ନୂଆଦିଲ୍ଲୀ: ଆକାଶରେ ଦିଶିବ ଲାଲ୍ ଜହ୍ନ ବା ବ୍ଲଡ୍ ମୁନ୍ । ଆସନ୍ତା ରବିବାର ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ । ଏହି ବିରଳ ଚନ୍ଦ୍ର ଗ୍ରହଣରେ ପୂରା ଲାଲ୍ ହୋଇଯିବ ଜହ୍ନ । ମିନିଟିଏ କି ଦୁଇ ମିନିଟ୍ ପାଇଁ ନୁହେଁ ବରଂ ଏହି ରକ୍ତିମ ଚନ୍ଦ୍ରର ଝଲକ ଆକାଶରେ ୮୨ ମିନିଟ୍ ଯାଏଁ ଦେଖାଯିବ ।ସେପ୍ଟେମ୍ବର ୭ ଏବଂ ୮ ତାରିଖ ଅର୍ଥାତ ରବିବାର ରାତି ଏବଂ ସୋମବାର ମଝିରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଆକାଶରେ ଦୃଶ୍ୟମାନ ହେବ । ଏହା ବର୍ଷର ୨ୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହାକୁ ଦେଖିବାକୁ ସମସ୍ତଙ୍କ ମଧ୍ଯରେ ଉତ୍କଣ୍ଠା ବଢିଛି ।
ତେବେ ଆସନ୍ତା ରବିବାର ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ । ଆକାଶରେ ରକ୍ତ ପରି ଲାଲ୍ ଜହ୍ନ ଦେଖାଯିବ । ଏହି ବ୍ଲଡ ମୁନ୍ ଭାରତ ସମେତ ଏସିଆ, ୟୁରୋପ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ । ପାଖାପାଖି ୭୭% ଲୋକ ଏପରି ବିରଳ ଦୃଶ୍ୟକୁ ଆକାଶରେ ଦେଖିବେ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଲଭ ଦୃଶ୍ୟ ଭାରତରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ବୋଲି କୁହାଯାଉଛି ।
ବ୍ଲଡ୍ ମୁନ୍ କଣ ?
ବ୍ଲଡ୍ ମୁନ୍ ବା ଲାଲ୍ ଜହ୍ନ କଥା ଯେତେବେଳେ ଉଠିଛି ଏହା କଣ ? ଏବଂ କାହିଁକି ? କେଉଁ ପରିସ୍ଥିତିରେ ଦେଖାଯାଏ ? ସେ ବିଷୟରେ ବି ଜାଣିବାର ଆବଶ୍ୟକତା ରହିଛି । ଜାଣନ୍ତୁ ପକାନ୍ତୁ ବ୍ଲଡ୍ ମୁନ୍ କଣ ?
