ନୂଆଦିଲ୍ଲୀ: ହିଟ୍ ଆଣ୍ଡ୍ ରନ୍ ନିୟମକୁ ବିରୋଧ କରି ବସ୍ ଏବଂ ଟ୍ରକ୍ ଡ୍ରାଇଭରଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରୋଧ ପ୍ରଦର୍ଶନ ଜାରି ରହିଛି। ସୋମବାର ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ହରିଆଣା, ପଞ୍ଜାବ ସମେତ ଅନେକ ରାଜ୍ୟରେ ଟ୍ରକ୍ ଏବଂ ବସ୍ ଡ୍ରାଇଭର ଧର୍ମଘଟ କରିଥିଲେ।
ଭୋପାଳ, ଇନ୍ଦୋର, ଗ୍ୱାଲିଅର, ଜବଲପୁର ଏବଂ ମଧ୍ୟପ୍ରଦେଶର ଅନ୍ୟାନ୍ୟ ସହରରେ ବସ୍ ଚଳାଚଳ କରି ନଥିଲା। ଛତିଶଗଡ଼ର ବିଲାସପୁରରେ ଟ୍ରକ ଡ୍ରାଇଭରମାନେ ଟାୟାରରେ ନିଆଁ ଲଗାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ ଏହି ହିଟ୍ ଆଣ୍ଡ୍ ରନ୍ ଆଇନକୁ କଡ଼ାକଡ଼ି ଭାବେ ବିରୋଧ କରିଛି।
ନୂଆ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହେବ। ଏହାପୂର୍ବରୁ, ଆଇପିସିର ଧାରା ୩୦୪ ଏ ଅନୁଯାୟୀ ଏହି ଦଣ୍ଡ ୨ ବର୍ଷ ପର୍ଯ୍ୟନ୍ତ ଥିଲା। ହେଲେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢ଼ିବା କାରଣରୁ ଏପରି ନିୟମ ଲାଗୁ ହୋଇଛି। ଡ୍ରାଇଭରଙ୍କ ବିରୋଧ ପ୍ରଦର୍ଶନର ପ୍ରଭାବ ଏବେ ପୂରା ଦେଶରେ ଦେଖାଯାଉଛି। ଏହି ଧର୍ମଘଟ ଯୋଗୁ ଦେଶର ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖାଦେଇଛି।
ତେବେ ବିରୋଧ ପ୍ରଦର୍ଶନକାରୀମାନେ ସେମାନଙ୍କ ଯୁକ୍ତିରେ କହିଛନ୍ତି, କେହି କେବେ ଜାଣିଜାଣି ଦୁର୍ଘଟଣା ଘଟାନ୍ତି ନାହିଁ। ବେଳେ ବେଳେ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥାଏ। ଭୟ ହେତୁ ଦୁର୍ଘଟଣା ଘଟାଇ ଡ୍ରାଇଭର୍ ପଳାନ୍ତି। ସ୍ଥାନୀୟ ଲୋକମାନଙ୍କ ଭୟରେ ଗାଡ଼ି ନେଇ ଡ୍ରାଇଭର୍ ପଳାଇ ଥାଆନ୍ତି। ଦୀର୍ଘ ପ୍ରକ୍ରିୟା ହେତୁ ଆଇନଗତ ମାର୍ଗକୁ ନେଇ ମନରେ ଭୟ ଥାଏ।