ଭାରତ-ଚୀନ ସଂଘର୍ଷ : କ’ଣ ହୋଇଥିଲା ସୋମବାର ରାତିରେ ?

ନୂଆଦିଲ୍ଲୀ : ଲଦାଖର ଗଲଓ୍ଵାନ ଉପତ୍ୟାକାରେ ସୋମବାର ରାତିରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଫଳରେ ଉଭୟ ପକ୍ଷର ସୈନିକ ମୃତାହତ ହୋଇଥିବା କୁହାଯାଉଛି । ଏହି ଘଟଣା ପରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି ।

ତେବେ କଣ ଘଟିଥିଲା ସୋମବାର ରାତିରେ ? ଏ ସଂପର୍କରେ ଭାରତ ଓ ଚୀନ ପକ୍ଷରୁ ଅଲଗା ଅଲଗା ବୟାନ ଆସିଛି । ଉତ୍ତେଜନା ହ୍ରାସ ପ୍ରକ୍ରିୟା ବେଳେ ବିବାଦ ହୋଇଥିଲା ବୋଲି ଭାରତୀୟ ସେନା କହୁଥିବାବେଳେ ଭାରତୀୟ ସେନା ଚୀନକୁ ଅନୁପ୍ରବେଶ କରିଥିଲା ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ କହିଛି । ତେବେ ପ୍ରତିରକ୍ଷା ବିଶେଷଜ୍ଞ ନିତିନ ଗୋଖଲେ ସେନା ସୁତ୍ରକୁ ଉଦ୍ଧାର କରି ଗତକାଲି ରାତିରେ ହୋଇଥିବା ଘଟଣା ସଂପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

ସେ କହିଛନ୍ତି ଯେ ଗତ ୬ ତାରିଖରେ ଦୁଇଦେଶ ମଧ୍ୟରେ ହୋଇଥିବା ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ପରେ ବିବାଦୀୟ ଅଂଚଳରୁ ସେନା ପ୍ରତ୍ୟାହାର ଲାଗି ନିଷ୍ପତ୍ତି ହୋଇଥିଲା । ଏହା ସତ୍ତ୍ୱେ ଚୀନ ସେନା ଉକ୍ତ ସ୍ଥାନ ଛାଡ଼ି ନଥିଲେ । ଏହାକୁ ନେଇ ଗତ କାଲି ସଂଧ୍ୟାରେ ଦୁଇ ସେନା ମଧ୍ୟରେ ବଚସା ହୋଇଥିଲା । ଏହାର କିଛି ସମୟ ପରେ ଚୀନ ସେନା ହଠାତ ପଥର ମାଡ କରିବା ସହ ଭାରତୀୟ ସୈନିକମାନଙ୍କୁ ଠେଲାପେଲା ଆରମ୍ଭ କରିଦେଇଥିଲା । ଅଚାନକ ଚୀନ ସେନାର ଏପରି ଆଚରଣରେ ଭାରତୀୟ ସେନା ଆଶ୍ଚର୍ଯ୍ୟ ହୋଇଯାଇଥିଲା । କିନ୍ତୁ ପରେ ଭାରତୀୟ ସେନା ଚୀନ ସେନାକୁ ଦୃଢ ଜବାବ ଦେଇଥିଲା । ଉଭୟ ପକ୍ଷର ସୈନ୍ୟ ଉଚ୍ଚ ପର୍ବତରୁ ଖସିପଡ଼ି ମୃତ୍ୟୁବରଣ କରିଥିବା କୁହାଯାଉଛି । ଏବେ ବି ଉଭୟ ଦେଶର କିଛି ସୈନିକ ନିଖୋଜ ଅଛନ୍ତି ।

ସମ୍ବନ୍ଧିତ ଖବର