ଯଦି ଚାଷୀଙ୍କ ସ୍ୱାର୍ଥରେ ନୂତନ ଆଇନ; ତେବେ କୃଷକଙ୍କ ଦାବି ମାନି ନେବାରେ ଅସୁବିଧା କେଉଁଠି?
ନୂଆଦିଲ୍ଲୀ: ନିଜର ନ୍ୟାୟୋଚିତ ଦାବି ପୂରଣ ପାଇଁ କୃଷକମାନେ ସେମାନଙ୍କର ଅଦ୍ଭୂତପୂର୍ବ ଆନ୍ଦୋଳନ ଅବ୍ୟାହତ ରଖିଥିବା ବେଳେ କେନ୍ଦ୍ର ସରକାର ନିଜ ଜିଦ୍ରେ ଅଟଳ ରହିଛନ୍ତି। ଫଳ ସ୍ୱରୂପ କୃଷକମାନଙ୍କ ବିରୋଧ ଚରମ ଓ ତୀବ୍ରରେ ପହଞ୍ଚିଥିବା ବେଳେ କେନ୍ଦ୍ର ସରକାର ଅନୋନ୍ୟପାୟ ହୋଇ ଆନ୍ଦୋଳନରତ କୃଷକମାନଙ୍କ ଆନ୍ଦୋଳନକୁ ଏକ ବିଚ୍ଛିନ୍ନତାବାଦୀ ଯୁଦ୍ଧ ସହ ତୁଳନା କରିବାକୁ ସୁଦ୍ଧା କୁଣ୍ଠାବୋଧ କରିନାହାନ୍ତି। ଆନ୍ଦୋଳନରତ କୃଷକମାନେ ଖଲିସ୍ତାନୀ, ପାକିସ୍ତାନ ଏବଂ ଚୀନ୍ର ଏଜେଣ୍ଟ, ମାଓବାଦୀ, ସହରାଞ୍ଚଳ ନକ୍ସଲଙ୍କ ଏଜେଣ୍ଟ ଥିବା ଅଭିଯୋଗ କରିଛନ୍ତି ସରକାର !
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, କେନ୍ଦ୍ର ସରକାର ଦେଶର ଯେଉଁ କୃଷକ ସମ୍ପ୍ରଦାୟ ବିରୁଦ୍ଧରେ ଏପରି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି, ସେଇମାନେ ହିଁ ଦଶନ୍ଧି ଦଶନ୍ଧି ଧରି ଭାରତର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି ଆସିଛନ୍ତି। କୃଷକମାନଙ୍କର ଏପରି ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ସଂଗ୍ରାମ ପୂର୍ବରୁ ବିଗତ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳି ନ ଥିଲ।
ଅନ୍ୟପକ୍ଷରେ ଅନ୍ନଦାତା ରୂପେ ପରିଚିତ ଦେଶର କୃଷକ ସଂପ୍ରଦାୟ ପ୍ରତି ସରକାରଙ୍କର ଏ ବୈମାତୃକ ମନୋଭାବ କାହିଁକି? ନିଜର ନ୍ୟାୟୋଚିତ ଦାବୀ ପୂରଣ ପାଇଁ କୃଷକମାନେ ସେମାନଙ୍କର ଆନ୍ଦୋଳନ ଅବ୍ୟାହତ ରଖିଥିବାବେଳେ ସେମାନଙ୍କୁ ସର୍ବ ସାଧାରଣରେ ନିନ୍ଦିତ କରିବା ପାଇଁ ସରକାରଙ୍କର ଏ ଅପଚେଷ୍ଟା କାହିଁକି? ଦେଶର କୃଷକଙ୍କୁ ବିଚ୍ଛିନ୍ନତାବାଦୀଙ୍କ ଏଜେଣ୍ଟ ବୋଲି କାହିଁକି ଅଭିହିତ କରାଯାଉଛି? ଭାରତର କୃଷକମାନନଙ୍କ ବିରୁଦ୍ଧରେ ଏହି ଅପମାନଜନକ ଅଭିଯୋଗ କରିବାକୁ କିଏ ସାହସ କଲା? ଏହାର ଉତ୍ତର ଅବଶ୍ୟ ଆଜିକା ତାରିଖରେ କାହାରି ପାଖରେ ନାହିଁ।
