କେଉଁ ରୋଗ ପାଇଁ ଏଯାଏ ବାହାରିନି ଟିକା, ଏଚ୍ଆଇଭି ଏଡ୍ସ ଟିକା ଆଜି ପର୍ଯ୍ୟନ୍ତ ଆସିଲାନି
କେଉଁ ରୋଗ ପାଇଁ ଏଯାଏ ବାହାରିନି ଟିକା
ଚାଗାସ୍ ରୋଗ (ଆମେରିକୀୟ ଟ୍ରାଇପାନୋସୋମାସିସ୍), ଚିକୁନଗୁନିଆ, ଡେଙ୍ଗୁ, ସାଇଟୋମେଗାଲୋ ଭାଇରସ୍, ଏଚ୍ଆଇଭି, କୃମି ସଂକ୍ରମଣ (ହୁକ୍ ୱର୍ମ), ଲିସ୍ମାନିଆସିସ୍, ମ୍ୟାଲେରିଆ, ଶ୍ବାସକ୍ରିୟା ସିନ୍ସିଟିଆଲ୍ ଜୀବାଣୁ, ସ୍କିଷ୍ଟୋସୋମାସିସ୍ ଇତ୍ୟାଦି ରୋଗ ପାଇଁ ଆଜି ପର୍ଯ୍ୟନ୍ତ ଟିକା ଉଦ୍ଭାବନ ହୋଇନି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ୭ରୁ ୮ମାସ ମଧ୍ୟରେ କରୋନା ଯେପରି ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି, ଠିକ୍ ସେମିତି ୧୯୯୦ ମସିହା ବେଳକୁ ଏଚ୍ଆଇଭି ଏଡ୍ସ ପ୍ରଳୟ ଆରମ୍ଭ କରିଥିଲା। ଏଥିରେ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ଏହିଭଳି ଅଧିକ ନଥିଲା; କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ହୋଇପାରିନି। କିପରି ଜଣଙ୍କୁ ଏଚ୍ଆଇଭି ଏଡ୍ସ ହେବନି କି ହେଲେ ତୁରନ୍ତ ସୁସ୍ଥ ହୋଇଯିବ, ସେହିଭଳି ଟିକା ଆଜି ପର୍ଯ୍ୟନ୍ତ ବାହାରିପାରିନି। କେହି କେହି ଟିକା ବାହାର କରିଛନ୍ତି ବୋଲି ଦାବି କରୁଥିଲେ ହେଁ କୌଣସି ଟିକା ଲାଇସେନ୍ସପ୍ରାପ୍ତ ନୁହେଁ। କରୋନା ଓ ଏଚ୍ଆଇଭି ଏଡ୍ସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିପାରୁଥିବା ରୋଗ। ଯେଉଁ ବୈଜ୍ଞାନିକ, ଗବେଷକମାନେ ଆଜି ପର୍ଯ୍ୟନ୍ତ ଏଚ୍ଆଇଭି ଏଡ୍ସରୁ ଜଣଙ୍କୁ ସୁସ୍ଥ କରିଦେବା ଭଳି ଲାଇସେନ୍ସପ୍ରାପ୍ତ ଟିକା ବାହାର କରିପାରିନାହାନ୍ତି, ସେମାନେ କରୋନା ଟିକା ଆଣିବାରେ ସଫଳ ହେବେ ତ! ଏହି ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଠୁଛି। ଏବେ ବହୁ ସଂସ୍ଥା ସାରା ବିଶ୍ବରେ କରୋନା ଟିକାର ପ୍ରଥମ ପର୍ଯ୍ୟାୟ, ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିସାରିଥିଲେ ହେଁ କେହି ଏପର୍ଯ୍ୟନ୍ତ ଜୋର୍ ଦେଇ କହିପାରୁନାହାନ୍ତି, କେଉଁ ନିର୍ଦ୍ଦିଷ୍ଟ ତାରିଖରେ ଏହି ଟିକା ସର୍ବସାଧାରଣଙ୍କ ପାଇଁ ଆସିବ, କିପରି ଏହାର ବ୍ୟବହାର ହେବ, କେତେ ଦିନରେ ଏହା ଜଣଙ୍କୁ କରୋନାରୁ ସୁସ୍ଥ କରିଦେବ କି ଏହି ଟିକା ନେଲେ କେତେ ବର୍ଷ ପର୍ଯ୍ୟନ୍ତ ଜଣଙ୍କୁ କରୋନା ହେବନି। ଏଚ୍ଆଇଭି ଏଡ୍ସ ଭଳି କରୋନା ଟିକା ହେବନି ତ!
ଯଦି କରୋନା ଟିକା ସେତିକି ବିଶ୍ବସନୀୟ ନହୁଏ, କୌଣସି ଦେଶର ସରକାର କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାହାକୁ ଲାଇସେନ୍ସ ନଦିଅନ୍ତି, ତେବେ ଏହା ସର୍ବସାଧାରଣଙ୍କ ପାଖରେ ପହଞ୍ଚିପାରିବ ତ! କେବଳ ଏତିକି ନୁହେଁ, ବିଶ୍ବର ବିଭିନ୍ନ ମହାମାରୀ, ରୋଗକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଆଜି ପର୍ଯ୍ୟନ୍ତ ଯେତେ ଟିକା ବାହାରିଛି, ସେଥିପାଇଁ ୧୦ରୁ ୨୦ ବର୍ଷ ଲାଗିଛି। ଏଚ୍ଆଇଭି ଏଡ୍ସକୁ ପ୍ରାୟ ୩୦ ବର୍ଷ ହୋଇଥିବାରୁ ଏହାର ଟିକା ବାହାରିପାରିବନି ବୋଲି କହିବା ଠିକ୍ ହେବନି। ହେଲେ କରୋନା ଟିକା ବର୍ଷକରେ ବାହାରିଯିବ, ତାହା ବିଶ୍ବାସ କରିବା ବି କଷ୍ଟକର। ଏଚ୍ଆଇଭି ପାଇଁ ଆଜି ପର୍ଯ୍ୟନ୍ତ ଟିକା ବାହାରି ନପାରିବା ନେଇ ବିଶେଷଜ୍ଞମାନେ କହନ୍ତି ଯେ ଏଚ୍ଆଇଭି ପ୍ରତି ପ୍ରାକୃତିକ ପ୍ରତିରୋଧର ଅଭାବ, ଏଚ୍ଆଇଭି ପ୍ରକାରର ପରିବର୍ତ୍ତନଶୀଳତା, ପ୍ରତିରକ୍ଷା ପ୍ରତିରୋଧକ ଶକ୍ତିର ଅଭାବ, ଏକ ପଶୁ ମଡେଲର ଅଭାବ ଯାହା ମଣିଷ ଶରୀରରେ ଟିକା କାର୍ଯ୍ୟକାରିତାକୁ ନିର୍ଭରଯୋଗ୍ୟ ଭାବରେ ପୂର୍ବାନୁମାନ କରିପାରିବ। ତେଣୁ ଆଜି ପର୍ଯ୍ୟନ୍ତ ଏହା ସଫଳ ହୋଇନି।