ମୁମ୍ବାଇ: ଭାରତୀୟ ରାଜନୀତି ଏବଂ ବିଶେଷ ଭାବେ କଂଗ୍ରେସ ରାଜନୀତିରେ ଗୋଟିଏ ସବୁଠାରୁ ବଡ଼ ପ୍ରଶ୍ନ; କ’ଣ ରାଜୀବ ତନୟା ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ? ଏ ପ୍ରଶ୍ନ ବାବଦରେ କଂଗ୍ରେସ ଦଳ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି। ଖୋଦ୍‌, ପ୍ରିୟଙ୍କା ମଧ୍ୟ ସବୁବେଳେ ହସି ହସି ନିରବରେ ଏ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି। ତେବେ, ସାପ୍ତାହିକ ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଆୟୋଜିତ କନ୍‌କ୍ଲେଭ୍‌-୨୦୧୮ରେ ଯୋଗଦେବା ଅବସରରେ ସୋନିଆ ଗାନ୍ଧୀ ଏ ପ୍ରଶ୍ନର ଉତ୍ତର ରଖିଛନ୍ତି।

Advertisment

‘ଇଣ୍ଡିଆ ଟୁଡେ’ର ଗ୍ରୁପ୍‌ ଏଡିଟର-ଇନ୍‌-ଚିଫ୍‌ ଅରୁଣ ପୁରିଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୋନିଆ କହିଛନ୍ତି ଯେ ପ୍ରିୟଙ୍କାର ପିଲାମାନେ ଏବେ ଛୋଟ ଅଛନ୍ତି ଏବଂ ପାଠ ପଢ଼ୁଛନ୍ତି। ସେମାନଙ୍କୁ ପଢ଼ାଇବା, ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବାର ଅଛି, ତେଣୁ ଏ ପରିସ୍ଥିତିରେ ପିଲାମାନଙ୍କର ମା’ଭାବେ ପ୍ରିୟଙ୍କା ନିଷ୍ପତ୍ତି ନେବ ସେ ପୂର୍ଣ୍ଣକାଳୀନ ସମୟ ରାଜନୀତିରେ ଦେଇପାରିବ ନା ନାହିଁ। ପ୍ରତ୍ୟକ୍ଷ ବା ନିର୍ବାଚନୀ ରାଜନୀତିକୁ ଆସିବ ନା ନାହିଁ।

publive-image

ହେଲେ, ପୂର୍ଣ୍ଣକାଳୀନ ନ ହେଲେ ବି କଂଗ୍ରେସ ରାଜନୀତିରେ ପ୍ରୟଙ୍କା ସକ୍ରିୟ ଅଛନ୍ତି ବୋଲି କହିଛନ୍ତି ସୋନିଆ। ନିର୍ବାଚନ କାଳରେ ଦଳର ପ୍ରଚାର ଓ ନିର୍ବାଚନ ପରିଚାଳନା ପାଇଁ ଉଭୟ ସୋନିଆ ଓ ରାହୁଲ ଯେତେବେଳେ ଦେଶର ଅନ୍ୟ ନିର୍ବାଚନ ମଣ୍ଡଳୀମାନଙ୍କରେ ବ୍ୟସ୍ତ ରହୁଛନ୍ତି, ସେତେବେଳେ ଉଭୟ ସୋନିଆ ଓ ରାହୁଲଙ୍କ ନିର୍ବାଚନ ମଣ୍ଡଳୀରେ ପୂରା ନିର୍ବାଚନକୁ ସମ୍ଭାଳୁଛନ୍ତି ପ୍ରିୟଙ୍କା। ସୋନିଆଙ୍କ ନିର୍ବାଚନ ମଣ୍ଡଳୀ ରାୟବରେଲିରେ ଦଳୀୟ ସଂଗଠନଠାରୁ ଆରମ୍ଭ କରି ସବୁ କିଛି କଥା ବୁଝୁଛନ୍ତି ପ୍ରିୟଙ୍କା। ଖାଲି ଏତିକି ନୁହେଁ, ସୋନିଆଙ୍କ ରାୟବରେଲି ଓ ରାହୁଲଙ୍କ ଆମେଥି ନିର୍ବାଚନ ମଣ୍ଡଳୀରେ ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟର ନିୟମିତ ସମୀକ୍ଷା କରୁଛନ୍ତି। ଏହି ଦୁଇ ନିର୍ବାଚନ ମଣ୍ଡଳୀକୁ ନିୟମିତ ବ୍ୟବଧାନରେ ଗସ୍ତକରି ପ୍ରତ୍ୟେକଟି ସୁବିଧା, ଅସୁବିଧା ବୁଝିବା ସହ ସ୍ଥାନୀୟ ନେତାମାନଙ୍କ ସହ ଯୋଗସୂତ୍ର ରକ୍ଷା କରୁଛନ୍ତି। ପ୍ରିୟଙ୍କା ବର୍ତ୍ତମାନ ପାଇଁ କଂଗ୍ରେସ ଦଳର କୌଣସି ଉଚ୍ଚ ପଦ ପଦବିରେ ରହି ପ୍ରତ୍ୟକ୍ଷ ରାଜନୀତି ନକଲେ ମଧ୍ୟ ରାୟବରେଲି ଓ ଆମେଥିରେ ଦଳୀୟ ରାଜନୀତିରେ ନିଜକୁ ସଂପୃକ୍ତ ରଖିବା ସହ ସଂପୂର୍ଣ୍ଣ ସକ୍ରିୟ ରଖିବେ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ସୋନିଆ।

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏବେ ରାହୁଲ ଗାନ୍ଧୀ କ’ଣ ଆଉ ଆପଣଙ୍କ କଥା ଶୁଣୁଛନ୍ତି ନା ନାହିଁ ବୋଲି ସଂପାଦକ ଶ୍ରୀ ପୁରିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୋନିଆ କହିଛନ୍ତି, ‘ମୁଁ ମୋ ପିଲାମାନଙ୍କୁ ଉପଦେଶ ଦିଏ; କିନ୍ତୁ ସେମାନେ ଶୁଣନ୍ତି ନାହିଁ।’ ହଁ ‘ପିତାମାତା ହିସାବରେ ଆମେ ସବୁବେଳେ ପିଲାମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁ; କିନ୍ତୁ ଏହା ଏକ ଭୟଙ୍କର କାର୍ଯ୍ୟ.... ମୁଁ କିଛି ଉପଦେଶ ସ୍ୱେଚ୍ଛାକୃତ ଭାବେ ଦେଇଥାଏ ଏବଂ ଆଉ କିଛି ମାଗିଲେ ଦେଇଥାଏ’... ବୋଲି କହିଛନ୍ତି ସୋନିଆ।