ତେବେ, ନୂତନ ଚାଷୀ ବିଲ ବିରୋଧରେ କୃଷକଙ୍କ ଦେଶବ୍ୟାପୀ ବିରୋଧକୁ ସରକାର ଅଣଦେଖା କରିଛନ୍ତି। ଆଲୋଚନା ପାଇଁ ଚାଷୀଙ୍କୁ ଡାକିବାକୁ ମନା କରଛନ୍ତି। ନୂତନ ତିନିଟି ଚାଷୀ ବିଲ୍କୁ କୃଷକ ସଂଗଠନ ସହ କୌଣସି କଥାବାର୍ତ୍ତା ନକରି ସଂସଦରେ ପାରିତ୍ କରାଇ ନେଇଛନ୍ତି। ନୂତନ ଟିକସ ନୀତି ଘୋଷଣା କରିବା ପୂର୍ବରୁ ବଡ ଶିଳ୍ପପତିଙ୍କ ସଙ୍ଗଠନ ସହିତ ଏକାଧିକ ରାଉଣ୍ଡରେ ଆଲୋଚନା କରୁଥିବା ଏହି ସରକାର, ନୂତନ ଚାଷୀ ବିଲ୍କୁ ପାରିତ କରାଇବା ପୂର୍ବରୁ କାହିଁକି ଦେଶର କୃଷକ ସଂଗଠନଗୁଡ଼ିକ ସହ ଆଲୋଚନା କଲେ ନାହିଁ କିମ୍ବା ସେମାନଙ୍କୁ ବିଶ୍ୱାସକୁ ନେଲେ ନାହିଁ; ଏ ପ୍ରଶ୍ନର ଉତ୍ତର କାହାରି ନିକଟରେ ନାହିଁ।
ସରକାର ଯେତେବେଳେ ନିଜର ସଂଖ୍ୟା ବଳରେ ସଂସଦର ଉଭୟ ଗୃହରେ ଏହି ନୂତନ ଚାଷୀ ବିଲ୍କୁ ପାରିତ କରାଇ ନେଲେ ସେତେବେଳେ ଅନେକ ସାମ୍ବିଧାନକ ଦିଗ ପ୍ରତି ଆଖିବୁଜି ଦେବା ସହ ସେଗୁଡ଼ିକୁ ଅଣଦେଖା କରିବାରେ କୁଣ୍ଠାବୋଧ କରି ନଥିଲେ ସରକାର। ଅଧିକାଂଶ ସଦସ୍ୟ ସଂସଦର ଏକ ଚୟନ କମିଟିକୁ ବିଲ୍ ପଠାଇବା ସପକ୍ଷରେ ଥିବା ବେଳେ ସରକାର କାହିଁକି ଏହାକୁ ଣୁଣି ନଥିଲେ? ସଂସଦର ଷ୍ଟାଣ୍ଡିଂ କମିଟି ଦ୍ୱାରା ଏପରି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାଇଁ ସରକାର ସାଧାରଣ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିବା ପରେ ଏହା ସଂସଦୀୟ ସଂଖ୍ୟାଗରିଷ୍ଠତାର ଖୋଲା ଅପବ୍ୟବହାର ଥିଲା।
କଥା ଏତିକିରେ ସରି ନଥିଲା, ରାଷ୍ଟ୍ରପତିଙ୍କ ସମ୍ମତି ପରେ ଏବଂ ଯେତେବେଳେ ଏହି ଆଇନ କାର୍ଯ୍ୟକାରୀ ହେଲା, ଅନେକ ରାଜ୍ୟ ସରକାର ଘୋଷଣା କଲେ ଯେ ସେମାନେ ନିଜ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବେ ନାହିଁ। ପଞ୍ଜାବରେ ମଧ୍ୟ ରାଜ୍ୟ ସରକାର ବିକଳ୍ପ ଆଇନ ପ୍ରଣୟନ କରିବା ପରେ ମଧ୍ୟ କୃଷକମାନେ ନିଶ୍ଚିତ ହୋଇ ନଥିଲେ ଯେ ସେମାନଙ୍କୁ କେନ୍ଦ୍ରୀୟ ଆଇନ ଠାରୁ ରକ୍ଷା କରାଯିବ।
ତେଣୁ ଚାଷୀଙ୍କୁ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଶେଷରେ ସେମାନେ ଦିଲ୍ଲୀରେ ପହଞ୍ଚିବାରେ ସଫଳ ହୋଇଥିଲେ। ହେଲେ, ସରକାର କଣ କଲେ? ସେମାନଙ୍କୁ ସହରରେ ପ୍ରବେଶ କରିବାକୁ ଅନୁମତି ଦେଲେନାହିଁ। ସେମାନଙ୍କୁ ଦିଲ୍ଲୀର ଏକ ସୁଦୂର ଅଞ୍ଚଳକୁ ସ୍ଥାନାନ୍ତର କରଗଲା। ଯେଉଁଠାରେ କୌଣସି ପକ୍ଷ ମଧ୍ୟ ସେମାନଙ୍କୁ ଦେଖି ପାରିବେ ନାହିଁ।
ଆନ୍ଦେଳନରତ ଚାଷୀମାନଙ୍କ ପାଇଁ କ୍ଷମତାସୀନ ସରକାରର ଏ ପ୍ରକାର ଆଭିମୁଖ୍ୟ କାହିଁକି? ଯଦି ନୂତନ ଆଇନ୍ ପୁଞ୍ଜିପତିମାନଙ୍କ ନୁହେଁ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ତେବେ ଏସଂପର୍କରେ ଚାଷୀ ସଂଗଠନ ସହ ଆଲୋଚନା କରି ସେମାନଙ୍କର ଦାବୀ ମାନିବାରେ ସରକାରଙ୍କର ଏ ପଛଘୁଞ୍ଚା କାହିଁକି?