ଜାଣନ୍ତୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ‘ମୃତ୍ୟୁ ପରୱାନା’ରେ କ’ଣ ଲେଖାଯାଇଛି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଶୁକ୍ରବାର ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଫାଶୀର ନୂତନ ତାରିଖ ଘୋଷଣା କରିଛନ୍ତି । କୋର୍ଟର ଅତିରିକ୍ତ ସେସନ୍‌ ଜଜ୍‌ ସତିଶ ଆରୋରା ଆଜି ପୁଣି ଥରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ‘ମୃତ୍ୟୁ ପରୱାନା’ ଜାରି କରିଛନ୍ତି। ସେ ପୂର୍ବରୁ ମଧ୍ୟ ଜାନୁଆରି ୨୨ରେ ଦୋଷୀଙ୍କ ଫାଶୀ ଲାଗି ‘ମୃତ୍ୟୁ ପରୱାନା’ ଦସ୍ତଖତ କରିଥିଲେ।

ଆଜି ଫାଶୀର ନୂଆ ତାରିଖ ଘୋଷଣା ପୂର୍ବରୁ ଜଷ୍ଠିସ ଆରୋରା ଉଭୟ ସରକାରୀ ପକ୍ଷ ଓ ଦୋଷୀଙ୍କ ପକ୍ଷର ଯୁକ୍ତି ଶୁଣିଥିଲେ। ଦୋଷୀଙ୍କ ପକ୍ଷର ଓକିଲ ଯୁକ୍ତି ବାଢ଼ିଥିଲେ କି ସୁପ୍ରିମ୍‌କୋର୍ଟରେ ମାମଲାର ଅନ୍ୟତମ ଦୋଷୀ ପୱନ ଗୁପ୍ତାର ଏକ ଲିଭ୍‌ ପିଟିସନ୍‌ ବିଚାର ଅପେକ୍ଷାରେ ରହିିଛି। ଅପରାଧ ଘଟାଇବା ସମୟରେ ଦୋଷୀ ନାବାଳକ ଥିଲା ତେଣୁ ଦଣ୍ଡକୋଳହ କରାଯାଉ ବୋଲି ଆବେଦନ କରାଯାଇଛି। ଏହାର ପ୍ରମାଣ ସ୍ବରୂପ ସେ ପୱନ ଗୁପ୍ତାର ବୟସ ପ୍ରମାଣ ପତ୍ର କୋର୍ଟରେ ଦାଖଲ କରିବେ। ଏହି କାରଣରୁ ଫାଶୀ ତାରିଖ ଘୋଷଣା କରା ନଯାଉ ବୋଲି ଯୁକ୍ତି ରଖିଥିଲେ ଦୋଷୀଙ୍କ ପକ୍ଷ। ମାତ୍ର ଜଷ୍ଟିସ୍‌ ଅରୋରା ଏହାକୁ ଗ୍ରହଣ ନକରି ଧାଡ଼ିକିଆ ରାୟ ଜାରି କରିଥିଲେ। ସେ ତାଙ୍କ ରାୟରେ ଲେଖିଥିଲେ- ‘ମୁଁ ଫେବ୍ରୁଆରି ୧ ତାରିଖ ସକାଳ ୬ଟା ଲାଗି ମୃତ୍ୟୁ ପରୱାନା ଜାରି କରୁଛି।’

ରାଜକ୍ଷମା ଆବେଦନ ଉପରେ ଫଏସଲା ନ ହେବା ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି ଦର୍ଶାଇ ଦୋଷୀ ମୁକେଶ ସିଂହ ପକ୍ଷରୁ ତଳ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଗତକାଲି ରାଜକ୍ଷମା ଆବେଦନ ସଂପର୍କରେ ରାଷ୍ଟ୍ରପତିଙ୍କ ରାୟ ଆସି ନ ଥିବାରୁ କୋର୍ଟ ୨୨ ତାରିଖରେ ମୃତ୍ୟୁ ପରୱାନା କାର୍ଯ୍ୟକାରୀ ହୋଇପାରିବ ନାହିଁ  ବୋଲି ମନ୍ତବ୍ୟ ରଖି ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଫାଶୀ ନ ହେବା ନେଇ ରିପୋର୍ଟ ମାଗିଥିଲେ।

ସମ୍ବନ୍ଧିତ ଖବର