ଚୀନ୍ କ’ଣ ହାସଲ କରିବାକୁ ଚାହୁଛି, ଜିନ୍ ପିଙ୍ଗ୍ ସରକାରଙ୍କ ଉତ୍ତରକୁ ଅପେକ୍ଷା

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍‌ ସେନା ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଭାରତୀୟ ସେନା ଉପରେ ବିନା କାରଣରେ ଆକ୍ରମଣ କରିବା ଘଟଣା ପଛରେ ଚୀନ୍‌ର ଅସଲ ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି ଏବେ ପ୍ରଶ୍ନ ଉଠିଛି। ଭାରତୀୟ ସୀମା ଭିତରକୁ ଚୀନ୍ ସେନା କେତେ ମାଡ଼ିଆସିଛି, ତାହା ପଛ କଥା; ତେବେ ଗଲଵାନ ଉପତ୍ୟକାରେ ବଡ଼ ଧରଣର ଉତ୍ତେଜନା ସୃଷ୍ଟି କରିବା ପାଇଁ ଚୀନ୍‌ର ଏଭଳି ପଦକ୍ଷେପ ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହା କ’ଣ ଦାର୍ବକ୍-ସାଇଅକ୍-ଦୌଲତବେଗ ରାସ୍ତାରେ ଭାରତ ଭିତ୍ତିଭୂମି ବିକାଶ କରିବା କିମ୍ବା ଧାରା ୩୭୦ ଉଚ୍ଛେଦର ପ୍ରତିବାଦରେ ଚୀନ୍ ଏପରି ପ୍ରତିକ୍ରିୟା ଦେଖାଇଛି କି ଏକତରଫା ଭାବେ ଜୋର ଜବରଦସ୍ତ ନିଜର ସୀମା ନିର୍ଦ୍ଧାରଣ ପାଇଁ ଚୀନ୍ ଏପରି କରିଛି ସେ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଜିନ୍ ପିଙ୍ଗ୍ ସରକାର ମୁହଁ ଖୋଲି ନିଜର ଉଦ୍ଦେଶ୍ୟ ସମ୍ପର୍କରେ ନ କହିବା ଯାଏ କିଛି ଆକଳନ କରିବା ମୁସ୍କିଲ। ତେବେ ଏ କଥା ନିଶ୍ଚିତ ଯେ ଚୀନ୍ ସେନା ସେଠାରେ ଖେଳିବାକୁ ଆସିଛି ଏବଂ ଭାରତ ପ୍ରତିପକ୍ଷଙ୍କୁ ଖେଳିବା ପାଇଁ ବାଧ୍ୟ କରିଛି ବୋଲି ମାସାଚ୍ୟୁଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ସହଯୋଗୀ ପ୍ରଫେସର ବିପିନ୍ ନାରଙ୍ଗ କହିଛନ୍ତି।

ଏ ସମ୍ପର୍କରେ ପ୍ରାକ୍ତନ ରାଷ୍ଟ୍ରଦୂତ ରାଜୀବ ଭାଟିଆଙ୍କ କହିବା କଥା, ଚୀନ୍‌ର ଏପରି ଅତିକ୍ରମଣ ପଛରେ ତିନିଟି ଉଦ୍ଦେଶ୍ୟ ନିହିତ ରହିଛି। ପ୍ରଥମଟି ହେଲା, ସୀମାରେ ଭାରତର କୌଣସି ଭିତ୍ତିଭୂମି ବିକାଶ କରାଇନଦେବା, ଦ୍ବିତୀୟରେ ବିଶ୍ବସ୍ତରୀୟ ଭୂମିକା ନିର୍ବାହ କରିବା ପାଇଁ ପାଇଁ ଦିଲ୍ଲୀର ମହତ୍ବାକାଂକ୍ଷାକୁ ହ୍ରାସ କରି ଦକ୍ଷିଣ ଏସିଆ ମଧ୍ୟରେ ସୀମିତ ରଖିବା ଏବଂ ତୃତୀୟରେ ଆମେରିକା-ଜାପାନ-ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ସୃଷ୍ଟ ସାମରିକ ସହଯୋଗ(କ୍ବାଡ୍ ପାର୍ଟନରସିପ୍)କୁ ଦୁର୍ବଳ କରିବା। ଚୀନ୍‌ର ଉପରୋକ୍ତ ଦ୍ବିତୀୟ ଉଦ୍ଦେଶ୍ୟ ସାଧନ ପାଇଁ ପାକିସ୍ତାନ ଓ ନେପାଳ ସମର୍ଥନ କରିବାକୁ ଆଗ୍ରହୀ। ସେହିପରି ତକ୍ଷଶିଳା ପ୍ରତିଷ୍ଠାନର ନିର୍ଦ୍ଦେଶକ ନିତିନ୍ ପାଇଙ୍କ ମତରେ, ଏହାଦ୍ବାରା ଚୀନ୍ ଭାରତ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଞ୍ଚଘୁଞ୍ଚା ପାଇଁ ବାଧ୍ୟ କରିବାକୁ ଚାହୁଚି। କୋଭିଡ୍-୧୯ର ଉତ୍ପତ୍ତି ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଦନ୍ତରେ ଭାରତ ନିରବ ରହିବାକୁ ବାଧ୍ୟ ହୋଇପାରେ। ସେହିପରି ଏଫ୍‌ଡିଏ କଟକଣା ବିରୋଧରେ ମୁହଁ ଖୋଲିବା କି ୫ଜି ପ୍ରସଙ୍ଗରେ ଭାରତକୁ ରାଜି କରାଇବା ସହିତ ଜାମ୍ମୁ କାଶ୍ମୀର ପ୍ରସଙ୍କରେ ମୋଦୀ ସରକାରଙ୍କ ପଦକ୍ଷେପକୁ ପରିବର୍ତ୍ତନ ଆଦି ଗୋପନ ଇଚ୍ଛା ଜିନ୍ ପିଙ୍ଗ୍‌ଙ୍କ ମନରେ ବସାବାନ୍ଧିଥାଇପାରେ।

ଏ ପ୍ରସଙ୍ଗରେ ଆମେରିକାର ଆଲବାନି ସ୍ଥିତ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ରାଜନୀତିବିଜ୍ଞାନ ସହକାରୀ ପ୍ରଫେସର ଖ୍ରିଷ୍ଟୋଫର କ୍ଲାରିଙ୍କ କହିବା ଅନୁଯାୟୀ, ଚୀନ୍ ନିଜର ସୀମା ସମ୍ପର୍କରେ ସବୁବେଳେ ଅସ୍ପଷ୍ଟ ଦାବିମାନ କରି ଆସିଛି। ତେବେ ଏ ବାବଦରେ ଯେତେବେଳେ ପ୍ରତିପକ୍ଷ ନେଇଥିବା ପଦକ୍ଷେପ ସବୁ ଫିକା ପଡ଼ିଆସେ, ସେତେବେଳେ ଚୀନ୍ ନିଜର ସାମରିକ ଶକ୍ତି ବଳରେ ଲକ୍ଷ୍ୟ ହାସଲ କରିବା ନଜିର ରହିଛି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଭାରତ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ସହ ସେଠାରେ ରାସ୍ତାଘାଟ ନିର୍ମାଣ ଆରମ୍ଭ କରିବା ଘଟଣାକୁ ଚୀନ୍ ଆଦୌ ବରଦାସ୍ତ କରିପାରୁନାହିଁ। ସେହିପରି ଅବ୍‌ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍‌ର ସାମରିକ ଅଧ୍ୟୟନ ମୁଖ୍ୟ ହର୍ଷ ଭି ପନ୍ଥଙ୍କ କହିବା କଥା ହେଲା, କୋଭିଡ୍ ପ୍ରସଙ୍ଗରେ ଚୀନ୍‌ ନିଜେ ବିଶ୍ବସ୍ତରରେ ନିନ୍ଦିତ ହୋଇଥିବା ବେଳେ ଭାରତର ଆନ୍ତର୍ଜାତିକ ପ୍ରଭାବକୁ ହ୍ରାସ କରାଇବାକୁ ଷଡ଼ଯନ୍ତ୍ର କରୁଛି। ଶେଷରେ ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲଦାଖ ଉପରେ ଚୀନ୍‌ ନଜର ପକାଇଛି।

ସମ୍ବନ୍ଧିତ ଖବର