ଜିଡିପି ଅଭିବୃଦ୍ଧି
ଭାରତ
ଆଇଏମ୍‌ଏଫ୍‌ର ଆକଳନ ଅନୁଯାୟୀ ଭାରତର ଅଭିବୃଦ୍ଧି ୨୦୨୨-୨୩ରେ ୮.୨ ପ୍ରତିଶତ ରହିବ। ବିଶ୍ବବ୍ୟାଙ୍କର ଆକଳନ କହୁଛି ଅଭିବୃଦ୍ଧି ୮ ପ୍ରତିଶତ ରହିବ। ତେବେ ରିଜର୍ଭ ବ୍ୟାଙ୍କର ଆକଳନ ଅନୁଯାୟୀ ଭାରତ ୨୦୨୨-୨୩ରେ ୭.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ।

Advertisment

ଶ୍ରୀଲଙ୍କା
ଶ୍ରୀଲଙ୍କାର ହାରାହାରି ଅର୍ଥନୈତିକ ଅଭିବୃଦ୍ଧି ୨୦୧୦ରୁ ୨୦୧୬ ମଧ୍ୟରେ ୬.୨ ପ୍ରତିଶତ ରହିଥିଲା। ଉଦୀୟମାନ ଅର୍ଥନୀତିଗୁଡ଼ିକ ପାଇଁ ସେହି ସମୟରେ ଶ୍ରୀଲଙ୍କାର ଅଭିବୃଦ୍ଧି ଉଦାହରଣ ପାଲଟିଥିଲା। କିନ୍ତୁ ତା’ ପର ୩ ବର୍ଷରେ ଶ୍ରୀଲଙ୍କାର ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସିଯାଇଥିଲା। ୨୦୨୨ରେ ଅଭିବୃଦ୍ଧି ୨.୪ ପ୍ରତିଶତକୁ କମିବ ବୋଲି ଆକଳନ କରାଯାଇଛି। ତେବେ ଏ ନେଇ କୌଣସି ନିଶ୍ଚିତତା ନାହିଁ।

publive-image IndiaTv

ଦରଦାମ୍ ସ୍ଥିତି
ଭାରତ
ଭାରତ ପାଇଁ ‌ଖାଦ୍ୟସାମଗ୍ରୀ ସମେତ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦରବୃଦ୍ଧି ଚିନ୍ତାଜନକ ରହିଛି। କିନ୍ତୁ ଭାରତର ମୁଦ୍ରାସ୍ଫୀତି ହାର ଶ୍ରୀଲଙ୍କା ତୁଳନାରେ ଯଥେଷ୍ଟ କମ ରହିଛି। ମୁଦ୍ରାସ୍ଫୀତିକୁ ୨ରୁ ୬ ପ୍ରତିଶତ ମଧ୍ୟରେ ରଖିବା ଲାଗି ସରକାର ରିଜର୍ଭ ବ୍ୟାଙ୍କକୁ ଟାର୍ଗେଟ ଦେଇଛନ୍ତି। କିନ୍ତୁ ଭାରତର ମୁଦ୍ରାସ୍ଫୀତି ଗତ କିଛିମାସ ହେଲା ଏହାଠାରୁ ଯଥେଷ୍ଟ ଅଧିକ ରହିଛି। ଜୁନ ମାସର ଖୁଚୁରା ମୁଦ୍ରାସ୍ଫୀତି ୭.୦୧ ପ୍ରତିଶତ ରହିଛି।

ଶ୍ରୀଲଙ୍କା
ଏପ୍ରିଲ ମାସରେ ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ରେକର୍ଡ ୨୯.୮ ପ୍ରତିଶତରେ ଥିବାବେଳେ ଜୁନ୍‌ରେ ଏହା ୫୪.୬ ପ୍ରତିଶତରେ ପହଞ୍ଚିଛି। କ୍ରମାଗତ ଭାବେ ୮ ମାସ ହେଲା ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ହୁ ହୁ ହୋଇ ବଢ଼ିଚାଲିଛି। ଖାଦ୍ୟସାମଗ୍ରୀର ଦରବୃଦ୍ଧି ଆକାଶଛୁଆଁ ରହିଛି। ସେହିଭଳି ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ମଧ୍ୟ ବହୁମାତ୍ରାରେ ବଢ଼ିଚାଲିଛି।

publive-image DNA India

ସୁଧ ହାର
ଭାରତ
ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୦ ମେ ମାସରୁ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିଲା। କରୋନା ମହାମାରୀ ବେଳେ ଦେଶର ଅଭିବୃଦ୍ଧିକୁ ଅବ୍ୟାହତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ସୁଧହାରକୁ କମ୍ ସ୍ତରରେ ରଖିଥିଲା। କିନ୍ତୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଗତ ଦୁଇମାସରେ ରେପୋ ହାରରେ ୦.୯୦ ପ୍ରତିଶତ ବୃଦ୍ଧି କରିଛି।

