ନୂଆଦିଲ୍ଲୀ: ଗତ ବୁଧବାର ଦିନ(ଡିସେମ୍ବର-୮) ତାରିଖରେ ହେଲିକପ୍ଟର୍ ଦୁର୍ଘଟଣାରେ ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ବିପିନ ରାୱତ୍ ଏବଂ ଅନ୍ୟ ୧୨ଜଣଙ୍କର ତାମିଲନାଡୁର କୁନ୍ନୁର ଠାରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଖବର ପାଇବା ପରେ ଦେଶ ସ୍ତବ୍ଧ ହୋଇଯାଇଥିଲା। ଗୁରୁବାର ଏହି ଘଟଣାକୁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।
ହେଲିକପ୍ଟର ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମଚାରୀମାନେ ମୃତ୍ୟୁ ପୂର୍ବରୁ ବିପିନ ରାୱତଙ୍କ ଶେଷ ଦୁଇ/ଚାରି ପଦ କଥା କ’ଣ ଥିଲା ତାହା କହିଛନ୍ତି।
ଉଦ୍ଧାର କାର୍ଯ୍ୟରେ ଜଡିତ ଥିବା ବରିଷ୍ଠ ଅଗ୍ନିଶମ କର୍ମଚାରୀ ଏନସି ମୁରଲୀ କହିଛନ୍ତି ଯେ ହେଲିକପ୍ଟରର ଧ୍ୱଂସାବଶେଷରୁ ଦୁଇଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ଜଣେ ଥିଲେ ଜେନେରାଲ ବିପିନ ରାୱତ । ଡାକ୍ତରଖାନାକୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଏନସି ମୁରାଲୀଙ୍କ ଅନୁଯାୟୀ, ଦ୍ୱିତୀୟ ବ୍ୟକ୍ତି କ୍ୟାପଟେନ ବରୁଣ ସିଂଙ୍କୁ ଘଟଣାସ୍ଥଳରୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ତାଙ୍କର ଚିହ୍ନଟ ପରେ କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି।
ହେଲିକପ୍ଟର ଦୁର୍ଘଟଣା ପରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା ଫାୟାରମ୍ୟାନ୍ ତଥା ଉଦ୍ଧାରକାରୀ ଏନସି ମୁରଲୀ କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ବିପିନ ରାୱତ ଉଦ୍ଧାରକାରୀ କର୍ମଚାରୀଙ୍କ ସହ ହିନ୍ଦୀରେ ବହୁତ ଧୀର ଭାବରେ କଥା ହୋଇ ନିଜ ନାମ କହିଥିଲେ। ଏଥିସହ ସିଡିଏସ୍ ବିପିନ ରାୱତ କହିଥିଲେ, ଯେ ତାଙ୍କ ଶରୀରର ତଳ ଅଂଶ ଜଳି ଯାଇଛି, ସେ ଗୁରୁତର ଆହତ ହୋଇଛନ୍ତି।
ଏହା ପରେ ଉଦ୍ଧାରକାରୀମାନେ ତାଙ୍କୁ ଏକ ଚାଦରରେ ଗୁଡ଼ାଇ ଆମ୍ବୁଲାନ୍ସକୁ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।