‘ଏହା କ’ଣ ମୋଦୀ ଗ୍ୟାରେଣ୍ଟି’: ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୋପାଳ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଚାଲିଥିବା ସସପେନ୍ସର ଅନ୍ତ ଘଟିଥିବା ବେଳେ ସୋମବାର ବିଜେପି ମୋହନ ଯାଦବଙ୍କ ନାଁ ସାମ୍ନାକୁ ଆଣିଛି। ଏହି ଘୋଷଣା ସ୍ବୟଂ ମୋହନ ଯାଦବ ଏବଂ ଅନ୍ୟ ବିଜେପି ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଏହାର ଗୋଟିଏ ଦିନ ପରେ କଂଗ୍ରେସ ବିଜେପିକୁ ସମାଲୋଚନା କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ନିର୍ବାଚନ ଫଳାଫଳର ଆଠ ଦିନ ପରେ ବିଜେପି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯାଦବଙ୍କୁ ନିର୍ବାଚିତ କରିଛି, ଯାହାଙ୍କ ବିରୋଧରେ ଉଜ୍ଜୟିନୀ ମାଷ୍ଟର ପ୍ଲାନରେ ବ୍ୟାପକ ହେରଫେର ସମେତ ଅନେକ ଗମ୍ଭୀର ଅଭିଯୋଗ ରହିଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯାଦବଙ୍କୁ ଫାଇଦା ଦେବା ପାଇଁ ରାଜ୍ୟ ସରକାର ଉଜ୍ଜୟିନୀ ମାଷ୍ଟର ପ୍ଲାନରେ ଜମି ବ୍ୟବହାର ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି। ନଭେମ୍ବରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିଲା ଯେ ସିଂହସ୍ଥ ମେଳାରେ ବ୍ୟବହାର ପାଇଁ ସଂରକ୍ଷିତ ଜମିର ଏକ ଅଂଶର କିସମକୁ କୃଷିରୁ ଆବାସିକକୁ ପରିବର୍ତ୍ତନ କରାଯାଇଛି। ସେହି ସ୍ଥାନରେ ଯାଦବ, ତାଙ୍କ ପତ୍ନୀ ଓ ଭଉଣୀଙ୍କ ଜମି ଥିବା ଜଣାପଡିଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଯାଦବ ଅଶ୍ଳୀଳ ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି। ସେହି ଭିଡିଓକୁ ନେଇ ଜୟରାମ ରମେଶ କହିଛନ୍ତି, ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ଗାଳିଗୁଲଜ, ଧମକ ଏବଂ ଆପତ୍ତିଜନକ ବୟାନ ଦେଉଥିବା ଦେଖିବାକୁ ମିଳୁଛି। ଏହା କ’ଣ ମଧ୍ୟପ୍ରଦେଶ ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି? ସୂଚନାଯୋଗ୍ୟ, ମୋହନ ଯାଦବ ଜଣେ ଓବିସି ନେତା ଏବଂ ଉଜ୍ଜୟିନୀ ଦକ୍ଷିଣରୁ ସେ ତିନି ଥର ବିଜେପି ବିଧାୟକ ଅଛନ୍ତି। ଏହା ପୂର୍ବରୁ ସେ ମଧ୍ୟପ୍ରଦେଶର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି। ସେ ୩୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ଅଛନ୍ତି। ସେ ହିନ୍ଦୁତ୍ୱ ପ୍ରସଙ୍ଗରେ ଆକ୍ରମଣାତ୍ମକ ଥିଲେ ଏବଂ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗରେ ସଂଘରେ ବ୍ୟାପକ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର