ନୂଆଦିଲ୍ଲୀ: କାନାଡାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଇ ଦେବାକୁ ଧମକ ଦେଇଛି । ଏକ ଭିଡିଓ ଜରିଆରେ ସେ ଏହି ଘୋଷଣା କରିଛି । ଏଥିପାଇଁ ନଭେମ୍ବର ୧୯ରେ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ନ କରିବାକୁ ସେ ଶିଖ୍ ସମ୍ପ୍ରଦାୟକୁ ଚେତାବନୀ ଦେଇଛି।

Advertisment

ଖଲିସ୍ତାନୀ ଆତଙ୍କବାଦୀଙ୍କ ଏହି ଧମକ ପରେ ପୁଣି ଥରେ କନିଷ୍କ ବିମାନ ବିସ୍ଫୋରଣ ଘଟଣା ସଂପର୍କରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ କ’ଣ ଥିଲା ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ?

୧୯୮୫ ମସିହା ଜୁନ୍ ୨୩ ତାରିଖରେ କାନାଡାର ମଣ୍ଟ୍ରିଲରୁ ଏୟାର ଇଣ୍ଡିଆ ବିମାନ ୧୮୨ ଉଡ଼ାଣ ଭରିଥିଲା। ବିମାନଟି ବ୍ରିଟେନର ଲଣ୍ଡନ ଏବଂ ପରେ ଭାରତର ଦିଲ୍ଲୀ ଦେଇ ମଣ୍ଟ୍ରିଲରୁ ମୁମ୍ବାଇରେ ପହଞ୍ଚିବାର ଥିଲା। ବୋଇଂ ୭୪୭-୨୩୭ବିକୁ ସମ୍ରାଟ କନିଷ୍କଙ୍କ ନାମରେ ନାମିତ କରାଯାଇଥିଲା। ଆୟର୍ଲାଣ୍ଡ ଆକାଶରେ ୩୧,୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିବାବେ ବେଳେ ଏହି ବିମାନରେ ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ବିମାନଟି ଆଟଲାଣ୍ଟିକ ମହାସାଗରରେ ଖସି ପଡ଼ିଥିଲା। ଏହି ବିମାନ ଦୁର୍ଘଟଣାରେ ୩୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୨୨ ଜଣ ଭାରତୀୟ ବଂଶୋଦ୍ଭବ ଥିବା ବେଳେ ୨୮୦ ଜଣ ଭାରତୀୟ ବଂଶୋଦ୍ଭବ କାନାଡାର ନାଗରିକ ଥିଲେ। ଏହି ଘଟଣା ଆଧୁନିକ କାନାଡା ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ କାର୍ଯ୍ୟ ଥିଲା ।

ତେବେ ଏହି ଘଟଣା ପୂର୍ବରୁ କାନାଡାର ସୁରକ୍ଷା ବାହିନୀକୁ ଏପରି ଏକ ଆକ୍ରମଣର ଷଡ଼ଯନ୍ତ୍ର ସଂପର୍କରେ ଗୁଇନ୍ଦା ସୂଚନା ଦିଆଯାଇଥିଲେ ବି କାନାଡା ସରକାର ତାହାକୁ ଅଣଦେଖା କରିଥିଲେ । ଫଳରେ ଏତେବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଗଲା ।

ଏହି ଆକ୍ରମଣ ପାଇଁ ୩ଟି ସଂଗଠନ ଦଶମେଶ ରେଜିମେଣ୍ଟ, କାଶ୍ମୀର ଲିବରେସନ ଆର୍ମି ଏବଂ ଅଲ୍ ଇଣ୍ଡିଆ ଶିଖ ଷ୍ଟୁଡେଣ୍ଟ ଫେଡେରେଶନ ନିଜକୁ ଦାୟୀ କରିଥିଲେ । ତେବେ ପରେ ଖଲିସ୍ତାନୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ ଏହି ଆକ୍ରମଣ ପଛରେ ଥିବା ସିବିଆଇ ଜାଣିବାକୁ ପାଇଥିଲା । ଏହି ଘଟଣାର  ମାଷ୍ଟରମାଇଣ୍ଡ୍ ତଲଓ୍ବିନ୍ଦର ସିଂ ପରମାରକୁ ୧୯୯୨ରେ ପଂଜାବ ପୁଲିସ ଏନକାଉଣ୍ଟର କରି ମାରିଦେଇଥିଲା ।