ଏବେ କ’ଣ କରିବେ ଶିବରାଜ, ବସୁନ୍ଧରା? ବିଜେପି ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଦୁଇ ନେତା ଅସନ୍ତୁଷ୍ଟ

ନୂଆଦିଲ୍ଳୀ: ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ ଦିନ ପରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ପଦ ଲାଗି ଯେଉଁ ବରିଷ୍ଠ ନେତାମାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା, ସେମାନଙ୍କୁ ବିଜେପି ହାଇକମାଣ୍ଡ ଆଦୌ ବିଚାରକୁ ନେଇ ନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଆଦୌ ଚର୍ଚ୍ଚାରେ ନଥିଲେ, ସେହିମାନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ବିଜେପିର ଏଭଳି ନିଷ୍ପତ୍ତି ରାଜନୈତିକ ମହଲରେ ବିସ୍ମୟ ସୃଷ୍ଟି କରିଛି। ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଏଭଳି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି, ଯେଉଁମାନେ ମନ୍ତ୍ରୀ ଥିଲେ। କିନ୍ତୁ ରାଜସ୍ଥାନରେ ଏଭଳି ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି, ଯିଏକି ପ୍ରଥମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେପିର ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି କେବଳ ଦଳ ଭିତରେ ହଲଚଲ ସୃଷ୍ଟି କରିନାହିଁ, ଦଳରେ ଥିବା ଅନେକ ବରିଷ୍ଠ ନେତା ସେମାନଙ୍କର ଭବିଷ୍ୟତକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି।
୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏହା ସତ ହୋଇଥିଲେ ମଧ୍ୟ ବିଜେପି ଏହା ମାଧ୍ୟମରେ ଦୁଇଟି ବାର୍ତ୍ତା ଦେଇଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ରାଜନୈତିକ ପର୍ଯ୍ୟବେକ୍ଷଙ୍କ ମତରେ ପ୍ରଥମ ବାର୍ତ୍ତାଟି ହେଲା ଏହି ତିନିଟି ରାଜ୍ୟରେ ବିଜେପି ବିଜୟୀ ହେବା ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭୂମିକା ରହିଛି। ତାଙ୍କର ଲୋକପ୍ରିୟତା ଓ ତାଙ୍କର ଗ୍ୟାରେଣ୍ଟିକୁ ଆଧାର କରି ବିଜେପି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତାରେ କୌଣସି ସ୍ଥାନୀୟ ନେତାଙ୍କର ବିଶେଷ ଭୂମିକା ନାହିଁ। ଛତିଶଗଡ଼ରେ ଦଳର ଅପ୍ରତ୍ୟାଶିତ ବିଜୟ ହେଉଛି ଏହାର ପ୍ରମାଣ ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି କରୁଛନ୍ତି। ସେହିଭଳି ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ ଆଶା ଠାରୁ ଦଳକୁ ଅଧିକ ସଫଳତା ମିଳିଲା। ତେଣୁ ଏହି ବିଜୟ ଲାଗି ଯେଉଁ ସ୍ଥାନୀୟ ନେତାମାନେ ନିଜକୁ ଶ୍ରେୟ ଦେଇ ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବି କରୁଥିଲେ ସେମାନଙ୍କୁ କୋଣଠେସା କରି ଦିଆଯାଇଛି। ଦ୍ବିତୀୟ ବାର୍ତ୍ତାଟି ହେଲା ବାଜପେୟୀ-ଆଡ଼ଭାନୀ ଯୁଗର ଏକ ପ୍ରକାର ଅବସାନ ଘଟିଛି। ବାଜପେୟୀ-ଆଡଭାନୀ ଯୁଗରେ ଅର୍ଥାତ ୨୦୧୪ ପୂର୍ବରୁ ଯେଉଁମାନେ ମୁଖ୍ୟମନ୍ତ୍ରୀ ଥିଲେ (ବିଜେପି), ସେମାନଙ୍କ ମଧ୍ୟରୁ ଆଉ କେହି ମୁଖ୍ୟମନ୍ତ୍ରୀ ନାହାନ୍ତି। ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଯାହାକୁ ମୁଖ୍ୟମନ୍ତ୍ରୀ କରାଯାଇଛି, ସେମାନେ ପ୍ରଥମ ଥର ଲାଗି ଏହି ପଦରେ ଆସୀନ ହୋଇଛନ୍ତି।

ବିଜେପିର ନିଷ୍ପତ୍ତି ଯୋଗୁଁ କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ତେବେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ରାଜସ୍ଥାନରେ ବସୁନ୍ଧରା ରାଜେ ଏବଂ ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହାନ। ଶିବରାଜ ୪ ଥର ମୁଖ୍ୟମନ୍ତ୍ରୀ (୨୦୦୫, ୨୦୦୮, ୨୦୧୩ ଓ ୨୦୨୦) ଥିବା ବେଳେ ବସୁନ୍ଧରା ଦୁଇ ଥର ମୁଖ୍ୟମନ୍ତ୍ରୀ (୨୦୦୩ ଏବଂ ୨୦୧୩) ହୋଇଥିଲେ। ଗତ ନିର୍ବାଚନରେ ଦଳ ବିଜୟୀ ହେବାପରେ ସେମାନେ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଥିଲେ। ଏଥିପାଇଁ ସେମାନେ ଜୋରଦାର ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ ସେମାନଙ୍କର ସ୍ବପ୍ନକୁ ଛାରଖାର କରିଦେଇଛନ୍ତି ବିଜେପି ହାଇକମାଣ୍ଡ। ସେମାନେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନଙ୍କୁ ପୂର୍ବଭଳି ଆଉ ଗୁରୁତ୍ବ ମିଳିବ କି ନାହିଁ, ତାହାକୁ ନେଇ ସେମାନେ ଅନିଶ୍ଚିତ ଅବସ୍ଥାରେ ଅଛନ୍ତି। ଏହାକୁ ନେଇ ଶିବରାଜ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବସୁନ୍ଧରା ଭୀଷଣ କ୍ଷୁବ୍ଧ ଅଛନ୍ତି। ତେବେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଆଶାୟୀ ରମଣ ସିଂହଙ୍କୁ ବିଧାନସଭା ବାଚସ୍ପତି ପଦରେ ଥଇଥାନ କରି ହାଇକମାଣ୍ଡ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ୨୦୦୩ରୁ ୨୦୧୮ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ରମଣ ମଧ୍ୟ ନିଜର ଭବିଷ୍ୟତକୁ ନେଇ ସନ୍ଦେହରେ ଅଛନ୍ତି।

ସମ୍ବନ୍ଧିତ ଖବର