ନୂଆଦିଲ୍ଲୀ: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ମହାକାଶକୁ ଉଡ଼ାଣ କରିଛନ୍ତି। ଜଣେ ଭାରତୀୟ ବୈଜ୍ଞାନିକ ଆଇଏସଏସ ଭଳି ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମହାକାଶ ମିଶନର ଅଂଶ ହେବା ଭାରତ ପାଇଁ ପ୍ରଥମ।

Advertisment

‌ତେବେ ଉଡ଼ାଣ କରିସାରିବା ପରେ ଶୁଭାଂଶୁ ଶୁକ୍ଳା ନିଜ ପ୍ରଥମ ବ‌ାର୍ତ୍ତା ଦେଶ ପାଇଁ ପଠାଇ ସାରିଛନ୍ତି। ଏମଧ୍ୟରେ ମହାକାଶ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ନିଜ ପରିବାରକୁ କ’ଣ କହିଥିଲେ, ତାହା ସାମ୍ନାକୁ ଆସିଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଶୁଭାଂଶୁଙ୍କ ମା’ ଭିଡିଓ କଲ୍ ମାଧ୍ୟମରେ ତାଙ୍କୁ ଦହି ଚିନି ଖାଇବାକୁ ଦେବାର ରୀତିନୀତି କରିଥିଲେ। ଏହା ପରେ ଶୁଭାଂଶୁ କହିଥିଲେ, 'ମୋ ପାଇଁ ଅପେକ୍ଷା କରିବ। ମୁଁ ଆସୁଛି।'

ଶୁଭାଂଶୁ ଭଉଣୀ କହିଛନ୍ତି ଯେ, "ଆମ ଆଖ‌ିରେ ଆଜି ଖୁସିର ଲୁହ ଅଛି। ଆମେ କେତେ ଉତ୍ସାହିତ ତାହା ମାପିବାର କୌଣସି ମାପକାଠି ଆମ ପାଖରେ ନାହିଁ। ଆମେ ଖୁସି ଏବଂ ଗର୍ବିତ। ମିଶନକୁ ଯିବା ପୂର୍ବରୁ, ଯେତେବେଳେ ସେ ପ୍ରସ୍ତୁତ ହେଉଥିଲେ, ସେ ଆମ ସହିତ କଥା ହୋଇଥିଲେ। ସେ ହସୁଥିଲେ। ସେ ଖୁସି ଥିଲେ। ସେ ଏହି ମୁହୂର୍ତ୍ତ ପାଇଁ ବହୁତ ଦିନ ଧରି ଅପେକ୍ଷା କରିଥିଲେ। ଆମେ ତାଙ୍କ ପାଇଁ ଖୁସି।"

ଉଲ୍ଲେଖଯୋଗ୍ୟ, ଏହି ମିସନ୍‌ ଆମେରିକା, ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀର ୪ ଜଣ ମହାକାଶଚାରୀଙ୍କୁ ୧୪ଦିନିଆ ଡକିଂ ଅଭିଯାନ ପାଇଁ ପୃଥିବୀର ନିମ୍ନ କକ୍ଷପଥକୁ ନେଇଯିବ। ଏହି ଅବସରରେ ବିଭିନ୍ନ ପରୀକ୍ଷଣ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୭ଟି ଇସ୍ରୋ ଦ୍ୱାରା କରାଯିବ। ଭାରତ, ପୋଲାଣ୍ଡ ଓ ହଙ୍ଗେରୀ ପ୍ରଥମ ଥର ପାଇଁ ଆଇଏସ୍‌ଏସ୍‌ ମିସନ୍‌ରେ ଯାଉଥିବାରୁ ଏହା ଉପରେ ପୂରା ବିଶ୍ବର ନଜର ରହିଛି। ଇସ୍ରୋ ଆକ୍ସିୟମ୍-୪ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଅଭିଯାନରେ ୭ଟି ମାଇକ୍ରୋଗ୍ରାଭିଟି ଗବେଷଣା ପରୀକ୍ଷଣ କରିବ। ମାଇକ୍ରୋଗ୍ରାଭିଟି ଗବେଷଣା କ୍ଷେତ୍ର ମାନବ ସ୍ୱାସ୍ଥ୍ୟ, ଭୌତିକ/ ଜୀବବିଜ୍ଞାନ, ପଦାର୍ଥ ଗବେଷଣା, ଅଭିନବ ଔଷଧ ବିକାଶ ଏବଂ ବାୟୋଟେକ୍ନୋଲୋଜି ପରି ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ପ୍ରୟୋଗ ସହିତ ଜାତୀୟ ବୈଜ୍ଞାନିକ ସମୁଦାୟକୁ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରେ।