ନୂଆଦିଲ୍ଲୀ : ଆଜି ମଣିପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୫ ଯବାନ ଓ ଦୁଇଜଣ ପରିବାର ସଦସ୍ୟ ମୃତ୍ୟୁବରଣ କରିବାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ଏହି ଆକ୍ରମଣ ପଛରେ ମଣିପୁରର ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ହାତ ଥିବା ସଂଦେହ କରାଯାଉଛି ।

Advertisment

ଆଜିର ଆକ୍ରମଣ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛି ପିଏଲଏ । ଏହି ପିଏଲଏକୁ ୨୫ ସେପ୍ଟେମ୍ବର ୧୯୭୮ରେ ଏମ.ବିଶ୍ବେଶ୍ବର ସିଂ ପ୍ରତିଷ୍ଠା କରିଥିଲେ । ଏହି ଗ୍ରୁପର ଲକ୍ଷ୍ୟ ହେଉଛି ସଶସ୍ତ୍ର ସଂଗ୍ରାମ ମାଧ୍ୟମରେ ଭାରତର ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ଭାରତଠାରୁ ଅଲଗା କରି ଏକ ସ୍ବତନ୍ତ୍ର କମ୍ୟୁନିଷ୍ଟ ଦେଶ ଗଠନ କରିବା । ଏହି ସଂଗଠନ ମାକ୍ସସବାଦୀ-ଲେନିନବାଦୀ ଓ ମାଓବାଦୀ ବିଚାରଧାରାରେ ବିଶ୍ବାସ କରେ । ପିଏଲଏ ୧୯୮୯ରେ ଏକ ରାଜନୈତିକ ଦଳ ମଧ୍ୟ ଗଠନ କରିଥିଲା । ତାହାର ନାମ ଥିଲା ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସଂଗଠନକୁ ଚୀନ ସଂପୂର୍ଣ୍ଣ ଭାବେ ଆର୍ଥିକ ସହାୟତା କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଚୀନ ଏହି ସଂଗଠନକୁ ଚୀନ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଉଛି । ଏହି ସଂଗଠନ ମାଧ୍ୟମରେ ଚୀନ ଭାରତରେ ଅସ୍ଥିରତା ସୃଷ୍ଟି କରିବା ସହ ଭାରତକୁ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି ।