ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରଙ୍କ ଫୋକସ୍‌ରେ ରହିଛନ୍ତି ଅନୁସୂଚିତ ଜନଜାତି। ଏମାନଙ୍କ ବିକାଶ ପାଇଁ ଗତ ୭୫ ବର୍ଷରେ ଯାହା ହୋଇନଥିଲା, ଗତ ୮ ବର୍ଷରେ ତାହା କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଅନୁସୂଚିତ ଜନଜାତି ବର୍ଗଙ୍କ ବିକାଶ ପାଇଁ ମୋଦୀ ସରକାରଙ୍କର ଥିବା ପ୍ରତିବଦ୍ଧତା ଓ ଦୃଢ଼ ଆନୁଗତ୍ୟ ସମ୍ପର୍କରେ ସୂଚନା ଦେବାକୁ ଯାଇ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଲେ ଯେ ଜନଜାତି ବର୍ଗଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଥମିକତା ଦେଉଛନ୍ତି ଓ ନୂଆ ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି। ଏହି ବର୍ଗର ଲୋକମାନଙ୍କ ଉତ୍‌ଥାନ ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି କରାଯିବା ସହ ଶିକ୍ଷା, ରୋଜଗାର, ସ୍ବ‌ରୋଜଗାର ଓ ସାଂସ୍କୃତିକ ବିକାଶ ପ୍ରତି ଅଗ୍ରାଧିକାର ଦେଇଛନ୍ତି। ଜନଜାତି ଲୋକଙ୍କ ପାଇଁ ଶିକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଆସିଛି। ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଜନଜାତି ଛାତ୍ରଛାତୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରାଯାଇଛି। ଏଥି ପାଇଁ କେନ୍ଦ୍ର ସରକାର ୨୯ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ୟୁପିଏ ସରକାରଙ୍କ ତୁଳନାରେ ମୋଦି ସରକାର ଜନଜାତି ବର୍ଗଙ୍କ ପାଇଁ ବଜେଟ୍‌ରେ ୫ ଗୁଣା ଅଧିକ ବ୍ୟୟ ବରାଦ କରିଛନ୍ତି। ଏମାନଙ୍କ ବିକାଶ ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରେ ୧୯ ହଜାର ୪୩୭ ହଜାର କୋଟି ଟଙ୍କା ବଜେଟ୍‌ରେ ବ୍ୟବସ୍ଥା ହୋଇଥିଲା। ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୯୧ ହଜାର କୋଟି ଟଙ୍କାରେ ପହଞ୍ଚିଛି। ମୋଦୀ ସରକାରଙ୍କ ଅମଳରେ ଆଦିବାସୀ ବହୁଳ ମୟୂରଞ୍ଜ ଜିଲ୍ଲାରୁ ଜନଜାତି ସମାଜର ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରାଯାଇଛି। ଦେଶ ପାଇଁ ଏହା ଗୌରବର ବିଷୟ। ଜନଜାତି ବର୍ଗର ଲୋକମାନଙ୍କ ଉପରେ ଗବେଷଣା କରିବ‌ା ପାଇଁ ଜାତୀୟ ଜନଜାତି ଗବେଷଣା କେନ୍ଦ୍ର (ଏନ୍‌ଟିଆର୍‌ଆଇ) ସ୍ଥାପନ କରାଯାଇଛି।

ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଶା, ଝାଡ଼ଖଣ୍ଡ ଓ ରାଜସ୍ଥାନ ସମେତ ଦେଶର ଅନେକ ସ୍ଥାନରେ ସହିଦ ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା, ମାଧୋ ସିଂହଙ୍କ ଭଳି ବହୁ ଜନଜାତି ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ। ଜନଜାତି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉଚିତ୍‌ ସମ୍ମାନ ଦିଆଯାଉଛି। ଭାରତ ସରକାର କାରିଗରୀ ବିଦ୍ୟାର ସଠିକ ଉପଯୋଗ କରି ‘ଟ୍ରାଇବାଲ୍‌ ଡିଜିଟାଲ୍‌ ଡକ୍ୟୁମେଣ୍ଟସନ୍‌’ କରିବାକୁ ପ୍ରାଥମିକତା ଦେଇଛନ୍ତି। ଏଥି ସହିତ ଜନଆନ୍ଦୋଳନ ଜରିଆରେ କଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ସୁଫଳ ଜନଜାତିଙ୍କ ପାଖରେ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଏମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀକୁ ଜାତୀୟ ବଜାର ନେଟୱର୍କ ଇ-ନାମ, ଆମାଜନ, ଫ୍ଲିପକାର୍ଟ ସହିତ ଯୋଡ଼ାଯାଇଛି। ୮୭ଟି ଜଙ୍ଗଲଜାତ ଦ୍ରବ୍ୟର ଏମ୍‌ଏସ୍‌ପି ସ୍ଥିର କରାଯାଇଛି। ମାଣ୍ଡିଆ ଉତ୍ପାଦନ ପାଇଁ ଆଦିବ‌ାସୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆନ୍ତର୍ଜାତିକ ମିଲେଟ ଦିବସ ପାଳନ କରାଯାଉଛି। ଜି-୨୦ରେ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।