ନୂଆଦିଲ୍ଲୀ: ହମାସ୍ର ମୂଳ-ଡାଳ ଉପାଡ଼ି ଫୋପାଡ଼ିବାକୁ ବଦ୍ଧପରିକର ଇସ୍ରାଏଲ ସେନାର ଚେତାବନୀ ପରେ ହଜାର ହଜାର ପାଲେଷ୍ଟିନୀୟ ଆଶ୍ରୟ ନେବାକୁ ଦକ୍ଷିଣ ଗାଜା ପଳାଇଛନ୍ତି। ପ୍ରତିକ୍ଷଣ ପରିସ୍ଥିତି ଅଧିକରୁ ଅଧିକ ସଂକଟଜନକ ହେଉଥିବା ବେଳେ ଲାନ୍ସାଷ୍ଟର ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ରାଜନୀତି ପ୍ରଫେସର ତଥା ମଧ୍ୟପ୍ରାଚ୍ୟ ଉପରେ ଏକାଧିକ ପୁସ୍ତକ ରଚନା କରିଥିବା ସାଇମନ୍ ମାବନଙ୍କ ସହ ଗାଜାପଟିର ଭବିଷ୍ୟତ ଉପରେ ଏକ ଗଣମାଧ୍ୟମ ସଂସ୍ଥା ଆଲୋଚନା କରିଥିଲା। ତାହାର ସାରାଂଶ ଏଠାରେ ଉପସ୍ଥାପନ କରାଯାଉଛି।
ପ୍ର- ଏହାକୁ ‘ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ’ ବୋଲି କହିବା ଠିକ୍ ହେବ କି?
ସାଇମନ୍: ଏହାକୁ ହମାସ୍୍୍-ଇସ୍ରାଏଲ ଯୁଦ୍ଧ ବୋଲି କହିବା ଅଧିକ ଠିକ୍ ହେବ କାରଣ ଅଧିକାଂଶ ପାଲେଷ୍ଟିନୀୟ ହମାସ୍୍୍କୁ ସମର୍ଥନ କରୁନାହାନ୍ତି। ସାଧାରଣ ନାଗରିକଙ୍କ ପ୍ରତି ହେଉଥିବା ହିଂସାକୁ ସେମାନେ ନିନ୍ଦା କରିଛନ୍ତି।
ପ୍ର- ହମାସ୍୍୍ର ଲଢ଼େଇକୁ ପାଲେଷ୍ଟାଇନର ‘ସ୍ୱାଧୀନତା ସଂଗ୍ରାମ’ ଭାବରେ ବର୍ଣ୍ଣନା କରାଯାଇପାରିବ କି?
ସାଇମନ୍: ହମାସ୍୍୍ ଏକ ଜଟିଳ ରାଜନୈତିକ ସଂସ୍ଥା ଯାହା ଗାଜାକୁ ନିଜ ନିୟନ୍ତ୍ରଣରେ ରଖିଛି। ୱେଷ୍ଟବ୍ୟାଙ୍କ ଉପରେ ବି ଏହା ପ୍ରଭାବ ପକାଉଛି। ଏହା ନିଜର ବୈଧତା ଏବଂ ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରିବା ସହ ନିଜକୁ ‘ସ୍ୱାଧୀନତା ସଂଗ୍ରାମୀ’ ଭାବରେ ଚିତ୍ରିତ କରୁଛି। କିନ୍ତୁ ଏହା ଯେଉଁ କୌଶଳ ଅବଲମ୍ବନ କରୁଛି ତାକୁ ଆତଙ୍କବାଦ ଭାବରେ ଦେଖାଯାଉଛି। ଗତ ସପ୍ତାହରେ ଇସ୍ରାଏଲର ସାଧାରଣ ନାଗରିକଙ୍କୁ ହତ୍ୟା କରି ଏହା ନିଜର ଆତଙ୍କବାଦୀ ଚରିତ୍ରକୁ ପଦାରେ ପାକାଇଛି। କିନ୍ତୁ ହମାସ୍୍ ଓ ଅନେକ ପାଲେଷ୍ଟିନୀୟଙ୍କ ପାଇଁ ଏହା ଇସ୍ରାଏଲର ୧୬ ବର୍ଷର ଅବରୋଧ ବିରୋଧରେ ସଂଗ୍ରାମ। ତେବେ ଅନେକ ପାଲେଷ୍ଟିନୀୟ ହମାସ୍୍କୁ ସମର୍ଥନ କରନ୍ତି ନାହିଁ। ହମାସ୍୍ ରାଜନୈତିକ ସ୍ତରରେ ଯେପରି କାର୍ଯ୍ୟ କରୁଛି ସେ ନେଇ ସେମାନେ ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି।
ପ୍ର- ଇସ୍ରାଏଲ୍ ଗାଜା ଉପରେ ବୋମା ପକାଇଲା ଏବଂ ବହୁ ଗାଜାବାସୀ ଆତ୍ମରକ୍ଷା ପାଇଁ ପଳାୟନ କଲେ, ଏହି ଅବସ୍ଥା ୱେଷ୍ଟବ୍ୟାଙ୍କକୁ କିପରି ପ୍ରଭାବିତ କରେ?
