୨୦୦୭ ମସିହାରେ ଆଇଏନ୍ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ଦିଆଯାଇଥିବା ଏଫ୍ଆଇପିବି ମଂଜୁରିରେ ଘୋର ଅନିୟମିତତା ହୋଇଥିଲା ଧରାପଡ଼ିଥିଲା। ଏହି ସମୟରେ ପି ଚିଦମ୍ବଦମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ। ୨୦୧୭ରେ ପ୍ରଥମେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ, ଆଇଏନ୍ଏକ୍ସ ମିଡିଆ ଏବଂ ଏହାର ନିର୍ଦ୍ଦେଶକ ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ପିଏମଏଲଏ ଆଇନ ଅଧୀନରେ ଇସିଆଇଆର (ଏନଫୋର୍ସମେଣ୍ଟ୍ କେସ୍ ଇନଫର୍ମେସନ୍ ରିପୋର୍ଟ) ରୁଜୁ କରିଥିଲେ। ଇଡିଙ୍କ ଦ୍ବାରା ପ୍ରଦତ୍ତ ସୂଚନା ଅନୁଯାୟୀ ସିବିଆଇ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିଥିଲା। ୨୦୧୭ ମେ’ ୧୫ ତାରିଖରେ ସିବିଆଇ ଏହି ମାମଲାରେ ଏଫ୍ଆଇଆର ରୁଜୁ କରିଥିଲା। ପରେ ୨୦୧୮ରେ ଇଡି ଏହି ମାମଲାରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା।
ଆଇଏନଏକ୍ସ ମିଡିଆର ମାଲିକାନା ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀଙ୍କ ହାତରେ ରହିଥିଲା। ଏବେ ସେମାନେ ଏବେ ଝିଅ ସିନା ବୋରା ହତ୍ୟା ମାମଲାରେ ଜେଲ୍ରେ ଅଛନ୍ତି। ଫେବ୍ରୁଆରି ୨୦୧୮ରେ କାର୍ତ୍ତି ଚିଦମ୍ବରମ୍ ଆଇଏନଏକ୍ସ ମିଡିଆରେ ବିଦେଶୀ ପାଣ୍ଠି ନିବେଶ ପାଇଁ ଏଫ୍ଆଇପିବି ମଂଜୁରି ନିମନ୍ତେ ଉତ୍କୋଚ ଦେଇଥିବା ମାମଲାରେ ଗିରଫ ହୋଇଥିଲେ। ପରେ ତାଙ୍କୁ ଏହି ମାମଲାରେ ଜାମିନ୍ ମିଳିଥିଲା। ଏହି ମାମଲାରେ ପି ଚିଦମ୍ବରମ୍ ଉଭୟ ସିବିଆଇ ଏବଂ ଇଡି ଦ୍ବାରା ରୁଜୁ ହୋଇଥିବା ମାମଲାରେ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଇନ୍ଦ୍ରାଣୀଙ୍କ ବୟାନ ଚିଦମ୍ବରମଙ୍କ ପାଇଁ କାଳ ହେଲା
ଆଇଏନଏକ୍ସ ମିଡିଆର ପ୍ରତିଷ୍ଠାତା ଏବଂ ସହ ପ୍ରତିଷ୍ଠାତା ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀ ସେମାନଙ୍କ କମ୍ପାନିରେ ବିଦେଶୀ ପାଣ୍ଠି ବିନିଯୋଗ ନିମନ୍ତେ ଏଫ୍ଆଇପିବି ମଂଜୁରି ପାଇଁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଏବଂ ପୁଅ କାର୍ତ୍ତି ଚିଦମ୍ବରମଙ୍କ ସହଯୋଗ ଲୋଡ଼ିଥିଲେ। ଏବେ ଏହି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନ ଆଧାରରେ ଚିଦମ୍ବରମ ଏବଂ କାର୍ତ୍ତି ଚିଦମ୍ବରମଙ୍କ ବିରୋଧରେ ମାମଲା ଅଧିକ ଦୃଢ଼ ହୋଇଛି। ମାର୍ଚ୍ଚ ୨୦୧୮ରେ ଇନ୍ଦ୍ରାଣୀ ମୁଖାର୍ଜୀ ସିଆରପିସିର ଧାରା ୧୬୪ ଅଧୀନରେ ସିବିଆଇରେ ନିଜର ବୟାନ ରଖି କହିଥିଲେ ଯେ ଆଇଏନ୍ଏକ୍ସ ମିଡିଆ ସପକ୍ଷରେ ଏଫ୍ଆଇପିବି ମଂଜୁରି ପାଇଁ କାର୍ତ୍ତି ଚିଦମ୍ବରମ ଏବଂ ମୁଖାର୍ଜୀଙ୍କ ମଧ୍ୟରେ ୧ ନିୟୁତ ଡଲାରର ଏକ ବୁଝାମଣା ହୋଇଥିଲା। ଗତମାସରେ ଦିଲ୍ଲୀ କୋର୍ଟ ସିନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଇଏନ୍ଏକ୍ସ ମାମଲାରେ ସାକ୍ଷୀ ହେବାପାଇଁ ଅନୁମତି ଦେଇଥିଲେ। ଏହି ମାମଲାରେ ଇନ୍ଦ୍ରାଣୀ ସତ କଥା କହିଥିବାରୁ ସେ କ୍ଷମା ଦାବି କରିଛନ୍ତି।