ବାବୁ ଓ ନେତାଙ୍କ ପାଇଁ ଦେଶ ଆଉ କ’ଣ ଅଧିକ କରିପାରିବ!

ନୂଆଦିଲ୍ଲୀ: ଛତିଶଗଡ଼ର ଜଣେ ସରକାରୀ ବାବୁ କେବଳ ତାଙ୍କ ମୋବାଇଲ ଫୋନ୍‌ ପାଇଁ ପୂରା ଜଳଭଣ୍ଡାର ଶୁଖାଇ ଦେଲେ । ବାବୁ ଜଣଙ୍କ ୨୧ ଲକ୍ଷ ଲିଟର ଜଳ ନଷ୍ଟ କରିଦେଲେ। ଲୋକଙ୍କ ଚାଷଜମିକୁ ଜଳସେଚନ ପାଇଁ ଉଦ୍ଦିଷ୍ଟ ଥିବା ଜଳଭଣ୍ଡାରର ଜଳ ବ୍ୟକ୍ତିଗତ କାରଣ ପାଇଁ ନଷ୍ଟ କଲାବେଳେ ଏହି ବାବୁଙ୍କର କିଛି ବି ଅନୁଶୋଚନା ନଥିଲା। କାରଣ ତାଙ୍କ ପାଇଁ ତାଙ୍କ ଦାମୀ ଫୋନ୍‌ ଥିଲା ଅଧିକ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ସେ ନିଜ କ୍ଷମତା ବଳରେ ଜଳଭଣ୍ଡାରରୁ ଜଳ ଖାଲି କରିଦେଲେ। ଏହି ବାବୁ ଜଣଙ୍କ ନାମ ରାଜେଶ ବିଶ୍ବାସ। ତେବେ ସେ ଏକା ନୁହନ୍ତି, ଦେଶରେ ଏପରି ଅନେକ ବାବୁ ଏବଂ ନେତାମାନେ ଅଛନ୍ତି ଯେଉଁମ‌ାନେ ନିଜ ବ୍ୟକ୍ତିଗତ କାରଣ ପାଇଁ ସରକାରୀ ସମ୍ପତ୍ତିକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରିଛନ୍ତି। ଏହାର କେତେକ ଦୃଷ୍ଟାନ୍ତ-

ସାଂସଦଙ୍କ ବଙ୍ଗଳାରୁ ପଣସ ଚୋରକୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ

୨୦୧୪ରେ ଦିଲ୍ଲୀ ପୁଲିସ ନିକଟରେ ଏକ ଅଭିଯୋଗ ହୋଇଥିଲା ଯେ ଜେଡିୟୁର ତତ୍କାଳୀନ ରାଜ୍ୟସଭା ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ତୁଗଲକ ରୋଡ୍‌ ବଙ୍ଗଳାରୁ ୨ଟି ପଣସ ଚୋରି ହୋଇଛି। ସାଂସଦଙ୍କ ବ୍ୟକ୍ତିଗତ ସହଯୋଗୀ ଏହି ଅଭିଯୋଗ ଦାଏର କରିଥିଲେ। ମାନ୍ୟବର ପ୍ରଭାବଶାଳୀ ସାଂସଦଙ୍କ ମାମଲାକୁ ଦିଲ୍ଲୀ ପୁଲିସ ଅବହେଳା କରିବ କେମିତି। ମାମଲାର ଫଏସଲା ପାଇଁ ତୁରନ୍ତ ୧୦ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇ ତନାଘନା ଚାଲିଲା। ପରେ ଜଣାପଡ଼ିଲା ଯେ କିଛି ପିଲା ଏହି ପଣସ ଚୋରି କରି‌ନେଇଛନ୍ତି।

