ଇଲେକ୍ଟୋରାଲ୍‌ କଲେଜ୍‌ କ’ଣ?

ୱା‌ସିଂଟନ୍‌: ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହିଲାରୀ କ୍ଲିଣ୍ଟନ୍‌ ୩୦ ଲକ୍ଷରୁ ଅଧିକ ପପୁଲାର ଭୋଟ୍‌ ପାଇଥିଲେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚନ ଜିଣିଥିଲେ। ଏହାର କାରଣ ଇଲେକ୍ଟୋରାଲ୍‌ କଲେଜ୍‌ ଟ୍ରମ୍ପ୍‌ଙ୍କୁ ନିର୍ବାଚିତ କରିଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ଏମିତି ଅନେକ ରାଷ୍ଟ୍ରପତି ପପୁଲାର (ଲୋକପ୍ରିୟ ତଥା ଜନସାଧାରଣଙ୍କ ଭୋଟ୍‌) ନଜିତି ମଧ୍ୟ କ୍ଷମତାକୁ ଆସିଛନ୍ତି। ୧୮୨୪‌ରେ ରାଷ୍ଟ୍ରପତି ଜନ୍‌ କ୍ବିନ୍ସି ଆଦାମ୍‌ସ, ୧୮୭୬ରେ ରଥରଫର୍ଡ ବି ହାୟେସ୍‌, ୧୮୮୮ରେ ବେଂଜାମିନ ହାରିସନ୍‌, ୨୦୦୦ରେ ଜର୍ଜ ଡବ୍ଲ୍ୟୁ ବୁସ୍‌ ଏବଂ ଗତ ୨୦୧୬‌ରେ ଡୋନାଲ ଟ୍ରମ୍ପ୍‌ ପପୁଲାର ଭୋଟ୍‌ ନଜିତି ମଧ୍ୟ କ୍ଷମତାକୁ ଆସିଥିଲେ।

ପ୍ରତି ୪ ବର୍ଷରେ ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ୧୮ ବର୍ଷୀୟ ଆମେରିକୀୟ ନାଗରିକ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଦେଇଥାନ୍ତି। କିନ୍ତୁ ଅନେକ ଭୋଟର ଏହା ଜାଣନ୍ତିନି ଯେ, ସେମାନେ ସିଧାସଳଖ ରାଷ୍ଟ୍ରପତିଙ୍କୁ ଭୋଟ୍‌ ଦେଉନାହାନ୍ତି। ଆମେରିକାରେ ଏକ ପଦ୍ଧତି ରହିଛି ଏବଂ ତାହା ହେଉଛି ଇଲେକ୍ଟୋରାଲ୍‌ କଲେଜ୍‌। ୧୭୮୭ରେ ଗଠନ ‌ହୋଇଥିଲା ଇଲେକ୍ଟୋରାଲ କଲେଜ୍‌। ଏହି କଲେଜ୍‌ ହିଁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ଜଣେ ଆମେରିକୀୟ ନିଜ ପସନ୍ଦର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ବାଲଟ୍‌ ଭୋଟ୍‌ ଦେଇଥାନ୍ତି। ତେବେ ବାସ୍ତବରେ ସେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଦଳର ଜଣେ ପ୍ରତିନିଧି ତଥା ଇଲେକ୍ଟରଙ୍କୁ ହିଁ ଭୋଟ୍‌ ଦେଇଥାନ୍ତି। ନିର୍ବାଚନ ପୂର୍ବରୁ ଇଲେକ୍ଟରମାନଙ୍କୁ ସେମାନଙ୍କ ଦଳ ଦ୍ବାରା ଚୟନ କରାଯାଇଥାଏ। ସେମାନେ ରାଷ୍ଟ୍ରପତିଙ୍କୁ ଭୋଟ୍‌ ଦେଇଥାନ୍ତି। ଇଲେକ୍ଟୋରାଲ୍‌ କଲେଜ୍‌ରେ ୫୩୮ ଜଣ ଇଲେକ୍ଟର ଅଛନ୍ତି। ସେମାନେ ନିଜ ନିଜ ରାଜ୍ୟର ଲୋକମାନଙ୍କ ତରଫରୁ ରାଷ୍ଟ୍ରପତିଙ୍କ ପାଇଁ ଭୋଟ୍‌ ଦେଇଥାନ୍ତି। ଅନ୍ୟପକ୍ଷେ ପପୁଲାର ଭୋଟ୍‌ ଜିତିଥିବା ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ମଧ୍ୟ କ୍ଷମତାକୁ ଆସିପାରନ୍ତିନି। ୨୦୧୬ରେ ହିଲାରୀ କ୍ଲିଣ୍ଟନ୍‌ ପପୁଲାର୍‌ ଭୋଟ୍‌ ଜିତି ମଧ୍ୟ କ୍ଷମତାକୁ ଆସି ପାରିନଥିଲେ।

ସମ୍ବନ୍ଧିତ ଖବର

Comments are closed.