ନୂଆଦିଲ୍ଲୀ :ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଓଡ଼ିଶା ଅନେକ କିଛି ଆଶା କରୁଛି। ଗତ ଡିସେମ୍ବର ୩୦ ତାରିଖରେ ଶ୍ରୀମତୀ ସୀତାରମଣ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ ବଜେଟ ଆଲୋଚନା କରିଥିଲେ। ସେଥିରେ ଓଡିଶାର ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅଂଶଗ୍ରହଣ କରି ରାଜ୍ୟର ଏକାଧିକ ପ୍ରସ୍ତାବକୁ ବଜେଟରେ ସାମିଲ କରିବାକୁ କହିଥିଲେ। ବଜେଟ ପାଣ୍ଠି ଆବଣ୍ଟନରେ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ସେ ଦାବି କରିଥିଲେ। ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଅନ୍ତର୍ଗତ କ୍ଷତିପୂରଣ ପ୍ରଦାନକୁ ଆଉ ୫ ବର୍ଷ ବଢ଼ାଇବା ତଥା ବକେୟା ରହିଥିବା ରାଶିକୁ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
କୋଭିଡ୍ ପ୍ରଭାବିତ ଅର୍ଥନୀତିକୁ ସଜାଡିବା ପାଇଁ ରାଜ୍ୟକୁ ଏହାର ତତ୍କାଳ ଆବଶ୍ୟକତା ଥିବାର ବୈଠକରେ ଅବଗତ କରାଯାଇଥିଲା। ରାଜ୍ୟର ପ୍ରତି ପଂଚାୟତରେ ପ୍ରତ୍ୟକ୍ଷ ବ୍ୟାଙ୍କ ଶାଖା ଖୋଲିବା, ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ ଓ ଟେଲି ଯୋଗାଯୋଗ ପ୍ରକଳ୍ପ ଏବଂ ଜାତୀୟ ରାଜପଥର ନର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶର ଦିଗରେ ପ୍ରାଥମିକତା ଦେଉଥିବାରୁ ଯଦି ପୂର୍ବ ଭାରତ ପାଇଁ କିଛି ଘୋଷଣା କରାଯାଏ ତାହେଲେ ଓଡିଶା ଏଥିରୁ ଫାଇଦା ପାଇପାରେ ବୋଲି ଆଶା କରାଯାଉଛି। କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ବିକାଶ ବାବଦରେ କେତେ ପରିମାଣର ବଜେଟ ବ୍ୟବସ୍ଥା କରାଯିବ ତାହା ଉପରେ ସମସ୍ତଙ୍କର ନଜର ରହିବ।
ଓଡିଶାରେ ଚାଲୁ ରହିଥିବା ଏବଂ ନୂତନ ଭାବେ ହାତକୁ ନିଆଯାଇଥିବା ରେଳ ପ୍ରକଳ୍ପର କାର୍ଯ୍ୟ ଶେଷ କରିବା ପାଇଁ ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା କରିବାକୁ ଶ୍ରୀ ପୂଜାରୀ ଦାବି କରିଥିଲେ। ୨୦୨୧-୨୨ ରେଳ ବଜେଟରେ ଓଡିଶା ପାଇଁ ୬୯୯୫.୫୮ କୋଟି ଟଙ୍କା ମଂଜୁର କରାଯାଇଥିଲା। କେନ୍ଦ୍ରରେ ଅଶ୍ବିନୀ ବୈଷ୍ନବ ରେଳ ମନ୍ତ୍ରୀ ଥିବାରୁ ଏଥର ଓଡିଶାକୁ ରେଳ ବଜେଟରେ ଅନୁଦାନ ରାଶି ବୂଦ୍ଧି ପାଇବା ନେଇ ବିଭିନ୍ନ ମହଲରେ ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Budget-o.jpg)