ଆଜମ ଖାନ୍‌ଙ୍କ ମଇଁଷି ଖୋଜିବାପାଇଁ ସ୍ବତନ୍ତ୍ର ଟିମ୍‌, ସ୍ନାଇଫର ଡଗ୍‌ ମୁତୟନ

୨୦୧୪ରେ ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାରରେ ଆଜମ ଖାନ୍‌ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। ଆଜମ ଖାନ୍‌ ତାଙ୍କ ଫାର୍ମହାଉସ୍‌ରୁ ୭ଟି ମଇଁଷି ଗାଏବ ହେଇଥିବା ନେଇ ରାମପୁର ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ହେବାପରେ ତତ୍କାଳୀନ ଏସ୍‌ପି ସାଧନା ଗୋସ୍ବାମୀଙ୍କ ନେତୃତ୍ବରେ ଏକ ବିଶାଳ ପୁଲିସ ଟିମ୍‌ ଚୋରି ହୋଇଥିବା ମଇଁଷି ଖୋଜିବା ଆରମ୍ଭ କରିଥିଲେ। ଦାୟିତ୍ବରେ ଅବହେଳା ପାଇଁ ୩ ପୁଲିସ ନିଲମ୍ବିତ ମଧ୍ୟ ହୋଇଥିଲେ। ରାମପୁର ପୁଲିସ ସ୍ନାଇଫର ଡଗ୍‌ ମୁତୟନ କରିଥିଲା। ପରେ ପୁଲିସ ବିଭିନ୍ନ ସ୍ଥାନରୁ ମଇଁଷିଗୁଡ଼ିକୁ ଉଦ୍ଧାର କରିଥିଲା।

ସାଂସଦଙ୍କ ପତ୍ନୀଙ୍କ ଲାବ୍ରାଡର ଖୋଜିବା ପାଇଁ ପୁଲିସ ଫୋର୍ସ ମୁତୟନ

୨୦୧୬ରେ ଆଗ୍ରାର ତତ୍କାଳୀନ ସାଂସଦ ରାମ ଶଙ୍କର କଠେରିଆଙ୍କ ପତ୍ନୀ ମୃଦୁଳା କଠେରିଆଙ୍କ ପେଟ୍‌ ଲାବ୍ରାଡର ‘କାଳୁ’ ହଜିଯିବାପରେ ସେ ପୁଲିସରେ ଅଭିଯୋଗ କରିଥିଲେ। ସାଂସଦଙ୍କ ପତ୍ନୀ କହିଥିଲେ ଯଦି ଉତ୍ତରପ୍ରଦେଶ ମନ୍ତ୍ରୀ ଆଜମ ଖାନ୍‌ଙ୍କ ମଇଁଷିକୁ ଖୋଜିବାପାଇଁ ପୁଲିସ ଫୋର୍ସ ମୁତୟନ ହେଉଛି ତେବେ ମୋ ଲାବ୍ରାଡର ଖୋଜିବାପାଇଁ କାହିଁକି ପୁଲିସ ତତ୍ପର ନୁହେଁ। ଏହାପରେ ଆଗ୍ରା ପୁଲିସ ଯୁଦ୍ଧସ୍ତରରେ ତଲାସୀ ଚଳାଇଲା ଏବଂ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ଲାବ୍ରାଡରକୁ ଖୋଜି ବାହାର କରିଥିଲା।

ଆଇଏଏସ୍‌ ଦମ୍ପତିଙ୍କ କୁକୁର ବୁଲିବା ପାଇଁ ଷ୍ଟାଡିୟମ ଖାଲି କରାଯାଇଛି

ଦିଲ୍ଲୀ ଷ୍ଟାଡିୟମରେ ପ୍ରାକ୍ଟିସ କରୁଥିବା ଆଥଲେଟ୍‌ମାନେ ଗତବର୍ଷ ଅଭିଯୋଗ କରିଥିଲେ ଯେ ସେମାନଙ୍କ ସନ୍ଧ୍ୟାବେଳର ଟ୍ରେନିଂ ସମୟ କାଣ୍ଟଛାଣ୍ଟ୍‌ କରାଯାଇଛି। ଏହାର କାରଣ ହେଉଛି ଏକ ଆଇଏଏସ୍‌ ଦମ୍ପତି ସେମାନଙ୍କ କୁକୁରକୁ ରେସିଂ ଟ୍ରାକ୍‌ରେ ଚଲାଇବେ। ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମର ‌ଆଥଲେଟ୍‌ମାନେ ଗତବର୍ଷ ମେ’ରେ ଏହି ଅଭିଯୋଗ କରିଥିଲେ। ଆଇଏଏସ୍‌ ଦମ୍ପତି ସଂଜୀବ ଖିରୱାଡ଼ ଏବଂ ରିଙ୍କୁ ଢୁଗାଙ୍କୁ ନେଇ ବିବ‌ାଦ ବଢ଼ିଥିଲା। ଶେଷ ସେମାନଙ୍କୁ ଦିଲ୍ଲୀରୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଗଲା।

ସମ୍ବନ୍ଧିତ ଖବର