ନୂଆଦିଲ୍ଲୀ: ଦେଶର ବୃହତ୍ତମ ରାଜନୈତିକ ଦଳ ଏଭଳି ‘ଗୁଣ୍ଡାଗିରି’ରେ ମାତି ଯୁବସମାଜକୁ କି ପ୍ରକାର ବାର୍ତ୍ତା ଦେଉଛି ବୋଲି ଆଜି ‘ବିଜେପି’କୁ ପରୋକ୍ଷଭାବେ ସମାଲୋଚନା କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି।
ବୁଧବାର ଦିନ ଜାତୀୟ ରାଜଧାନୀରେ ଥିବା ତାଙ୍କ ସରକାରୀ ବାସଭବନ ବାହାରେ ହୋଇଥିବା ଭଙ୍ଗାରୁଜା ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, କେଜ୍ରିୱାଲ୍ ମହାନ୍ ନୁହେଁ। ଦେଶ ପାଇଁ ମୁଁ ଜୀବନ ଉତ୍ସର୍ଗ କରିପାରିବ। ଦେଶ ମହାନ୍। ଆମେ ଏକତ୍ର ହୋଇ ଦେଶର ଅଗ୍ରଗତି କରାଇବା ଆବଶ୍ୟକ।
ସେ ଆହୁରି ମଧ୍ୟ କହିଛନ୍ତି, ବାଦବିବାଦ କରି ଆମେ ୭୫ ବର୍ଷ ନଷ୍ଟ କରି ସାରିଛନ୍ତି। ଗୁଣ୍ଡାଗିରିଦ୍ବାରା ଦେଶକୁ ସମୃଦ୍ଧ କରି ହେବନାହିଁ। ଏକବିଂଶ ଶତାବ୍ଦୀର ଭାରତ ପାଇଁ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳାରେ କାର୍ଯ୍ୟ କରିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ, ‘ଦି କଶ୍ମୀର ଫାଇଲ୍ସ୍’ ଉପରେ କେଜ୍ରିୱାଲ୍ ଦେଇଥିବା ମନ୍ତବ୍ୟ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ଲାଗି ବୁଧବାର ଦିନ ପ୍ରାୟ ‘ଭାରତୀୟ ଜନତା ଯୁବ ମୋର୍ଚ୍ଚା’ର ପ୍ରାୟ ୨୦୦ କର୍ମୀ ‘ଆଇପି କଲେଜ୍’ ନିକଟ ଲିଙ୍କ୍ ରୋଡ୍ରେ ଥିବା କେଜ୍ରିୱାଲ୍ଙ୍କ ବାସଭବନ ବାହାରେ ଏକତ୍ର ହୋଇଥିଲେ।
‘ଦି କଶ୍ମୀର ଫାଇଲ୍ସ୍’ର ପ୍ରଚାର କରୁଛି କହି ଦିଲ୍ଲୀ ବିଧାନସଭାରେ ପ୍ରଦାନ କରିଥିବା ଭାଷଣରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ୍ ‘ବିଜେପି’କୁ ତୀବ୍ର ସମାଲୋଚନା କରିଥିଲେ।
ପୁଲିସ କହିବା ଅନୁସାରେ, ଘଟଣା ସମୟରେ କେଜ୍ରିୱାଲ୍ ଘରେ ଉପସ୍ଥିତ ନ ଥିଲେ।
କେଜ୍ରିୱାଲ୍ଙ୍କ ବାସଭବନରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି। ଏଥିରେ ଜଡ଼ିତ ଥିବା ଆହୁରି କିଛି ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି। ଏଥିପାଇଁ ଦିଲ୍ଲୀ ପୁଲିସର ୬ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।