ୱାସିଂଟନ: ୟୁକ୍ରେନ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଏବେ ଦୁଇ ଦେଶର ନେତା ଯଥା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ମଧ୍ୟରେ ମୁହାଁମୁହିଁ ବୈଠକ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ସଂଘର୍ଷ ଶେଷ ହେବା ପରେ ମସ୍କୋକୁ ତା’ର ପଡ଼ୋଶୀ ୟୁକ୍ରେନ ଉପରେ ପୁଣି ଥରେ ଆକ୍ରମଣ କରିବାରୁ ରୋକିବା ଉଦ୍ଦେଶ୍ୟରେ ଆମେରିକା ୟୁରୋପୀୟ ସୁରକ୍ଷା ଗ୍ୟାରେଣ୍ଟିକୁ ସମର୍ଥନ କରିବ। ତେବେ ସୁରକ୍ଷା ଗ୍ୟାରେଣ୍ଟି ଓ ଶାନ୍ତି ଆଲୋଚନାର ଯୋଜନା ସମ୍ପର୍କରେ ସେ କିଛି ସ୍ପଷ୍ଟ କରିନାହାନ୍ତି। ସୋମବାର ହ୍ୱାଇଟ୍ ହାଉସ୍‌ରେ ଟ୍ରମ୍ପ, ଜେଲେନସ୍କି ଓ ଅନ୍ୟ ୭ ଜଣ ୟୁରୋପୀୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବୈଠକ ହୋଇଥିଲା। ବୈଠକ ଶେଷରେ ନେତାମାନେ ଆଶା ବ୍ୟକ୍ତ କରିଥିଲେ ଯେ ଟ୍ରମ୍ପ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ତାଙ୍କର ପ୍ରଚାର ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଦ୍ରୁତ ଗତିରେ ପଦକ୍ଷେପ ନେବେ। ଟ୍ରମ୍ପ କହିଛନ୍ତି ଯେ ଏହି ବୈଠକରେ ସମସ୍ତେ ବହୁତ ଖୁସି ଅଛନ୍ତି।

Advertisment

ଇତିମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଟ୍ରମ୍ପଙ୍କ ସମ୍ମୁଖରେ ସୁରକ୍ଷା ଗ୍ୟାରେଣ୍ଟି ଓ ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍ ଏକ ବଡ଼ ଦାବି ରଖିଛି। ୟୁକ୍ରେନ୍ ଟ୍ରମ୍ପଙ୍କୁ ୧୦୦ ବିଲିୟନ ଡଲାରର ଆମେରିକୀୟ ଅସ୍ତ୍ରଶସ୍ତ୍ର କ୍ରୟ ପ୍ୟାକେଜକୁ ଅନୁମୋଦନ କରିବାକୁ ଦାବି କରିଛି। ଏହି କ୍ରୟ ପାଇଁ ୟୁରୋପ ଅର୍ଥ ପ୍ରଦାନ କରିବ। ରୁଷ୍ ସହ ଶାନ୍ତି ଚୁକ୍ତି ପରେ ଆମେରିକାର ଦୀର୍ଘମିଆଦୀ ନିରାପତ୍ତା ଗ୍ୟାରେଣ୍ଟି ସୁରକ୍ଷିତ କରିବା ପାଇଁ ୟୁକ୍ରେନ୍‌ର ପ୍ରୟାସର ଏକ ଅଂଶ ହେଉଛି ଏହି ପ୍ରସ୍ତାବ। ତା’ଛଡ଼ା କିବ୍ ମିଳିତ ଡ୍ରୋନ୍ ଉତ୍ପାଦନ ପାଇଁ ଆମେରିକୀୟ କମ୍ପାନିମାନଙ୍କ ସହ ୫୦ ବିଲିୟନ ଡଲାରର ଏକ ପୃଥକ୍ ଚୁକ୍ତି ପ୍ରସ୍ତାବ ଦେଇଛି। 

ଗତ ସପ୍ତାହରେ ଆଲାସ୍କାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନାର ତିନିଦିନ ପରେ ଟ୍ରମ୍ପ ଜେଲେନସ୍କି ଓ କେତେକ ୟୁରୋପୀୟ ସହଯୋଗୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହାଇପ୍ରୋଫାଇଲ୍ ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆଶ୍ୱାସନା ଦେଇଥିଲେ ଯେ ରୁଷ୍ ସହ କୌଣସି ଚୂଡ଼ାନ୍ତ ଶାନ୍ତି ଚୁକ୍ତି ଅଧୀନରେ ୟୁକ୍ରେନ୍‌ର ସୁରକ୍ଷା ସୁନିଶ୍ଚିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବୈଠକ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଗଣମାଧ୍ୟମକୁ କହିଛନ୍ତି, ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହେଉଛି ଆମେରିକା ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ ପାଇଁ ଆମ ସହ କାମ କରିବାକୁ ପ୍ରତିଶ୍ରୁତି ଦେଇଛି।