ହ୍ୟୁଷ୍ଟନ: ମହାକାଶକୁ ମଣିଷଙ୍କୁ ପଠାଇବା ଯେ କଷ୍ଟକର ଓ ବିପଦଶଙ୍କୁଳ ଏଥିରେ କାହାର ସନ୍ଦେହ ନାହିଁ। ମହାକାଶକୁ ମଣିଷଙ୍କୁ ପଠାଇବା କାର୍ଯ୍ୟ ଆଜକୁ ୬୦ ବର୍ଷ ତଳେ ଆରମ୍ଭ ହୋଇଥିବା ବେଳେ ଏହି ବିପଜ୍ଜନକ ଯାତ୍ରାରେ ଅଦ୍ୟାବଧି ୨୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ୧୯୮୬ ଓ ୨୦୦୩ରେ ନାସା ମହାକାଶଯାନ ଦୁର୍ଘଟଣାରେ ୧୪ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୭୧ ସୋୟୁଜ-୧୧ ମିସନରେ ୩ ଓ ୧୯୬୭ରେ ଆପୋଲୋ-୧ ଲଞ୍ଚ ପ୍ୟାଡ୍ ଅଗ୍ନିକାଣ୍ଡରେ ୩ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହୋଇଥିଲା।
ମହାକାଶକୁ ମଣିଷର ଯାତ୍ରା ଅତ୍ୟନ୍ତ ଜଟିଳ ଓ କଷ୍ଟକର ହୋଇଥିବା ବେଳେ ସେହି ଦୃଷ୍ଟିରୁ ଏ ମୃତ୍ୟୁସଂଖ୍ୟା ନଗଣ୍ୟ ବୋଲି କୁହାଯାଉଛି। କିନ୍ତୁ ନାସା ୨୦୨୫ରେ ଚନ୍ଦ୍ରକୁ ଓ ଆଗାମୀ ଦଶନ୍ଧିରେ ମଙ୍ଗଳକୁ ମଣିଷ ପଠାଇବାକୁ ଚିନ୍ତା କରୁଛି। ମହାକାଶଯାତ୍ରା ଆଜିକାଲି ସାଧାରଣ ହେବାକୁ ଯାଉଥିବା ବେଳେ ମହାକାଶରେ କାହାରି ମୃତ୍ୟୁ ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ମହାକାଶରେ କାହାରି ମୃତ୍ୟୁ ହୋଇଯାଏ, ତେବେ ଶବର କ’ଣ ହେବ?
ଜଣେ ସ୍ପେସ୍ ମେଡିକାଲ ଡାକ୍ତରଙ୍କ କହିବା ଅନୁସାରେ ସେ ଓ ଟ୍ରାନ୍ସଲେସନାଲ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ହେଲ୍ଥର ତାଙ୍କ ଟିମ୍ ମହାକାଶଚାରୀଙ୍କୁ ସୁସ୍ଥ ରଖିବା ପାଇଁ ନୂଆ ନୂଆ ବାଟ ବାହାର କରିବାରେ ଲାଗିଛନ୍ତି। ତେବେ ଯଦି ମହାକାଶରେ କାହାର ମୃତ୍ୟୁ ହୋଇଯାଏ, ତେବେ ଶବର କ’ଣ ହେବ ତା’ର କିଛି ନିୟମକାନୁନ ରହିଛି। ଯଦି ନିମ୍ନ ପୃଥିବୀ-କକ୍ଷ ମିସନରେ ବା ଅନ୍ତର୍ଜାତୀୟ ମହାକାଶକେନ୍ଦ୍ରରେ କାହାର ମୃତ୍ୟୁ ହୋଇଯାଏ, ତେବେ ଅନ୍ୟ ସହଯାତ୍ରୀମାନେ କିଛି ଘଣ୍ଟା ଭିତରେ ଶବକୁ ପୃଥିବୀକୁ ଆଣିପାରିବେ। ଯଦି ଚନ୍ଦ୍ରରେ କାହାରି ମୃତ୍ୟୁ ହୁଏ, ତେବେ ଶବକୁ କିଛିଦିନ ଭିତରେ ପୃଥିବୀକୁ ଅଣାଯାଇପାରିବ। ଏପରି ପରିସ୍ଥିତି ପାଇଁ ନାସା ଆଗରୁ ପୁଙ୍ଖାନୁପୁଙ୍ଖ ପ୍ରୋଟୋକଲ ତିଆରି କରିସାରିଛି।