ଶ୍ରୀଲଙ୍କା
ଗତ ମାର୍ଚ୍ଚ ମାସରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧହାର ବଢ଼ାଇଥିଲା। ଏଥିସହିତ ଅଣଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ନକରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଥିଲା। ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରକୁ ଇତିମଧ୍ୟରେ ଯଥେଷ୍ଟ ବୃଦ୍ଧି କରିଛି। ଗତବର୍ଷ ନଭେମ୍ବରରେ ବ୍ୟାଙ୍କ ସୁଧ ହାର ୯ ପ୍ରତିଶତ ଥିବାବେଳେ ମେ ମାସରେ ଏହା ୧୭.୫ ପ୍ରତିଶତରେ ପହଞ୍ଚିଛି। ସେହିଭଳି ଷ୍ଟାଣ୍ଡିଙ୍ଗ ଡିପୋଜିଟ୍ ଫାସିଲିଟି ରେଟ୍‌ ୬ ମାସ ମଧ୍ୟରେ ୫ ପ୍ରତିଶତରୁ ୧୩.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିଭଳି ଋଣ ସୁଧ ହାର ମଧ୍ୟ ୧୯.୩୬ ପ୍ରତିଶତ ଭଳି ସ୍ତରରେ ରଖାଯାଇଛି। ଦରଦାମ ନିୟନ୍ତ୍ରଣ ପାଇଁ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ମୋଟାମୋଟି ଭାବେ ୭ ପ୍ରତିଶତ ବୃଦ୍ଧି କରିଛି।

ମୁଦ୍ରା‌

ଭାରତ
ଭାରତର ମୁଦ୍ରା ମୂଲ୍ୟ ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। କିନ୍ତୁ ଶ୍ରୀଲଙ୍କା ଭଳି ସ୍ଥିତି ହୋଇନାହିଁ। ଭାରତରେ ୧ ଡଲାରର ମୂଲ୍ୟ ପାଖାପାଖି ୮୦ ଟଙ୍କା ରହିଛି। ଏଥିପାଇଁ ଭାରତକୁ ଆମଦାନି ମହଙ୍ଗା ହୋଇଯାଇଛି। ସେହିଭଳି ବିଦେଶରେ ଭାରତୀୟଙ୍କ ପାଠପଢ଼ା ଏବଂ ବୁଲିଯିବା ଆଦି ଖର୍ଚ୍ଚ ମହଙ୍ଗା ହୋଇଛି।

ଶ୍ରୀଲଙ୍କା
ଶ୍ରୀଲଙ୍କା ଟଙ୍କାର ବିନିମୟ ମୂଲ୍ୟ ବହୁମାତ୍ରାରେ ହ୍ରାସ ପାଇଛି। ଗତ ମାର୍ଚ୍ଚ ୯ ତାରିଖରେ ଶ୍ରୀଲଙ୍କା ସରକାର ମୁଦ୍ରା ମୂଲ୍ୟରେ ଅବମୂଲ୍ୟାୟନ କରିଥିଲେ। ଏହାସତ୍ତ୍ବେ ଏହି ମୁଦ୍ରା ଦୁର୍ବଳ ହେବାରେ ଲାଗିଛି। ବର୍ଷ ଆରମ୍ଭରେ ଗୋଟିଏ ଡଲାର ମୂଲ୍ୟ ଶ୍ରୀଲଙ୍କାର ୨୦୦ ଟଙ୍କା ସହିତ ସମାନ ଥିବାବେଳେ ମେ ମାସ ବେଳକୁ ଏହା ପ୍ରାୟ ୩୬୦ ଟଙ୍କା ସ୍ତରକୁ ହ୍ରାସ ପାଇଛି।