ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ କରିଛନ୍ତି। ବୈଠକରେ କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌ ୩.୦ ସଂକ୍ରାନ୍ତରେ ଆଲୋଚନା ହୋଇଛି। ସରକାରଙ୍କ ଲକ୍‌ଡାଉନ୍‌ ପରବର୍ତ୍ତୀ ରଣନୀତି କ'ଣ ରହିଛି ସେନେଇ ସୋନିଆ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସୋନିଆ କହିଛନ୍ତି ମେ' ୧୭ ପରେ କ'ଣ ହେବ। କେତେଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ। ଏହା ବିଚାର କରିବାପାଇଁ ସରକାର କେଉଁ ମାନଦଣ୍ଡ ବ୍ୟବହାର କରୁଛନ୍ତି ବୋଲି ସୋନିଆ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନ‌ମୋହନ ସିଂହ ଏହି ବୈଠକରେ ଥିବାବେଳେ ସେ ମଧ୍ୟ ସରକାରଙ୍କୁ ଏହି ସମାନ ପ୍ରଶ୍ନ ପଚାରିଛନ୍ତି। ଲକ୍‌ଡାଉନ୍‌ ୩.୦ ପରେ କ'ଣ ହେବ ତାହା ଆମେ ଜାଣିକାବୁ ଚାହୁଁ ବୋଲି ମନମୋହନ କହିଛନ୍ତି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

Advertisment

କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କଠକରେ ସୋନିଆ କରୋନା ମହାମାରୀର ପ୍ରଭାବ ଏବଂ କରୋନା ମୁକାବିଲା ପାଇଁ ରାଜ୍ୟମାନେ କେଉଁ ପଦକ୍ଷେପ ନେଇଛନ୍ତି ସେନେଇ ଆଲୋଚନା କରିଛନ୍ତି। ସେ ମଧ୍ୟ ପ୍ରବାସୀ ଶ୍ରମିକ ଏବଂ ରାଜ୍ୟର ବିଭିନ୍ନ ଅଂଶରେ ଫସି ରହିଥିବା ଶ୍ରମିକମାନଙ୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ ସେ ୨ଟି କମିଟି ଗଠନ କରିଛନ୍ତି। ଗୋଟିଏ କମିଟି ଲକ୍‌ଡାଉନ୍‌ରୁ କିଭଳି ମୁକୁଳି ହେବ ସେନେଇ ରଣନୀତି ପ୍ରସ୍ତୁତ କରିବ ଏବଂ ଅନ୍ୟଟି ଅର୍ଥନୀତି ସୁଧାରିବାପାଇଁ ଗଠନ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି, ଯେପର୍ଯ୍ୟନ୍ତ ବଡ଼ ଧରଣର ପ୍ୟାକେଜ୍‌ ନମିଳିଛି ସେପର୍ଯ୍ୟନ୍ତ ରାଜ୍ୟ ଏବଂ ଦେଶ କିଭଳି ପରିଚାଳିତ ହେବ। ବାରମ୍ବାର କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରାଯାଉନି ବୋଲି ଗେହଲଟ୍‌ କହିଛନ୍ତି। ଆମେ ୧୦,୦୦୦ କୋଟି ରାଜସ୍ବ ହରାଇ ସାରିଛୁ ବୋଲି ସେ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ରାଜ୍ୟ ଗୁଡ଼ିକ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ଆବଶ୍ୟକ।