ନୂଆଦିଲ୍ଲୀ: ଆଜି ଆକାଶରେ ଦିଶିବ ଲାଲ୍ ଜହ୍ନ ବା ବ୍ଲଡ୍ ମୁନ୍ । ଆଜି ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହା ବେଶ ସ୍ବତନ୍ତ୍ର ଏବଂ ବିରଳ ଅଟେ । ଯେଉଁ ବିରଳ ଚନ୍ଦ୍ର ଗ୍ରହଣରେ ପୂରା ଲାଲ୍ ହୋଇଯିବ ଜହ୍ନ । ମିନିଟିଏ କି ଦୁଇ ମିନିଟ୍ ପାଇଁ ନୁହେଁ ବରଂ ଏହି ଲାଲ୍ ହଜ୍ନ ଆକାଶରେ ୮୨ ମିନିଟ୍ ଯାଏଁ ଦୃଶ୍ୟମାନ ହେବ । ଆଜି ରାତି ଏବଂ ସୋମବାର ମଝିରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଆକାଶରେ ଦୃଶ୍ୟମାନ ହେବ । ଏହା ବର୍ଷର ୨ୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହାକୁ ଦେଖିବାକୁ ସମସ୍ତଙ୍କ ମଧ୍ଯରେ ଉତ୍କଣ୍ଠା ବଢିଛି ଏବଂ ରାତି ହେବାକୁ ସମସ୍ତଙ୍କର ଅପେକ୍ଷା ରହିଛି । ବ୍ଲଡ ମୁନ୍ ଭାରତ ସମେତ ଏସିଆ, ୟୁରୋପ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ । ପାଖାପାଖି ୭୭% ଲୋକ ଏପରି ବିରଳ ଦୃଶ୍ୟକୁ ଆକାଶରେ ଦେଖିବେ । ତେବେ ଜାଣନ୍ତୁ ବ୍ଲଡ୍ ମୁନ୍ ବା ଲାଲ୍ ଜହ୍ନ କଣ ? ଏବଂ ଏହା କାହିଁକି ଓ କେଉଁ ପରିସ୍ଥିତିରେ ଦେଖାଯାଏ ?
ବ୍ଲଡ୍ ମୁନ୍ କଣ ?
ବୈଜ୍ଞାନିକଙ୍କ ଭାଷାରେ ବ୍ଲଡ୍ ମୁନ୍ ହେଉଛି ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହା ସେତେବେଳେ ଦେଖାଯାଏ ଯେତେବେଳେ ସୂର୍ଯ୍ୟ- ପୃଥିବୀ-ଚନ୍ଦ୍ର ଏକ ସରଳରେଖାରେ ରୁହନ୍ତି । ଯେଉଁ ସମୟରେ ପୃଥିବୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦିଏ । ଯାହା ଫଳରେ ସୂର୍ଯ୍ୟକିରଣ ସିଧାସଳଖ ଚନ୍ଦ୍ର ଉପରେ ପଡିପାରେ ନାହିଁ । ପୃଥିବୀର ବାୟୁମଣ୍ଡଳ ଦେଇ ସୂର୍ଯ୍ଯକିରଣ ସିଧାସଳଖ ନପଡ଼ି ବକ୍ର ଆକାରରେ ଚନ୍ଦ୍ର ଉପରେ ପଡିଥାଏ । ନୀଳ ଏବଂ ବାଇଗଣୀ ରଶ୍ମୀ ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ପଡେ । ମାତ୍ର ଲାଲ ଏବଂ ନାରଙ୍ଗୀ ରଶ୍ମୀ ଚନ୍ଦ୍ର ଯାଏଁ ଅତିକ୍ରମ କରି ପହଞ୍ଚିଯାଏ । ଏହି କାରଣରୁ ଆକାଶରେ ଚନ୍ଦ୍ର ଲାଲ୍ ଦିଶେ । ଏହାକୁ ରେଲି ସ୍କେଟରିଙ୍ଗ କୁହାଯାଏ । ତାହାକୁ ବ୍ଲଡ୍ ମୁନ୍ ମଧ୍ଯ କୁହାଯାଏ ।
ତେବେ ନାସାର ସୂଚନାନୁଯାୟୀ ଚନ୍ଦ୍ର କେତେ ପରିମାଣରେ ଲାଲ୍ ଦେଖାଯିବ ତାହା ସେହି ସମୟର ବାୟୁମଣ୍ଡଳ ଉପରେ ନିର୍ଭର କରିଥାଏ । ଯଦି ସେହି ସମୟରେ ବାୟୁମଣ୍ଡଳ ଧୂଳି, ଧୂଆଁ ଏବଂ ଜ୍ବାଳାମୁଖୀ ଅଧିକ ଦେଖାଦିଏ ତେବେ ଚନ୍ଦ୍ରର ରଙ୍ଗ ଆହୁରି ଲାଲ୍ ଗାଢ ଦିଶିବ ।
/filters:format(webp)/sambad/media/media_files/2025/09/02/egg-2025-09-02-21-34-09.jpg)
କେତେବେଳେ ଦିଶିବ ବ୍ଲଡ୍ ମୁନ୍ ?
ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅନୁସାରେ ରାତି ୯ଟା ୫୮ରେ ଆରମ୍ଭ ହେବାକୁ ଥିବା ବେଳେ ଏହା ରାତି ୧ଟା ୨୬ ମିନିଟରେ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ୩ ଘଣ୍ଟା ୨୮ ମିନିଟ ବୋଲି କୁହାଯାଉଛି । ତେବେ ଚନ୍ଦ୍ର ଗ୍ରହଣର ସର୍ବାଧିକ ପ୍ରଭାବ ରାତି ୧୧ଟା ୧ରୁ ରାତି ୧୨ଟା ୨୨ ମିନିଟ ଯାଏଁ ରହିବ । ଆଉ ଚନ୍ଦ୍ର ଗ୍ରହଣର ପିକ୍ ସମୟ ୧୧ଟା ୪୨ରେ ହେବ । ଏହି ସମୟରେ ବିଶ୍ବବାସୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିପାରିବେ ।
ଭାରତର କେଉଁ ସହରରେ ଦେଖାଯିବ ?
ନଜର ପକାନ୍ତୁ ଭାରତର କେଉଁ ସହରରେ ଦୃଶ୍ୟମାନ ହେବ ଏହି ବ୍ଲଡ୍ ମୁନ୍ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦରେ ଦିଶିବ ଏହି ବିରଳ ମହାଜାଗତିକ ଦୃଶ୍ୟ । ଏସବୁ ସହରର ଲୋକେ ବ୍ଲଡ୍ ମୁନକୁ ସ୍ପଷ୍ଟ ଭାବେ ଦେଖିପାରିବେ ।