ ବିଧାୟକଙ୍କ ସମର୍ଥନ ଥିବା ସ୍ବାକ୍ଷର, ପାଇଲଟ୍‌ଙ୍କ ଶିବିରରେ ୧୯

ଜୟପୁର: ରାଜସ୍ଥାନରେ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ କୁହୁଳୁଥିବା ମତଭେଦର ନିଆଁ ବିସ୍ଫୋରକ ରୂପ ନେଲା ପରେ ଶାସକ କଂଗ୍ରେସ ସରକାରରେ ଭୂକମ୍ପ ଆସିଛି। ଗେହଲଟ୍‌ ସରକାରଙ୍କୁ ଭାଙ୍ଗିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ତଦନ୍ତ ପାଇଁ ପାଇଲଟ୍‌ଙ୍କୁ ନୋଟିସ୍ ଜାରି ହେବା ଏବଂ ଆଜି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ପରେ ଦଳୀୟ ବିଦ୍ରୋହ ଆହୁରି ଭୀଷଣ ହେବ ବୋଲି କୁହାଯାଉଛି । ପାଇଲଟ୍‌ ମଧ୍ୟ ନିଜ ସମର୍ଥକ ବିଧାୟକମାନଙ୍କ ସହ ରାଜ୍ୟ ବାହାରେ ଡେରା ପକାଇବା ସହ ସରକାରର ପତନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଜି ମଧ୍ୟ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ୧୦୨ ଜଣ ବିଧାୟକ ଉପସ୍ଥିତ ଥିବା ଦାବି କରାଯାଇଛି। ଅନ୍ୟପକ୍ଷରେ ପାଇଲଟ୍‌ଙ୍କ ସହିତ ମଧ୍ୟ ୧୯ ଜଣ ବିଧାୟକ ରହିଥିବା ଖବର ମିଳିଛି।

ପାଇଲଟ୍‌ ଅତି କମ୍‌ରେ ୩୦ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଯଦି ତାଙ୍କ ଯୋଜନା ସଫଳ ନହୁଏ ଏବଂ ଦଳ ହ୍ବିପ୍‌ ଜାରି କରେ ତା’ହେଲେ ବିଧାୟକଙ୍କ ସଦସ୍ୟତା ଚାଲଯିବା ଆଶଙ୍କା ରହିଛି। ଏଭଳି ସ୍ଥିତରେ ପାଇଲଟ୍ ନୂଆ ଦଳ ଗଢ଼ି କଂଗ୍ରେସ ଉପରେ ଚାପ ସୃଷ୍ଟି କରିବା ସହ ତାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ମଧ୍ୟ ଯୋଜନା କରିପାରନ୍ତି। ରାଜ୍ୟର ପ୍ରାୟ ୩୦ ବିଧାନସଭା ଆସନରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଛି। ଗୁର୍ଜର ଏବଂ ମୁସ୍‌ଲିମ ଭୋଟର୍‌ଙ୍କ ଉପରେ ପାଇଲଟ୍‌ଙ୍କ ପ୍ରଭାବ ଅନ୍ୟ ନେତାମାନଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି।

ଆଜି ରାତିରେ ମୁଖ୍ୟମନ୍ତ୍ରୀ ଗେହଲଟ କ୍ୟାବିନେଟ୍‌ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିଥିବା ବେଳେ ବିଜେପି ମଧ୍ୟ ଏକ ଜରୁରୀ ବୈଠକରେ ସାଂପ୍ରତିକ ରାଜନୈତିକ ସ୍ଥିତିର ସମୀକ୍ଷା କରିଛି। ଆସନ୍ତାକାଲି ପାଇଲଟ୍‌ ତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନର ଜବାବ ରଖିବେ ଏବଂ ଏଥିରେ ସେ ତାଙ୍କ ଭବିଷ୍ୟତ ଯୋଜନା ସଂପର୍କରେ ମଧ୍ୟ ଘୋଷଣା କରିପାରନ୍ତି। ପାଇଲଟ୍‌ଙ୍କ ପରବର୍ତ୍ତୀ ରଣନୀତି ହିଁ ଗେହଲଟ ସରକାରର ଭାଗ୍ୟ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି।

‘ସାହସ ଅଛି ତ’ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅ’
ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ଯୋଗୁଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସର ଅନୁ‌ରୋଧ ସତ୍ତ୍ବେ ଆଜି ସଚିନ ପାଇଲଟ୍‌ କଂଗ୍ରେସର ଦ୍ବିତୀୟ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ। ତେଣୁ ତାଙ୍କୁ ପିସିସି ସଭାପତି ପଦ ଏବଂ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି। ରାଜସ୍ଥାନ ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି ଯେ ଗେହଲଟ ସରକାର କ୍ଷମତାରେ ରହିବାର ଅଧିକାର ହରାଇ ସାରିଛନ୍ତି। ଯଦି ତାଙ୍କର ସାହସ ଅଛି, ତା’ହେଲେ ସେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅନ୍ତୁ। ପାଇଲଟ୍‌ ଗୋଷ୍ଠୀ ମଧ୍ୟ ସରକାର ସଂଖ୍ୟା ଗରିଷ୍ଠାତାର ପ୍ରମାଣ ଦେଇ ଗୃହରେ ନିଜ ସ୍ଥିତି ସାବ୍ୟସ୍ତ କରନ୍ତୁ ବୋଲି କଟାରିଆ ଦାବି କରିଛନ୍ତି। ରାଜସ୍ଥାନ ସରକାର ଏକ ଦୁର୍ନୀତିଗ୍ରସ୍ତ ସରକାର ଏବଂ ଏହ‌ା କରୋନା ସଙ୍କଟର ମୁକାବିଲା ଦିଗରେ ଦୟନୀୟ ଭାବେ ବିଫଳ ହୋଇଛି। ରାଜ୍ୟ କଂଗ୍ରେସରେ ଭୟଙ୍କର କନ୍ଦଳ ଯୋଗୁଁ ଏହି ସରକାର ଏବେ ବୁଡ଼ିବାକୁ ଯାଉଛି ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି।

ସମ୍ବନ୍ଧିତ ଖବର