ଅର୍ପିତାଙ୍କୁ ନେଇ ବଢ଼ୁଛି ଟିଏମ୍‌ସି ଅଡ଼ୁଆ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି କ’ଣ?

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ପଶ୍ଚିମବଂଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢ଼ଉ କରି ୨୧କୋଟିରୁ ଅଧିକ ଟଙ୍କା ଏବଂ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଜବତ କରିଥିଲେ। ତେବେ ପ୍ରଶ୍ନ ଉଠୁଛି ଅର୍ପିତା ମୁଖାର୍ଜୀ କିଏ ଏବଂ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତି କ’ଣ ? ଇଡି ଅଧିକାରୀମାନେ କହିଛନ୍ତି, ମୁଖାର୍ଜୀ ହେଉଛନ୍ତି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ। ତେବେ ଅର୍ପିତାଙ୍କ ଘରୁ ବିପୁଳ ଟଙ୍କା ଜବତ ହେବା ପରେ ଶାସକ ଟିଏମ୍‌ସିର ଅଡ଼ୁଆ ବଢ଼ିବାରେ ଲାଗିଛି। ପାର୍ଥଙ୍କ ସମେତ ଅନ୍ୟ କେତେକ ମନ୍ତ୍ରୀଙ୍କ ସହ ମଧ୍ୟ ଅର୍ପିତାଙ୍କ ସଂପର୍କ ଏବେ ଚର୍ଚ୍ଚାକୁ ଆସିଛି। ଜବତ ୨୧ କୋଟି ଟଙ୍କା ନେତାମାନଙ୍କ ଲାଞ୍ଚ ଅର୍ଥ ବୋଲି ଅର୍ପିତା ଜେରା ବେଳେ ସ୍ବୀକାର କରିଥିବାରୁ ଆଗକୁ ଏହା ଟିଏମ୍‌ସିରେ ଭୂକମ୍ପ ଆଣିପାରେ।

ଟିଏମ୍‌ସି ନେତା କୁନାଲ ଘୋଷ କହିଛନ୍ତି, ଦଳର ଏଥିରେ କିଛି ସମ୍ପୃକ୍ତି ନାହିଁ ଏବଂ ଦଳ ଠିକ୍‌ ସମୟରେ ଜବାବ ଦେବ। ଅନ୍ୟପକ୍ଷେ ଏକ ଫଟୋ ଏବେ ଭାଇରାଲ୍‌ ହେଉଛି। ଏହି ଫଟୋରେ ଅର୍ପିତା ମୁଖାର୍ଜୀଙ୍କୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ପାର୍ଥ ଚାଟାର୍ଜୀ ଏବଂ ସୁବ୍ରତ ବକ୍ସିଙ୍କ ସହ ଏକ ମଞ୍ଚରେ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଟିଏମ୍‌ସି ସାଂସଦ ଶାନ୍ତନୁ ସେନ୍‌ କହିଛନ୍ତି, ଅର୍ପିତା ମୁଖାର୍ଜୀଙ୍କ ନାମରେ କୌଣସି କର୍ମୀ ଏବଂ ନେତାଙ୍କୁ ମୁଁ ଜାଣିନାହିଁ। ମଡେଲ ତଥା ଅଭିନେତ୍ରୀ ଅର୍ପିତା ମନ୍ତ୍ରୀ ଚାଟାର୍ଜୀଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ସବୁ ମହଲରେ ପରିଚିତ ଥିଲେ। ଗତ ୬ରୁ ୭ ବର୍ଷ ହେବ ସେ ନେଲ୍‌ ଆର୍ଟକୁ ନେଇ ୨-୩ଟି ଆଉଟଲେଟ୍‌ ଖୋଲିଛନ୍ତି। ଅଧିକାଂଶ ସମୟରେ ସେ ବେଲଘରିଆ ସ୍ଥିତ ତାଙ୍କ ପୈତୃକ ଗୃହରେ ନିଜ ମା’ଙ୍କ ସହ ରହନ୍ତି।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି କ’ଣ?
କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚା‌ଟାର୍ଜୀଙ୍କୁ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନିଲଣ୍ଡରିଂ ନିରୋଧ ଆଇନ ବଳରେ ଗିରଫ କରାଯାଇଛି। ୨୦୧୪ରେ ଚାଟାର୍ଜୀ ଯେତେବେଳେ ଶିକ୍ଷାମନ୍ତ୍ରୀ ଥିଲେ ସେତେବେଳେ ଏହି ଦୁର୍ନୀତି ଘଟିଥିଲା। ୨୦୧୪ରେ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଏସ୍‌ଏସ୍‌ସି) ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଜାରି କଲେ। ୨୦୧୬ରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲା। ତେବେ କାଲ୍‌କାଟା ହାଇକୋର୍ଟରେ ଏହି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅନେକ ପିଟିସନ ଦାଏର ହେବାକୁ ଲାଗିଲା। ପିଟିସନରମାନେ ଅଭିଯୋଗ କରିଥିଲେ ଯେ ଅନେକ ପରୀକ୍ଷାର୍ଥୀ କମ୍ ମାର୍କ ରଖିଥିଲେ ମଧ୍ୟ ମେଧା ତାଲିକାରେ ସେମାନଙ୍କ ନାମ ଉପରେ ସ୍ଥାନ ପାଇଛି। ମେଧା ତାଲିକାରେ ନାଁ ନ ଥିବା ପ୍ରାର୍ଥୀଙ୍କୁ ମଧ୍ୟ ଶିକ୍ଷକ ଭାବେ ଚାକିରି ମିଳିଛି। ଦ୍ବିତୀୟ ମାମଲାରେ ୨୦୧୬ରେ ପଶ୍ଚିମବଙ୍ଗ ସରକାର ୧୩୦୦୦ ଗ୍ରୁପ୍-ଡି କର୍ମଚାରୀଙ୍କୁ ସରକାରୀ ସ୍କୁଲ୍‌ଗୁଡ଼ିକରେ ନିଯୁକ୍ତି ଦେବାକୁ ‌ବିଜ୍ଞପ୍ତି ଜାରି କଲେ। ୨୦୧୯ରେ ନିଯୁକ୍ତି ପ୍ୟାନେଲର ଅବଧି ପୂରିବା ପରେ ମଧ୍ୟ ବହୁ ସଂଖ୍ୟାରେ ବେଆଇନ ନିଯୁକ୍ତି ହୋଇଥିବା ଅଭିଯୋଗ ହେଲା। ହାଇକୋର୍ଟ ନିର୍ଦ୍ଦେଶ ପରେ ଏବେ ଏହି ମାମଲାରେ ତଦନ୍ତ ତ୍ବରାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର