ନୂଆଦିଲ୍ଲୀ : ଭାରତୀୟ ଷ୍ଟକ ବଜାରର ମୂଳ ଭିତ୍ତି ସୁଦୃଢ ଓ ଆଗାମୀ କିଛି ଦିନ ମଧ୍ୟରେ ଏହା ଉପରେ ନୂଆ ବଜେଟର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Advertisment

ଆଦାନୀ ଗ୍ରୁପ ସେୟାର ହ୍ରାସ ଏବଂ ଷ୍ଟକ ବଜାର, ଏସବିଆଇ ଏବଂ ଏଲଆଇସି ଉପରେ ଏହାର ପ୍ରଭାବ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଅଦାନୀ ଗ୍ରୁପରେ ଏହି ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସୀମିତ ନିବେଶ ରହିଛି  ଓ ତାହା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଛି । ଏଣୁ ଅଦାନୀ ଯୋଗୁଁ ଏହି ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା ଯେ ବିପଦରେ ପଡ଼ିବେ ତାହା ଭାବିବା ଭୁଲ । ଏହି ଦୁଇ ରାଷ୍ଟ୍ରାୟତ୍ତ୍ ଉଦ୍ୟୋଗ ବି ଅଦାନୀରେ ନିବେଶ କରି ଏପର୍ଯ୍ୟନ୍ତ ଲାଭ ପାଇ ଆସିଛନ୍ତି । ବଜାର ନିୟାମକମାନେ ଏକ ଭଲ କାର୍ଯ୍ୟ କରୁଛନ୍ତି  ଓ ବଜାର ଉପରେ ନିବେଶକଙ୍କ ଭରସା ରହିଛି ।

ଭାରତୀୟ ବଜାରରେ ବିଦେଶୀ ନିବେଶକଙ୍କ ଧାରା ସମ୍ପର୍କରେ ସୀତାରମଣ କହିଛନ୍ତି ଯେ ନିବେଶକଙ୍କ ଆଚରଣରେ ପରିବର୍ତ୍ତନ ସ୍ୱାଭାବିକ। ସେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରର ସ୍ଥିତିକୁ ଦୃଢ଼ ବୋଲି ବର୍ଣ୍ଣନା କରି କହିଥିଲେ ଯେ ବ୍ୟାଙ୍କଗୁଡ଼ିକର ଏନପିଏ ହ୍ରାସ ପାଉଛି ଏବଂ ଆଜି ଭାରତୀୟ ବ୍ୟାଙ୍କଗୁଡ଼ିକ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି ।

ସୂଚନାଯୋଗ୍ୟ ଯେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ ସେୟାରରେ ଯେଉଁ ହ୍ରାସ ଦେଖାଦେଇଥିଲା ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ସେଥିରେ ସୁଧାର ଦେଖାଦେଇଛି ।