ନୂଆଦିଲ୍ଲୀ : ଏପ୍ରିଲ ମାସରେ ଏସିଆର ସର୍ବ ବୃହତ୍ ବସ୍ତି ଧାରାବୀରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା। ଅନେକ ଭୟ କରିଥିଲେ ଯେ ଧାରାବୀରେ ଭାଇରସ୍ ଅତି ଭୟଙ୍କର ରୂପ ନେବ। ଧାରାବୀରେ ସମସ୍ତେ କରୋନା ସଂକ୍ରମିତ ହୋଇଯିବେ। ବମ୍ବେ ମହାନଗର ନିଗମ (ବିଏମ୍ସି)କୁ ଏଥିପାଇଁ ଅନେକ ଚ୍ୟାଲେଂଜର ସାମ୍ନା କରିବାକୁ ପଡ଼ିଛି। ସ୍ଥାନୀୟ ପୌର ଅଧିକାରୀମାନେ କହିଛନ୍ତି ଯେ ଘରୋଇ ଡାକ୍ତର ଏବଂ ଗୋଷ୍ଠୀ ସମ୍ପ୍ରଦାୟର ସହଯୋଗ ଯୋଗୁଁ ଧାରାବୀରେ କରୋନାକୁ ଭଲଭାବେ ମୁକାବିଲା କରିହୋଇଛି। ଧାରାବୀରେ ୮୦ ପ୍ରତିଶତ ଲୋକ ୪୫୦ ଗୋଷ୍ଠୀ ଶୌଚାଳୟ ଉପରେ ନିର୍ଭର କରୁଥିବାରୁ ଏହା ସବୁଠୁ ବଡ଼ ଚ୍ୟାଲେଂଜ ଥିଲା। ୧୦/୧୦ ଫୁଟ୍ ଘରେ ୮ରୁ ୧୦ ଜଣ ଲୋକ ରହନ୍ତି। ବସ୍ତିର ସଂଯୋଗକାରୀ ରାସ୍ତାଗୁଡ଼ିକ ଅତି ସଂକୀର୍ଣ୍ଣ ଥିବାରୁ ଧାରାବୀରେ ସାମାଜିକ ଦୂରତା ଅବଲମ୍ବନ କରିବା ବହୁତ କଷ୍ଟଦାୟକ ଥିଲା। ହୋମ୍ କ୍ବାରାଣ୍ଟିନ୍ ମଧ୍ୟ ସହଜସାଧ୍ୟ ନଥିଲା। ଧାରାବୀରେ କଣ୍ଟାକ୍ଟ ଟ୍ରେସିଂ କରିବା ବରିଷ୍ଠ ଅଧିକାରୀମାନଙ୍କ ପାଇଁ ଏକ ବ୍ଡ଼ ଦାୟିତ୍ବ ଥିଲା। ତେବେ ଠିକ୍ ସମୟରେ ରୋଗୀ ଚିହ୍ନଟ ଓ ଠିକ୍ ସମୟରେ ଚିକିତ୍ସା ଦ୍ବାରା ଧାରାବୀରେ ଆରୋଗ୍ୟ ହାର ବଢ଼ିଥିଲା। ଧାରାବୀରେ ୬ରୁ ୭ ଲକ୍ଷ ଲୋକଙ୍କୁ ସ୍କ୍ରିନ୍ କରାଯାଇଥିବା ବେଳେ ୧୪ ହଜାର ଲୋକଙ୍କ କରୋନା ଟେଷ୍ଟ୍ କରାଯାଇଛି। ପ୍ରାୟ ୧୩ ହଜାର ଲୋକ ସରକାରଙ୍କ କ୍ବାରାଣ୍ଟିନ୍ ବ୍ୟବସ୍ଥାରେ ରହିଛନ୍ତି।
ସଂକ୍ରମଣ ବଢ଼ିବା ପରେ ଯେତେବେଳେ ପ୍ରାୟ ୫୦ ହଜାର ଲୋକଙ୍କୁ ଭାଇରସ୍ ପାଇଁ ଯାଞ୍ଚ କରାଗଲା ସେ ସମୟରେ ଅଧିକାରୀମାନେ ‘ମିସନ୍ ଧାରାବୀ’ ଆରମ୍ଭ କରିଥିଲେ । ଏହି ମିସନ୍ ଅଧୀନରେ ପ୍ରତି ଦିନ ବସ୍ତିର ବିଭିନ୍ନ ଅଂଶରେ ସ୍ବାସ୍ଥ୍ୟ ଶିବିର ପ୍ରତିଷ୍ଠା ହେଲା। ଏହି ଶିବିରରେ ବସ୍ତି ବାସିନ୍ଦାମାନେ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନେ କୋଭିଡ୍ ଟେଷ୍ଟ୍ କରିପାରିଲେ। ସ୍ବତନ୍ତ୍ର ଶିବିର ଦ୍ବାରା ୪୭,୫୦୦ ପରିବାରର ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇପାରିଲା। ୧୪ ହଜାର ୯୭୦ ଲୋକଙ୍କୁ ଭ୍ରାମ୍ୟମାଣ ଭ୍ୟାନ୍ରେ ସ୍କ୍ରିନ୍ କରାଗଲା। ଏହାବାଦ୍ ବରିଷ୍ଠ ନାଗରିକମାନଙ୍କର ସ୍ବତନ୍ତ୍ର ଯତ୍ନ ନିଆଯାଇଥିଲା। ଅନେକ ଘରୋଇ ଡାକ୍ତର ନିଜଆଡ଼ୁ ଆଗେଇ ଆସି ସେବା ପ୍ରଦାନ କରିଥିଲେ। ସ୍କୁଲ୍, ବିବାହ ମଣ୍ଡପ ଏବଂ କ୍ରୀଡ଼ା କମ୍ପ୍ଲେକ୍ସଗୁଡ଼ିକ କ୍ବାରାଣ୍ଟିନ୍ ସେଣ୍ଟର୍ରେ ପରିଣତ ହେଲା। ଭାଇରସ୍ ହଟ୍ସ୍ପଟ୍ମାନଙ୍କରେ ମଧ୍ୟ କଡ଼ା କଟକଣା ଜାରି ହୋଇଥିଲା। ଭାଇରସ୍ ହଟ୍ସ୍ପଟ୍ରେ ପ୍ରାୟ ୧ ଲକ୍ଷ ୨୫ ହଜାର ଲୋକ ବସବାସ କରୁଥିବାରୁ ସେମାନଙ୍କ ଯାତାୟତ ଉପରେ ନଜର ରଖିବାପାଇଁ ଡ୍ରୋନ୍ ବ୍ୟବହାର ହୋଇଥିଲା ଏବଂ ଏନେଇ ପୁଲିସକୁ ମଧ୍ୟ ସଚେତନ କରାଯାଉଥିଲା। ଧାରାବୀରେ ଏପ୍ରିଲ୍ରେ ମାମଲା ଦ୍ବିଗୁଣା ହେବାକୁ ୧୮ ଦିନ ଲାଗିଥିବା ବେଳେ ମେ’ରେ ଏହା ୪୩ ଦିନକୁ ବଢ଼ିଲା, ଜୁନ୍ ଏବଂ ଜୁଲାଇରେ ମାମଲା ଦ୍ବିଗୁଣା ହେବାପାଇଁ ଯଥାକ୍ରମେ ୧୦୮ ଏବଂ ୪୦୩ ଦିନ ଲାଗିଲା।