ଅଳ୍ପ ସମୟ ବା ଦିନ ଭିତରେ ଶବକୁ ପୃଥିବୀକୁ ଅଣାଯାଇ ପାରୁଥିବାରୁ ତାହାର ସଂରକ୍ଷଣ ନାସା ପାଇଁ ଚିନ୍ତାର ବିଷୟ ନୁହେଁ। ଅନ୍ୟ ସମସ୍ତ ମହାକାଶଚାରୀ ଯେପରି ନିରାପଦରେ ପୃଥିବୀକୁ ଫେରନ୍ତି ତାହା ଉପରେ ନାସା ସବୁଠାରୁ ଅଧିକ ଗୁରୁତ୍ବ ଦେଇଥାଏ। କିନ୍ତୁ ଯଦି ୩୦୦ ନିୟୁତ ମାଇଲ ଦୂର ମଙ୍ଗଳ ଅଭିଯାନ ସମୟରେ କାହାରି ମୃତ୍ୟୁ ହୁଏ, ତେବେ ସେ ପରିସ୍ଥିତି ଭିନ୍ନ। ସେପରି କ୍ଷେତ୍ରରେ ଅନ୍ୟ ମହାକାଶଚାରୀ ମିସନର କାର୍ଯ୍ୟ ଅଧାରେ ରଖି ଶବକୁ ତୁରନ୍ତ ପୃଥିବୀକୁ ଫେରାଇ ଆଣିବା ଓ ପୁଣି ଅଭିଯାନରେ ଯିବା ସମ୍ଭବ ନୁହେଁ। ଅଭିଯାନ ଶେଷ ହେବା ପରେ ହିଁ ସେମାନେ ଶବକୁ ପୃଥିବୀକୁ ଫେରାଇ ଆଣିପାରିବେ ଏବଂ ସେଥିପାଇଁ ବର୍ଷେ ବା ଦୁଇବର୍ଷ ସମୟ ଲାଗିପାରେ। ସେପରି କ୍ଷେତ୍ରରେ ଶବକୁ ଏକ ସ୍ବତନ୍ତ୍ର ବ୍ୟାଗ୍ରେ ଓ ସ୍ବତନ୍ତ୍ର ଚାମ୍ବରରେ ସଂରକ୍ଷିତ ରଖିବାକୁ ପଡ଼ିବ। ମହାକାଶ ଯାନର ସ୍ଥିର ତାପମାତ୍ରା ଓ ଆର୍ଦ୍ରତା ଶବର ସଂରକ୍ଷଣରେ ସାହାଯ୍ୟ କରିବ। କିନ୍ତୁ ମହାକାଶ କେନ୍ଦ୍ର ବା ମହାକାଶ ଯାନ ପରି ଚାପଯୁକ୍ତ ପରିବେଶରେ ମୃତ୍ୟୁ ହେଲେ ହିଁ କେବଳ ଏ ସବୁ ପ୍ରଯୁଜ୍ୟ।
ଯଦି କେହି ସ୍ପେସ୍ସୁଟ୍ର ସୁରକ୍ଷା ବିନା ବାହାରକୁ ମହାକାଶକୁ ପଳାଏ? ତେବେ ତତ୍କ୍ଷଣାତ୍ ହିଁ ତାଙ୍କର ମୃତ୍ୟୁ ହୋଇଯିବ। ବିନା ଚାପରେ ମହାଶୂନ୍ୟରେ ସେ ନିଃଶ୍ବାସ ନେଇପାରିବେ ନାହିଁ ଏବଂ ଶରୀରର ରକ୍ତ ଓ ତରଳପଦାର୍ଥଗୁଡ଼ିକ ଫୁଟିବାକୁ ଲାଗିବ। ଯଦି ଚନ୍ଦ୍ର ବା ମଙ୍ଗଳପୃଷ୍ଠରେ ବିନା ସ୍ପେସ୍ସୁଟ୍ରେ କେହି ବାହାରକୁ ଚାଲିଯାଏ? ଚନ୍ଦ୍ରରେ ପ୍ରାୟ ବାୟୁମଣ୍ଡଳ ନାହିଁ ବା ଅତି ସାମାନ୍ୟ ଅଛି ଏବଂ ମଙ୍ଗଳରେ ପତଳା ବାୟୁମଣ୍ଡଳ ଅଛି। ତେଣୁ ସେଠାରେ ବି ପୂର୍ବ ପରି ରକ୍ତ ଫୁଟିବ ଓ ଅଣନିଶ୍ବାସୀ ହୋଇ ମୃତ୍ୟୁ ଘଟିବ। ମଙ୍ଗଳପୃଷ୍ଠରେ କେହି ମଲେ ଶବକୁ ସେଠାରେ ପୋଡ଼ିବା ସମ୍ଭବ ନୁହେଁ, କାରଣ ସେଥିପାଇଁ ଅଧିକ ତାପଶକ୍ତିର ଆବଶ୍ୟକତା ରହିଛି। ପୋତିବା ମଧ୍ୟ ବାଂଛନୀୟ ନୁହେଁ, କାରଣ ତାହାଦ୍ବାରା ମଙ୍ଗଳପୃଷ୍ଠରେ ଜୀବାଣୁ ସଂକ୍ରମଣ ହୋଇପାରେ। ତା’ ବଦଳରେ ଏକ ସ୍ବତନ୍ତ୍ର ବ୍ୟାଗ୍ରେ ଶବକୁ ସଂରକ୍ଷିତ ରଖି ଫେରିବା ବେଳେ ଅନ୍ୟ ମହାକାଶଚାରୀମାନେ ପୃଥିବୀକୁ ଫେରାଇ ଆଣିପାରିବେ। ତେବେ ପରିସ୍ଥିତିକୁ ଚାହିଁ ଅନ୍ୟ ମହାକାଶଚାରୀମାନେ ଶବ ସହ କ’ଣ କରିବେ ତାହା କହିବା ସମ୍ଭବ ନୁହେଁ।