ପଣ୍ଡିତ ଜବାହରଲାଲ ନେହରୁ ୨୦ ନଭେମ୍ବର ୧୯୩୭ରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍‌) ସଂସ୍ଥା ଗଠନ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ବ୍ରିଟିଶ ସରକାର ବିରୋଧରେ ସ୍ୱର ଉତ୍ତୋଳନ ଲାଗି ବିଭିନ୍ନ ଭାଷାରେ ସମ୍ବାଦପତ୍ର ପ୍ରକାଶ କରିବା। ଇଂରାଜିରେ ନେସନାଲ ହେରାଲ୍ଡ, ଉର୍ଦ୍ଦୁରେ ‘କ୍ୱାମି ଆୱାଜ୍’ ଓ ହିନ୍ଦୀରେ ‘ନବଜୀବନ’ ପ୍ରକାଶ ପାଇଲା। ତେବେ ଏହା ବ୍ୟକ୍ତିଗତ ସଂପତ୍ତି ନ ଥିଲା। ଆରମ୍ଭରୁ ପ୍ରାୟ ୫ ହଜାର ସ୍ୱାଧୀନତା ସଂଗ୍ରାମୀ ଏହାର ସେୟାର୍ ହୋଲ୍ଡର୍ ଥିଲେ। ୯୦ ଦଶକରେ ଏହା କ୍ରମଶଃ କ୍ଷତି ସହିବାକୁ ଆରମ୍ଭ କଲା। ୨୦୦୮ ବେଳକୁ ଏଜେଏଲ୍‌ ଉପରେ ୯୦ କୋଟି ଟଙ୍କାରୁ ଅଧିକ ଋଣ ହୋଇଯାଇଥିଲା। କଂଗ୍ରେସ ୯୦ କୋଟିର ଋଣ ଦେବା ସତ୍ତ୍ୱେ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରି ନ ଥିଲା। ଫଳରେ ଏହାକୁ ବନ୍ଦ କରିଦେବା ଲାଗି ସୋନିଆ ଗାନ୍ଧି ନିର୍ଦ୍ଦେଶ ଦେଇଥିଲେ। ଖବରକାଗଜ ପ୍ରକାଶନ ବନ୍ଦ କରିବା ପରେ ଏହା ପ୍ରପର୍ଟି ବିଜ୍‌ନେସକୁ ଓହ୍ଲାଇଲା। ୨୦୧୦ ସୁଦ୍ଧା ଏଜେଏଲ୍‌ର ୧୦୫୭ ସେୟାର୍ ହୋଲଡର୍ ଥିଲେ। ସେହିବର୍ଷ ୟଙ୍ଗ୍ ଇଣ୍ଡିଆନ ଲିମିଟେଡ୍ (ୱାଇଆଇଏଲ୍‌) ନାମକ ଏକ ସଂସ୍ଥା ଗଠନ କରାଗଲା। ୨୦୧୦ରେ ନେସନାଲ ହେରାଲ୍ଡକୁ କିଣିଥିଲା ୟଙ୍ଗ୍ ଇଣ୍ଡିଆ ନାମକ କଂପାନି, ଯାହାର ବୋର୍ଡ ଅଫ୍ ଡିରେକ୍ଟର୍ସ ଥିଲେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି। କମ୍ପାନିର ୭୬ ପ୍ରତିଶତ ଅଂଶ ଥିଲା ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନାଁରେ। ବାକି ୨୪ ପ୍ରତିଶତ କଂଗ୍ରେସ ନେତା ମୋତିଲାଲ ବୋରା ଓ ଅସ୍କାର ଫର୍ଣ୍ଣାଣ୍ଡିଜ (ଉଭୟ ଏବେ ସ୍ବର୍ଗତ)ଙ୍କ ପାଖରେ ଥିଲା।

