ଜେରୁଜେଲମ: ଗାଜାର ଏକ ହସ୍ପିଟାଲରେ ବିସ୍ଫୋରଣ ଘଟି ୫୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅନେକ ମୁସଲମାନ ବହୁଳ ଦେଶରେ ତୀବ୍ର ଅସନ୍ତୋଷ ଓ ବିକ୍ଷୋଭ ପ୍ରକାଶ ପାଇଛି । ହସ୍ପିଟାଲ ବିସ୍ଫୋରଣ ପାଇଁ ଇସ୍ରାଏଲ ସେନା ପାଲେଷ୍ଟାଇନର ଇସଲାମିକ ଜିହାଦ ସଙ୍ଗଠନକୁ ଦାୟୀ କରିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ ହମାସର ସହଯୋଗୀ ପାଲେଷ୍ଟାଇନ ଇସଲାମିକ ଜିହାଦ (ପିଆଇଜେ) ଇସ୍ରାଏଲର ଅସ୍ତିତ୍ୱକୁ ହିଂସାତ୍ମକ ବିରୋଧ କରିଆସୁଛି। ଇସ୍ରାଏଲ ଅସ୍ତିତ୍ବକୁ ଲୋପ କରିଦେବା ଏହାର ମୂଳ ଲକ୍ଷ୍ୟ ବୋଲି ସଂଗଠନ ଘୋଷଣା କରିଛି। ଅଗଷ୍ଟ ୧୯୮୭ରେ ଗାଜାରେ ଇସ୍ରାଏଲର ଜଣେ ସାମରିକ ପୁଲିସ କ୍ୟାପଟେନଙ୍କୁ ହତ୍ୟା ସହ ପ୍ରଥମେ ଏହି ଇସ୍ଲାମିକ ଜିହାଦ୍ ଗ୍ରୁପ୍ର ଆତ୍ମପ୍ରକାଶ ହୋଇଥିଲା। ଏହାପରେ ବିଭିନ୍ନ ହତ୍ୟା ଓ ଆତଙ୍କବାଦୀ ଆକ୍ରମଣ ଘଟାଇ ଇସ୍ଲାମିକ ଜିହାଦ୍ ଆତଙ୍କ ସୃଷ୍ଟି କରିଥିଲା। ୧୯୮୭ରେ ହିଁ ଇସ୍ଲାମିକ ଜିହାଦ୍କୁ ଲେବାନନକୁ ବହିଷ୍କାର କରାଯାଇଥିଲା ଯେଉଁଠାରେ ସେମାନେ ହେଜବୁଲ୍ଲା ସହିତ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଇରାନିଆନ ରିଭଲ୍ୟୁସନରୀ ଗାର୍ଡସଠାରୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ଦୁଇବର୍ଷ ପରେ ଶାକାକି ସିରିଆର ଦାମାସ୍କସରେ ଏହି ଗୋଷ୍ଠୀର ସରକାରୀ ମୁଖ୍ୟାଳୟ ସ୍ଥାପନ କରିଥିଲେ ଯେଉଁଠାରେ ସେମାନେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ପିଆଇଜେ ଓ ହମାସ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଟିଏ କଥା ସମାନ ଯେ ଉଭୟ ଇସ୍ରାଏଲକୁ ବିରୋଧ କରନ୍ତି। ହମାସ ଏବଂ ଇସଲାମିକ ଜିହାଦ ପ୍ରାୟତଃ ପାଲେଷ୍ଟାଇନ୍ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମନ୍ୱିତ କରିଥାନ୍ତି।
ଇସଲାମିକ ଜିହାଦ ଦ୍ୱାରା ହୋଇଥିବା ପ୍ରମୁଖ ଆକ୍ରମଣ
ଇସଲାମିକ ଜିହାଦର କାର୍ଯ୍ୟପ୍ରଣାଳୀରେ ଇସ୍ରାଏଲର ସାଧାରଣ ନାଗରିକ ଏବଂ ସାମରିକ କର୍ମଚାରୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ ଅନ୍ତର୍ଭୁକ୍ତ।
୧୯୮୭: ଗାଜାରେ ଜଣେ ଇସ୍ରାଏଲ ସେନା ପୁଲିସ କମାଣ୍ଡରଙ୍କୁ ହତ୍ୟା।
୧୯୯୪: କାର୍ ବୋମା ବିସ୍ଫୋରଣରେ ୯ ମୃତ, ୫୦ ଆହତ।
୧୯୯୫: ଇସ୍ରାଏଲର ନେତାନ୍ୟାରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୮ ଜଣ ସୈନିକ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
୧୯୯୬: ଟେଲ୍ ଅଭିଭ ସପିଂ ମଲରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୩ ମୃତ ଓ ୭୫ ଆହତ।
୨୦୦୩: ହାଇଫା ରେଷ୍ଟୁରାଣ୍ଟରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। ଅନ୍ୟ ଆତ୍ମଘାତୀ ବିସ୍ଫୋରଣ ସହିତ ଇସଲାମିକ ଜିହାଦ ମଧ୍ୟ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିବା ପାଇଁ ହମାସ ସହ ମିଶି କାମ କରୁଛି।