ପୁଟିନ ପରମାଣୁ ଅସ୍ତ୍ର ପ୍ରୟୋଗ କଲେ କ’ଣ ହେବ?

ୱାସିଂଟନ : ଯଦି ରୁଷ୍‌ର ‘କ୍ଷେତ୍ରୀୟ ଅଖଣ୍ଡତା’ ଉପରେ ଆଞ୍ଚ ଆସେ ତେବେ ଦରକାର ହେଲେ ପରମାଣୁ ଅସ୍ତ୍ରର ଉପଯୋଗ କରିବା ପାଇଁ ରଷ୍ ପଶ୍ଚାତ୍‌ପଦ ହେବନାହିଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଥିବା ପରିପ୍ରେକ୍ଷୀରେ ଏହାକୁ ନେଇ ପାଶ୍ଚାତ୍ୟରେ ନାନା ଆଲୋଚନା ଆରମ୍ଭ ହୋଇଛି। ପୁଟିନ କହିଛନ୍ତି, ‘ଯେଉଁମାନେ ପରମାଣୁ ଅସ୍ତ୍ର ଦେଖାଇ ଆମକୁ ବ୍ଲାକ୍‌ମେଲ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ସ୍ମରଣ ରଖିବା ଉଚିତ ଯେ ପବନ ତାଙ୍କ ଆଡ଼କୁ ବି ବହିପାରେ, ଆଉ ଏହା ଏକ ମିଥ୍ୟା ଧମକାଣ ନୁହେଁ।’

ତେବେ ବିଶ୍ଳେଷକମାନେ ଏ ବିଷୟରେ ସ୍ଥିରନିଶ୍ଚିତ ନୁହନ୍ତି ଯେ ରୁଷ୍ ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଚାହୁଛି କି ନା। କେଉଁ ପରିସ୍ଥିତିରେ ରୁଷ୍ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇପାରେ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ‌କେତେକ ବିଶ୍ଳେଷକଙ୍କ ମତରେ ଦରକାର ହେଲେ ମସ୍କୋ ‘ଟ୍ୟାକ୍ଟିକାଲ’ ବା ଯୁଦ୍ଧକ୍ଷେତ୍ରୀୟ ପରମାଣୁ ବୋମା ପକାଇପାରେ, ଯାହାର କ୍ଷମତା ସୀମିତ ବା ଯାହା ସ୍ବଳ୍ପ ଧ୍ବଂସକାରୀ। ଏପରି ଅସ୍ତ୍ର ୦.୩ କିଲୋଟନରୁ ୧୦୦ କିଲୋଟନ ବିସ୍ଫୋରକ-ବିଶିଷ୍ଟ ହୋଇଥାଏ। ଏହାଠାରୁ କାହିଁ କେତେଗୁଣ ବଡ଼ ପରମାଣୁ ବୋମା ରୁଷ୍ ପାଖରେ ରହିଛି। ୧୯୬୧ ମସିହାରେ ଏହା ୫୮ ମେଗାଟନ ବୋମା ପରୀକ୍ଷା କରିଥିଲା।

Daily Express

ଆମେରିକାର ଷ୍ଟ୍ରାଟେଜିକ୍ ୱାର୍‌ହେଡ୍‌ରେ ୧୨ ମେଗାଟନ ପରମାଣୁ ବୋମା ରହିଛି। ଟ୍ୟାକ୍ଟିକାଲ ବୋମାଠାରୁ ଷ୍ଟ୍ରାଟେଜିକ୍ ବୋମା ଭୟଙ୍କର। କିନ୍ତୁ ସବୁ ବୋମାର କ୍ଷୟକାରୀ ପ୍ରଭାବ ରହିଛି, ତାହା ବୋମାର ଆକାର ଅନୁସାରେ କମ୍-ବେଶି ହୋଇପାରେ। ୧୯୪୫ ମସିହାରେ ଆମେରିକା ହିରୋସିମା ଉପରେ ଯେଉଁ ବୋମା ପକାଇଥିଲା ତାହା ମାତ୍ର ୧୫ ଟନ୍‌ର ଥିଲା। ବିଶ୍ଳେଷକଙ୍କ ମତରେ ରୁଷିଆ କ୍ଷୁଦ୍ର ଟ୍ୟାକ୍ଟିକାଲ ବୋମା ପକାଇ ୟୁକ୍ରେନ୍‌କୁ ଡରାଇ ଆଲୋଚନା ଟେବୁଲକୁ ଆସିବାକୁ ବାଧ୍ୟ କରିପାରେ। କିନ୍ତୁ ଆଉ କେତେକଙ୍କ ମତରେ ୨୦ ମାଇଲ ଅଞ୍ଚଳକୁ ଦଖଲ କରିବା ପାଇଁ ୨୦ଟା ଛୋଟ ବୋମା ଦରକାର। କିନ୍ତୁ ଏଥିରେ ଲାଭ କମ୍ ବିପଦ ବେଶି କାରଣ ପରମାଣୁ ଅସ୍ତ୍ରର ସବୁବେଳେ ବ୍ୟାପକ ଓ ଦୀର୍ଘକାଳୀନ କୁପ୍ରଭାବ ରହିଥାଏ।

ଆଉ କେତେକଙ୍କ ମତରେ ରୁଷ୍ ୟୁକ୍ରେନ୍‌ର ସାମରିକ ଘାଟି ବା କିବ୍ ପରି ବଡ଼ ସହର ଉପରେ ପରମାଣୁ ବୋମା ପକାଇପାରେ ବା ରାଜନୈତିକ ନେତୃବର୍ଗଙ୍କୁ ହତ୍ୟା କରିପାରେ। ଏହାଦ୍ବାରା ୟୁକ୍ରେନ୍‌କୁ ଦଖଲ କରିବା ସହଜ ହେବ। ତେବେ ରୁଷ୍‌ର ଏପରି ସମ୍ଭାବ୍ୟ ଆକ୍ରମଣ ବିରୋଧରେ ‌ନାଟୋ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ କଭଳି ପ୍ରତିକ୍ରିୟା ପ୍ରକାଶ କରିବେ ସେ ନେଇ ସ୍ପଷ୍ଟ ଅନୁମାନ କରିବା ସମ୍ଭବ ହେଉ ନାହିଁ। ତଥାପି ସେମାନେ ଏ କ୍ଷେତ୍ରରେ ଚୁପ୍ ରହି ନିଜକୁ ଦୁର୍ବଳ ସାବ୍ୟସ୍ତ କରିବାକୁ ଚାହିବେନି ବୋଲି ଅନେକ ବି‌ଶ୍ଳେଷକ ମନେ କରନ୍ତି।

ସମ୍ବନ୍ଧିତ ଖବର