Advertisment

ସେୟାର ଟ୍ରାନ୍ସଫର ହୋଇଯିବା ପରେ ଏଜେଏଲ୍‌ର ସେୟାର ହୋଲ୍‌ଡରମାନେ ସାମନାକୁ ଆସିଗଲେ। ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତିଭୂଷଣ, ଆଲ୍ଲାହାବାଦ ଓ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମାର୍କଣ୍ଡେୟ କାଟଜୁଙ୍କ ସମେତ କେତେଜଣ ସେୟାରଧାରକ ଅଭିଯୋଗ କଲେ କି ୱାଆଇଏଲ୍‌ ଦ୍ବାରା ଏଜେଏଲ୍‌କୁ ଅଧିଗ୍ରହଣ କରାଯିବା ସମୟରେ ସେମାନଙ୍କୁ ନୋଟିସ ଦିଆଯାଇ ନ ଥିଲା। କେବଳ ସେତିକି ନୁହେଁ, ସେୟାର ଟ୍ରାନ୍ସଫର କରିବା ସମୟରେ ସେୟାର ହୋଲ୍‌ଡରମାନଙ୍କର ସହମତି ବି ନିଆଯାଇ ନ ଥିଲା। ଶାନ୍ତିଭୂଷଣ ଓ ମାର୍କଣ୍ଡେୟ କାଟଜୁଙ୍କ ପିତାଙ୍କ ନାମରେ ଏଜେଏଲ୍‌ର ସେୟାର ଥିଲା। ୨୦୧୨ ମସିହାରେ ବିଜେପି ନେତା ତଥା ନାମୀ ଓକିଲ ସୁବ୍ରମଣ୍ୟମ୍ ସ୍ୱାମୀ ନ୍ୟାସନାଲ ହେରାଲ୍ଡର ମାଲିକାନା ପରିବର୍ତ୍ତନକୁ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ। ସୋନିଆ, ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତା ମୋତିଲାଲ ବୋରା, ଅସ୍କାର ଫର୍ଣ୍ଣାଣ୍ଡିଜ, ସାମ୍ବାଦିକ ସୁମନ ଦୁବେ ଓ ଟେକ୍ନୋକ୍ରାଟ ସାମ ପିଟ୍ରୋଡାଙ୍କ ବିରୋଧରେ ସେ ଠକେଇ ଓ ଆସ୍ଥା ଭଙ୍ଗ ଅଭିଯୋଗ ଆଣିଥିଲେ। ସେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଥିଲା।

ୟଙ୍ଗ୍ ଇଣ୍ଡିଆ ନ୍ୟାସନାଲ ହେରାଲ୍ଡକୁ କିଣିବା ଦ୍ୱାରା ସଂସ୍ଥା ନାଁରେ ଥିବା ୨ ହଜାର କୋଟିରୁ ଅଧିକ ଟଙ୍କାର ସଂପତ୍ତି ସୋନିଆ ଓ ରାହୁଲଙ୍କ ନିକଟକୁ ଚାଲି ଯାଇଥିବା ସ୍ବାମୀ ଅଭିଯୋଗ କରିଥିଲେ। ସେହିପରି ମାତ୍ର ୫୦ ଲକ୍ଷ ଟଙ୍କା ବଦଳରେ ନେସନାଲ ହେରାଲ୍ଡକୁ କଂଗ୍ରେସ ଦେଇଥିବା ୯୦ କୋଟି ଟଙ୍କାର ଋଣ ପରିଶୋଧ ହୋଇଯାଇଥିବା ଦର୍ଶାଯାଇଥିଲା । ଅର୍ଥାତ୍ ନେସନାଲ ହେରାଲ୍ଡକୁ ୮୯.୫ କୋଟିର ଋଣ ଛାଡ଼ କରାଯାଇଥିବା ସ୍ୱାମୀ ଉଲ୍ଲେଖ କରିଥିଲେ। ସ୍ବାମୀଙ୍କ କହିବା ଅନୁସାରେ କଂଗ୍ରେସ ପାର୍ଟି ଫଣ୍ଡରୁ ଯେଉଁ ୯୦ କୋଟି ଟଙ୍କାର ଋଣ ଦେଇଥିଲା ତାହା ଅବୈଧ କାରଣ କୌଣସି ଦଳ ତୃତୀୟ ପକ୍ଷ ସହ ଆର୍ଥିକ କାରବାରରେ ଜଡ଼ିତ ହେବା ବେଆଇନ।