ସାଇମନ୍: ୧୯୬୭ ମସିହାରୁ ଆମେ ୱେଷ୍ଟବ୍ୟାଙ୍କ ଦଖଲରେ ଥିବା ଦେଖିଛୁ। ପାଲେଷ୍ଟାଇନ ଅଞ୍ଚଳକୁ ଇସ୍ରାଏଲ୍ ନିଜର ସୀମା ସମ୍ପ୍ରସାରିତ କରୁଛି। ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଏହା ବେଆଇନ ଯଦିଚ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଆଦର୍ଶଗତ ଦୃଷ୍ଟିକୋଣ ରହିଛି।
ପ୍ର- ଆମେ ଶାନ୍ତିର କେତେ ନିକଟତର ଥିଲୁ ଏବଂ ବର୍ତ୍ତମାନର ସଙ୍କଟ ଏହାକୁ କେତେ ପଛକୁ ଠେଲିଦେଇଛି?
ସାଇମନ୍: ଇସ୍ରାଏଲର ସେଟଲର ଆନ୍ଦୋଳନ, ୱେଷ୍ଟବ୍ୟାଙ୍କ ଦଖଲ ଏବଂ ଗାଜା ଅବରୋଧ ଭଳି ପୃଷ୍ଠଭୂମିରେ ଓସଲୋ ଚୁକ୍ତିନାମା ଅନୁଯାୟୀ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ିବାରେ ପ୍ରତିବନ୍ଧକ ଥିଲା। ଯେପର୍ଯ୍ୟନ୍ତ ବସତିସ୍ଥାପନ ପ୍ରକ୍ରିୟା ବନ୍ଦ ନ ହୋଇଛି କିମ୍ବା ପାଲେଷ୍ଟାଇନକୁ ତା’ର ଜମି ଫେରସ୍ତ ଦିଆ ନ ଯାଇଛି, ସେ ପର୍ଯ୍ୟନ୍ତ ରାଜନୈତିକ ସମାଧାନ ସୁଦୂରପରାହତ। ପାଲେଷ୍ଟାଇନରେ ମଧ୍ୟ ଏକ ଦକ୍ଷ ଓ ଜନସାଧାରଣଙ୍କ ପାଇଁ ବିଶ୍ବାସଭାଜନ ସରକାରର ଆବଶ୍ୟକତା ରହିଛି।
ପ୍ର- ଉଭୟ ସାଧାରଣ ନାଗରିକ ତଥା ରାଜନୈତିକ ସ୍ତରରେ ହମାସ୍୍ ପ୍ରତି ପାଲେଷ୍ଟିନୀୟଙ୍କ ମଧ୍ୟରେ କେତେ ସମର୍ଥନ ଅଛି?
ସାଇମନ୍: ହମାସ୍୍ ଗାଜାରେ ନିର୍ବାଚିତ ହୋଇଥିଲା। ତେଣୁ ସେଠାରେ ଏହାର ବହୁତ ସମର୍ଥନ ରହିଛି। କିନ୍ତୁ ୱେଷ୍ଟବ୍ୟାଙ୍କରେ, ଯେଉଁଠାରେ ଅଧିକାଂଶ ପାଲେଷ୍ଟିନୀୟ ବାସ କରନ୍ତି, ସେଠାରେ କମ୍ ସମର୍ଥନ ଅଛି।
ପ୍ର- ଦୁଇ-ଦେଶ ପ୍ରତିଷ୍ଠା ମାଧ୍ୟମରେ ସମାଧାନର ଧାରଣା ମଉଳିଯାଇଛି କି?
ସାଇମନ୍: ଦୁଇ-ଦେଶ ପ୍ରତିଷ୍ଠା ମାଧ୍ୟମରେ ସମାଧାନର ଧାରଣା ମୃତପ୍ରାୟ। ଅଧିକାଂଶ ଦେଶ ପାଲେଷ୍ଟାଇନକୁ ଏକ ସ୍ବତନ୍ତ୍ର ଦେଶ ଭାବରେ ସ୍ୱୀକୃତି ଦିଅନ୍ତି ନାହିଁ। ପାଲେଷ୍ଟାଇନକୁ ଏକ ସ୍ବତନ୍ତ୍ର ଦେଶ ଭାବରେ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ସମାଧାନ ସମ୍ଭବ ନୁହେଁ।
ପ୍ର- ବିଶ୍ବ ଉପରେ ଯୁଦ୍ଧର ବ୍ୟାପକ ପ୍ରଭାବ କ’ଣ ପଡ଼ିବ?
ସାଇମନ୍: ଫ୍ରାନ୍ସରେ ପାଲେଷ୍ଟାଇନ ପ୍ରତି ଯେକୌଣସି ପ୍ରକାର ସମର୍ଥନକୁ ଅପରାଧ ଭାବେ ଗ୍ରହଣ କରିବାକୁ ଆହ୍ବାନ ଦିଆଯାଇଛି। ଇଂଲଣ୍ଡରେ ମଧ୍ୟ ସମାନ କାର୍ଯ୍ୟ କରିବାକୁ କୁହାଯାଇଛି। ଇସ୍ରାଏଲ ଉପରେ ମଧ୍ୟ ବର୍ତ୍ତମାନ ଗାଜାରେ ଚାଲିଥିବା ସାମରିକ କାର୍ଯାନୁଷ୍ଠାନକୁ ନେଇ ପ୍ରବଳ ଚାପ ପଡ଼ୁଛି।