ବୈଜ୍ଞାନିକଙ୍କ ଭାଷାରେ ବ୍ଲଡ୍ ମୁନ୍ ହେଉଛି ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହା ସେତେବେଳେ ଦେଖାଯାଏ ଯେତେବେଳେ ସୂର୍ଯ୍ୟ- ପୃଥିବୀ-ଚନ୍ଦ୍ର ଏକ ସରଳରେଖାରେ ରୁହନ୍ତି । ଯେଉଁ ସମୟରେ ପୃଥିବୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦିଏ । ଯାହା ଫଳରେ ସୂର୍ଯ୍ୟକିରଣ ସିଧାସଳଖ ଚନ୍ଦ୍ର ଉପରେ ପଡିପାରେ ନାହିଁ । ପୃଥିବୀର ବାୟୁମଣ୍ଡଳ ଦେଇ ସୂର୍ଯ୍ଯକିରଣ ସିଧାସଳଖ ନପଡ଼ି ବକ୍ର ଆକାରରେ ଚନ୍ଦ୍ର ଉପରେ ପଡିଥାଏ । ନୀଳ ଏବଂ ବାଇଗଣୀ ରଶ୍ମୀ ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ପଡେ । ମାତ୍ର ଲାଲ ଏବଂ ନାରଙ୍ଗୀ ରଶ୍ମୀ ଚନ୍ଦ୍ର ଯାଏଁ ଅତିକ୍ରମ କରି ପହଞ୍ଚିଯାଏ । ଏହି କାରଣରୁ ଆକାଶରେ ଚନ୍ଦ୍ର ଲାଲ୍ ଦିଶେ । ଏହାକୁ ରେଲି ସ୍କେଟରିଙ୍ଗ କୁହାଯାଏ । ତାହାକୁ ବ୍ଲଡ୍ ମୁନ୍ ମଧ୍ଯ କୁହାଯାଏ ।
ତେବେ ନାସାର ସୂଚନାନୁଯାୟୀ ଚନ୍ଦ୍ର କେତେ ପରିମାଣରେ ଲାଲ୍ ଦେଖାଯିବ ତାହା ସେହି ସମୟର ବାୟୁମଣ୍ଡଳ ଉପରେ ନିର୍ଭର କରିଥାଏ । ଯଦି ସେହି ସମୟରେ ବାୟୁମଣ୍ଡଳ ଧୂଳି, ଧୂଆଁ ଏବଂ ଜ୍ବାଳାମୁଖୀ ଅଧିକ ଦେଖାଦିଏ ତେବେ ଚନ୍ଦ୍ରର ରଙ୍ଗ ଆହୁରି ଲାଲ୍ ଗାଢ ଦିଶିବ ।
ବ୍ଲଡ୍ ମୁନ୍: କେତେ ସମୟ ଦିଶିବ ?
ସେପଟେ ଭାରତରେ ଏହି ଦୃଶ୍ୟ ସେପ୍ଟେମ୍ବର ୭ ତାରିଖ ରାତିରୁ ଆରମ୍ଭ ହୋଇ ୮ ତାରିଖ ସକାଳ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ୭ ତାରିଖ ରାତି ୮.୫୮ ମିନିଟରେ ଏହା ଆରମ୍ଭ ହେବାକୁ ଥିବା ବେଳେ ଲାଲ୍ ଜହ୍ନ ରାତି ୧୧ଟାରୁ ୧୨.୨୨ ମିନିଟ୍ ଯାଏଁ ଦେଖାଯିବ ଏବଂ ସେପ୍ଟେମ୍ବର ୮ ତାରିଖ ୧ଟା ୨୫ ମିନିଟ ଯାଏଁ ରହିବ । ୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଦୃଶ୍ୟମାନ ହେବ ଏହି ବିରଳ ଦୃଶ୍ୟ ।
ଭାରତର କେଉଁ ସହରରେ ଦେଖାଯିବ ?
ନଜର ପକାନ୍ତୁ ଭାରତର କେଉଁ ସହରରେ ଦୃଶ୍ୟମାନ ହେବ ଏହି ବ୍ଲଡ୍ ମୁନ୍ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଲକ୍ଷ୍ନୌ, ପୁଣେ, ହାଇଦ୍ରାବାଦ,ଚଣ୍ଡିଗଡ଼ରେ ଦିଶିବ ଏହି ଦୃଶ୍ୟ ।
କେଉଁ ରାଶି ପାଇଁ ଶୁଭ ?
ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବ । ଏହି ଦିନ ପିତୃପକ୍ଷ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଦେବା ବିଧେୟ । କାରଣ , ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ତେବେ ଏହି ଚନ୍ଦ୍ରଗ୍ରହଣ ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଆଦି ପାଇଁ ଶୁଭ ଥିବାବେଳେମିଥୁନ, କର୍କଟ, ବିଛା, ମୀନ ପାଇଁ ଅଶୁଭ ଥିବା ଜ୍ୟୋତିର୍ବିଦ୍ମାନେ ଗଣନା କରି କହିଛନ୍ତି ।