ଚଣ୍ଡିଗଡ଼: ଶେଷରେ ପୁଲିସ ହନିପ୍ରୀତ୍ ଇନ୍ସାନ୍ଙ୍କର ଦୁଇଟି ବ୍ୟକ୍ତିଗତ ଡାଏରି ଉଦ୍ଧାର କରିଛି ବୋଲି ରବିବାର ଦିନ ଜଣାପଡ଼ିଛି। ସାନିଟେସନ୍ ଡ୍ରାଇଭ୍ ସମୟରେ ପୁଲିସ ଡେରା ସଚ୍ଚା ସୌଦାରୁ ଜବତ କରିଥିବା ସମସ୍ତ ଦଲିଲ, ଗ୍ୟାଜେଟ୍ସ ଏବଂ କମ୍ପ୍ୟୁଟର୍ ଆଦି ଏବେ ଯାଞ୍ଚ କରାଯାଉଛି।
ଯାଞ୍ଚ ବେଳେ ମିଳିଥିବା ହନିପ୍ରୀତ୍ଙ୍କ ଦୁଇ ଡାଏରିରେ ନୈବେଦ୍ୟ, ଅନୁଦାନ, ଆୟ ଏବଂ ନଗଦ ଟଙ୍କା ଖର୍ଚ୍ଚ ଆଦିର ପୁଙ୍ଖାନୁପଙ୍ଖ ତଥ୍ୟ ରହିଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ବିଭିନ୍ନ ଡେରା ସୌଦା ଶାଖା ଆୟର ଟିକିନିଖି ବିବରଣୀ ଲେଖିବାକୁ ଏହି ପକେଟ୍ ଡାଏରି ବ୍ୟବହୃତ ହେଉଥିଲା।
ଏହି ଡାଏରିର ଏକ ଜେରକ୍ସ କପି ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି। ପଞ୍ଚାବ ଏବଂ ହରିୟାନା ହାଇକୋର୍ଟଙ୍କ ଆଦେଶରେ ଆୟକର ବିଭାଗ ଡେରାର ଆୟ ଏବଂ ହିସାବ ବହିର୍ଭୁତ ଆୟ ଅଭିଯୋଗର ତଦନ୍ତ କରୁଛି।
୨୫ ଅଗଷ୍ଟ ପଞ୍ଚକୁଳା ହିଂସା ପାଣ୍ଠି ସଂକ୍ରାନ୍ତରେ ସେ ଡାଏରିରେ କିଛି ଅଛି କି, ନାହିଁ ତାହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି। ହନିପ୍ରୀତ୍ଙ୍କ ନିର୍ଦେଶରେ ହିଂସା ପାଇଁ ଡେରା ୫ କୋଟି ଟଙ୍କା ଦେଇଥିବା କୁହାଯାଉଛି।
ସିର୍ସାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ନିଜ ଜୀବନର ଦୈନନ୍ଦିନ ଘଟଣାବଳୀ ଲିପିବଦ୍ଧ ହୋଇଥିବା ହନିପ୍ରୀତ୍ଙ୍କ ଅନ୍ୟ ଏକ ଡାଏରି ମଧ୍ୟ ପୁଲିସ ପାଇଛି।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ସେଥିରୁ କେତେକ ପୃଷ୍ଠାରେ ତାଙ୍କର ସିନେମା ସୁଟିଙ୍ଗ୍ ସଂକ୍ରାନ୍ତ ଟିକିନିଖି ବିବରଣୀ, ବନ୍ଦୀ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ୍ ରାମ ରହିମ୍ଙ୍କ ସହ ତାଙ୍କର ସମ୍ପର୍କ କଥା ମଧ୍ୟ ଉଲ୍ଲେଖ ରହିଛି। ସେଥିରେ ହନିପ୍ରୀତ୍ ଡେରାର କେତେକ ଦୃଢ଼ ପ୍ରବାସୀ ଏବଂ ବାସୀ ଭାରତୀୟ ସମର୍ଥକଙ୍କ ଫୋନ୍ ନମ୍ବର୍ ଲେଖିଛନ୍ତି।