ନୂଆଦିଲ୍ଲୀ : ୧୯୮୪ରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାପରେ ସରକାରରେ ଅନେକ ପରିବର୍ତ୍ତନ ଆଣିଥିଲେ। ବିଭିନ୍ନ ମନ୍ତ୍ରଳାୟର ବ୍ୟାପକ ପରିବର୍ତ୍ତନ କରିଥିଲେ। ୧୯୮୫ ସେପ୍‌ଟେମ୍ବର ୨୬ରେ ରାଜୀବ ଗାନ୍ଧି ପ୍ରଥମେ ଶିକ୍ଷା ମନ୍ତ୍ରାଳୟର ନାମ ପରିବର୍ତ୍ତନ କରି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରେ ପରିଣତ କରିଥିଲେ ଏବଂ ପି.ଭି. ନରସିଂହ ରାଓଙ୍କୁ ଏହି ମନ୍ତ୍ରାଳୟର ଦାୟିତ୍ବ ଦେଇଥିଲେ। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କରାଯାଇ ଏହା ଅଧୀନରେ ଶିକ୍ଷା ସମେତ ସଂସ୍କୃତି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଳାୟକୁ ସାମିଲ କରାଯାଇଥିଲା। ଏମିତିକି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଧୀନରେ ରଖାଯାଇଥିଲା। ଶିକ୍ଷା ସଂକ୍ରାନ୍ତ ସମସ୍ତ ବିଭାଗକୁ ଗୋଟିଏ ଛାତ ତଳେ ରଖିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ୨୦୦୬ ଜାନୁଆରି ୩୦ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରୁ ଅଲଗା କରାଯାଇଥିଲା।

Advertisment

ତେବେ ରାଜୀବ ଗାନ୍ଧି ଶିକ୍ଷା ମନ୍ତ୍ରାଳୟକୁ ବିଲୋପ କରି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କରିବା ପରେ ବିରୋଧୀମାନଙ୍କଠାରୁ କଠୋର ସମାଲୋଚନାର ଶିକାର ହୋଇଥିଲେ। ଭାରତ ଭଳି ଦେଶରୁ ଶିକ୍ଷା ମନ୍ତ୍ରାଳୟ ହଟାଇ ରାଜୀବ ଠିକ୍‌ କରୁନାହାନ୍ତି ବୋଲି ବିରୋଧୀମାନେ ତାଙ୍କୁ ଟାର୍ଗେଟ୍‌ କରିଥିଲେ। ଗଣମାଧ୍ୟମ ମଧ୍ୟ ରାଜୀବଙ୍କୁ କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ୧୯୮୬ରେ ରାଜୀବ ଏକ ନୂଆ ଶିକ୍ଷାନୀତିକୁ ମଞ୍ଜୁର କରିଥିଲେ। ଅତୀତରେ ବହୁବାର ମନ୍ତ୍ରାଳୟ ପରିବର୍ତ୍ତନ ହୋଇଛି। ୧୯୯୮ରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଲାପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରୁ ସଂସ୍କୃତି ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟକୁ ଅଲଗା କରି ଏକ ନୂଆ ମନ୍ତ୍ରାଳୟ ପ୍ରତିଷ୍ଠା କରିଥିଲେ। ୧୯୯୯ ମସିହାରେ ବାଜପେୟୀ ନୂଆ କରି ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଗଠନ କଲେ ଏବଂ ଅନନ୍ତ କୁମାର ଏହାର ଦାୟିତ୍ବରେ ରହିଥିଲେ।