ନୂଆଦିଲ୍ଲୀ: କଂଗ୍ରେସ ଦଳ ଛାଡ଼ିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଜମ୍ମୁ କାଶ୍ମୀରରେ ଏକ ନୂଆ ଦଳ ଗଢ଼ିବେ। ଆଜାଦଙ୍କ ଇସ୍ତଫା ପରେ ଅନ୍ୟ ୬ ଜଣ ‌ନେତା ମଧ୍ୟ ତାଙ୍କୁ ସମର୍ଥନ କରି ଦଳ ଛାଡ଼ି ସାରିଛନ୍ତି। ଆଗକୁ ଆଜାଦଙ୍କ ପ୍ରତି ସମର୍ଥନ ବଢ଼ିବ। ଜମ୍ମୁ କାଶ୍ମୀରରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଆଜାଦ ଏହା ପୂର୍ବରୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛନ୍ତି। ଆଜାଦ ମଧ୍ୟ ଜମ୍ମୁ କାଶ୍ମୀରରେ ଗତ କିଛି ମାସ ଧରି ବେଶ୍‌ ସକ୍ରିୟ ‌ରହିଛନ୍ତି। ଅନେକ ରୢାଲିରେ ସେ ଯୋଗ ଦେଉଛନ୍ତି। ସୂଚନାନୁଯାୟୀ, ଆଜାଦ ନିଜ ଦଳ ଗଢ଼ିବାପରେ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଲଢ଼ିବେ ଏବଂ ଆଜାଦଙ୍କ ଦଳର ବିଜେପି ସହ ବୁଝାମଣା ରହିବ। ବିଜେପି ସମର୍ଥନରେ ଆଜାଦଙ୍କ ଦଳ ନିର୍ବାଚନ ଲଢ଼ିବ। ନିର୍ବାଚନ ପରେ ଜମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ ବିଜେପି ଏବଂ ଆଜାଦଙ୍କ ମଧ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ମଧ୍ୟ ହୋଇପାରେ। ଆାଜାଦ ପୁଅ ସଦ୍ଦାମଙ୍କ ସହ ଏହି ନୂଆ ଦଳର ରୂପରେଖ ପ୍ରସ୍ତୁତ କରିସାରିଥିବା କୁହାଯାଉଛି । ଆଜି ରାତିରେ ଆଜାଦ ତାଙ୍କ ସମର୍ଥକଙ୍କୁ ନେଇ ଏକ ବୈଠକ କରିଛନ୍ତି ଏବଂ ଖୁବ୍‌ଶୀଘ୍ର କେତେକ ନୂଆ ଘୋଷଣା ହେବ ବୋଲି କହିଛନ୍ତି।

Advertisment

ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ସହ ଜମ୍ମୁ କାଶ୍ମୀର କଂଗ୍ରେସରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଜିଏମ୍‌ ସରୁରୀ, ଆର୍‌ଏସ ଚିବ, ହାଜି ଅବଦୁଲ ରସିଦ୍‌, ମହମ୍ମଦ ଅମିନ ଭଟ, ଗୁଲ୍‌ଜର ଅହମଦ ୱାନି ଏବଂ ଚୌଧୁରୀ ମହମ୍ମଦ ଆକ୍ରମ ଆଜାଦଙ୍କୁ ସମର୍ଥନ କରି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଆଗକୁ ଆଜାଦ୍‌ଙ୍କ ସମର୍ଥନରେ ଏକ ବଡ଼ ସମାବେଶ ହେବ ଏବଂ ଅଧିକ ନେତା ଓ କର୍ମୀ କଂଗ୍ରେସ ଛାଡ଼ିବେ ବୋଲି ସେମାନେ କହିଛନ୍ତି।

publive-image

ଯେତେବେଳେ ମୋଦୀ-ଆଜାଦ ପରସ୍ପରକୁ ପ୍ରଶଂସା କରିଥିଲେ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଭୂୟସୀ ପ୍ରଶଂସା କରିଥିଲେ। ୨୦୨୧ ଫେବ୍ରୁଆରିରେ ରାଜ୍ୟସଭାରେ ଗୁଲାମ ନବୀଙ୍କ ପାଇଁ ବିଦାୟୀ ଭ‌ାଷଣ ଦେବା ସମୟରେ ମୋଦୀ ତାଙ୍କୁ ପ୍ରଶଂସା କରିବା ସହ କାନ୍ଦି ପକାଇଥିଲେ। ରାଜ୍ୟସଭାରେ ବିଦାୟୀ ଭାଷଣ ଦେବା ସମୟରେ ମୋଦୀ ୨୦୦୭ର ଏକ ଘଟଣା ମନେ ପକାଇଥିଲେ। ୨୦୦୭ରେ ଗୁଜରାଟୀଙ୍କୁ ଧରି ଜମ୍ମୁ କାଶ୍ମୀର ଯାଉଥିବା ଏକ ବସ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା। ସେ ସମୟ‌ରେ ଜମ୍ମୁ କାଶ୍ମୀରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆଜାଦ ପ୍ରଥମ ବ୍ୟକ୍ତି ଭାବେ ତାଙ୍କୁ କଲ୍‌ କରିଥିଲେ। ନିଜ ପରିବାର ସଦସ୍ୟ ଭଳି ଗୁଲାମ ନବୀ ଆଜାଦ ତୀର୍ଥଯାତ୍ରୀଙ୍କ ଯତ୍ନ ନେଇଥିଲେ କହି ମୋଦୀ ତାଙ୍କର ପ୍ରଶଂସା କରିଥିଲେ। ପରେ ଆଜାଦ ଜମ୍ମୁ କାଶ୍ମୀରରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଆଜାଦ କହିଥିଲେ ମୋଦୀ, ସ‌ର୍ବୋଚ୍ଚ ପଦରେ ଅଧିଷ୍ଠିତ ‌ହୋଇଥିଲେ ବି ସେ ତାଙ୍କର ଅତୀତକୁ ଭୁଲିନାହାନ୍ତି। ନିଜକୁ ସେ ଅତି ଗର୍ବର ସହ ଜଣେ ‘ଚା ବାଲା’ ବୋଲି କହନ୍ତି।