ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ଅନେକ ବିବାଦ ଆରମ୍ଭ ହୋଇଯାଇଛି। ଅଧିକାଂଶ ରାଜ୍ୟରେ ଭୋଟ୍ ଗଣତି ଜାରି ରହିଥିଲେ ମଧ୍ୟ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ନିଜର ବିଜୟ ଘୋଷଣା କରି ସାରିଛନ୍ତି। ଟ୍ରମ୍ପ୍ଙ୍କର ଏଭଳି ଆଗୁଆ ଘୋଷଣା ଡେମୋକ୍ରାଟିକ୍ ଦଳର ଚିନ୍ତା ବଢ଼ାଇଛି। ତେବେ ପ୍ରଶ୍ନ ଉଠୁଛି ଯଦି ଆମେରିକା ନିର୍ବାଚନ ଫଳାଫଳ ବିବାଦୀୟ ହୁଏ ତେବେ ଅନ୍ତିମ ପରିଣତି କ’ଣ ହେବ। ପ୍ରାରମ୍ଭିକ ଭୋଟିଂ ତଥ୍ୟରୁ ଜଣାପଡ଼ିଛି ଯେ, ରିପବ୍ଲିକାନ୍ ଦଳ ଅପେକ୍ଷା ଡେମୋକ୍ରାଟ୍ ଦଳକୁ ମେଲ୍ ଦ୍ବାରା ବିପୁଳ ଭୋଟ୍ ମିଳିଛି। ପେନ୍ସିଲଭାନିଆ ଏବଂ ୱିସକନସିନ୍ ରାଜ୍ୟରେ ବିପୁଳ ପରିମାଣରେ ଦିଆଯାଇଥିବା ମେଲ୍ ବ୍ୟାଲଟ୍କୁ ଆଜି ସକାଳ ସୁଦ୍ଧା ଗଣତି ଆରମ୍ଭ କରାଯାଇ ନଥିଲା। ତେବେ ଆଜି ରାତି ସୁଦ୍ଧା ଆସିଥିବା ଫଳାଫଳ କହୁଛି ଯେ, ଟ୍ରମ୍ପ୍ ଉକ୍ତ ୨ ରାଜ୍ୟରେ ନିର୍ବାଚନ ଜିତିପାରନ୍ତି। ତେବେ ସବୁକିଛି ଅନିଶ୍ଚିତତା ଭିତରେ ଥିଲେ ମଧ୍ୟ ଉଭୟ ଦଳ ବିଜୟ ଘୋଷଣା ପାଇଁ ଆଗଭର ହେବା ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ନିର୍ବାଚନ ଫଳାଫଳ ନିର୍ଦ୍ଧାରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଉକ୍ତ ରାଜ୍ୟମାନଙ୍କରେ ଯଦି ଭୋଟିଂ ଏବଂ ବ୍ୟାଲଟ୍ ଗଣତି ପ୍ରକ୍ରିୟାକୁ ନେଇ ବିବାଦ ହୁଏ ଏବଂ ଉକ୍ତ ରାଜ୍ୟମାନଙ୍କରେ ନିର୍ବାଚନ ଫଳାଫଳକୁ ବିରୋଧ କରି ମାମଲା ରୁଜୁ ହୁଏ ତେବେ ଏହି ମାମଲା ଶେଷରେ ଯାଇ ଆମେରିକା ସୁପ୍ରିମକୋର୍ଟରେ ପହଞ୍ଚିବ। ଟ୍ରମ୍ପ୍ ଆଜି ଘୋଷଣା କରି କହିଛନ୍ତି, ଆମେ ନିର୍ବାଚନୀ ଜାଲିଆତି ବିରୋଧରେ ଆଇନର ସଠିକ୍ ଉପଯୋଗ କରିବୁ। ଟ୍ରମ୍ପ୍ ନିର୍ବାଚନୀ ଅନିୟମିତତା ନେଇ ସୁପ୍ରିମକୋର୍ଟ ଯିବାପାଇଁ ଧମକ ଦେଇଛନ୍ତି।
ସୂଚନାଯୋଗ୍ୟ, ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ପପୁଲାର୍ ଭୋଟ୍ରେ ଜିତିଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚିତ ହୋଇପାରିବେ ନାହିଁ। ଆମେରିକା ସମ୍ବିଧାନ ଅଧୀନରେ ଯେଉଁ ପ୍ରାର୍ଥୀ ଇଲେକ୍ଟୋରାଲ୍ କଲେଜ୍ରୁ ୨୭୦ ଇଲେକ୍ଟୋରାଲ୍ ଭୋଟ୍ ଜିତିବେ ସେ ହିଁ ରାଷ୍ଟ୍ରପତି ନିର୍ବାଚିତ ହୋଇପାରିବେ। ୨୦୧୬ରେ ଟ୍ରମ୍ପ୍ ଜାତୀୟ ଲୋକପ୍ରିୟ ଭୋଟ୍ରେ ହିଲାରି କ୍ଲିଣ୍ଟନ୍ଙ୍କଠାରୁ ପଛରେ ଥିଲେ ମଧ୍ୟ ସେ ୩୦୪ ଇଲେକ୍ଟୋରାଲ୍ ଭୋଟ୍ ଜିତି ରାଷ୍ଟ୍ରପତି ହୋଇଥିଲେ। ଚଳିତ ବର୍ଷ ଇଲେକ୍ଟରମାନେ ଡିସେମ୍ବର ୧୪ରେ ସେମାନଙ୍କ ଭୋଟ୍ ଦେବେ। ଭୋଟ୍ ଗଣତି ପାଇଁ ଆମେରିକା କଂଗ୍ରେସର ଉଭୟ ସଦନ ଜାନୁଆରି ୬ରେ ବସିବ ଏବଂ ବିଜେତାଙ୍କ ନାମ ଘୋଷଣା କରିବେ। ସାଧାରଣତଃ ଗଭର୍ଣ୍ଣର ନିଜ ରାଜ୍ୟର ଚୂଡ଼ାନ୍ତ ଫଳାଫଳକୁ କଂଗ୍ରେସକୁ ଦେଇଥାନ୍ତି। କିନ୍ତୁ କିଛି କ୍ଷେତ୍ରରେ ଗଭର୍ଣ୍ଣର ଏବଂ ବ୍ୟବସ୍ଥାପିକା ଭିନ୍ନ ନିର୍ବାଚନ ଫଳାଫଳ ଦାଖଲ କରିଥାନ୍ତି। ତେବେ ସମସ୍ତ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପେନ୍ସିଲଭାନିଆ, ମିଚିଗାନ୍, ୱିସକନସନ୍ ଏବଂ ଉତ୍ତର କାରୋଲିନାରେ ଡେମୋକ୍ରାଟିକ୍ ଗଭର୍ଣ୍ଣର ଥିବାବେଳେ ଏଠାରେ ରିପବ୍ଲିକ୍ ନିୟନ୍ତ୍ରଣାଧୀନ ବ୍ୟବସ୍ଥାପିକା ରହିଛି। ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ କଂଗ୍ରେସ କେଉଁ ତଥ୍ୟ ଗ୍ରହଣ କରିବ ତାହା ସ୍ପଷ୍ଟ ନୁହେଁ। ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ଜିଣିବାପାଇଁ ଆବଶ୍ୟକ ଇଲେକ୍ଟୋରାଲ୍ ଭୋଟ୍ ହାସଲ କରିପାରିବେ ନାହିଁ, ତେବେ ସମ୍ବିଧାନର ଧାରା ୧୨ ଅଧୀନରେ ‘କଣ୍ଟିନ୍ଜେଣ୍ଟ୍ ଇଲେକ୍ସନ’ ବା ପ୍ରାସଙ୍ଗିକ ନିର୍ବାଚନ ହେବ। ଏହାର ଅର୍ଥ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ପରବର୍ତ୍ତୀ ରାଷ୍ଟ୍ରପତି ବାଛିବେ ଏବଂ ସିନେଟ୍ ପରବର୍ତ୍ତୀ ଉପରାଷ୍ଟ୍ରପତି ବାଛିବେ। ଯଦି ଉଭୟ ପ୍ରାର୍ଥୀ ୨୬୯-୨୬୯ ଇଲେକ୍ଟୋରାଲ୍ ଭୋଟ୍ ଜିତନ୍ତି ତେବେ ଏକ୍ଷେତ୍ରରେ ମଧ୍ୟ କଣ୍ଟିନଜେଣ୍ଟ୍ ଇଲେକ୍ସନ୍ ହୋଇପାରେ। ତେବେ ବିବାଦ ସତ୍ତ୍ବେ ଆମେରିକା କଂଗ୍ରେସ ଯଦି ଜାନୁଆରି ୨୦ ସୁଦ୍ଧା କୌଣସି ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା ନକରନ୍ତି ଗୃହର ବାଚସ୍ପତି କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ। କାଲିଫର୍ଣ୍ଣିଆର ଡେମୋକ୍ରାଟ୍ ନେତ୍ରୀ ନାନ୍ସି ପେଲୋସି ଏବେ ବାଚସ୍ପତି ଅଛନ୍ତି।