ହ୍ବାଟସ୍ଆପ୍‌ କଲା ଏମିତି କାମ ୮ ବର୍ଷ ତ‌ଳୁ ମୃତ ଝିଅ ଘରକୁ ଫେରିଲା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆର ଭଲ-ଖରାପ ପ୍ରଭାବକୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହିଛି। ଏହା ଲୋକମାନଙ୍କ ପାଇଁ କେତେ ଉପଯୋଗୀ ହୋଇପାରୁଛି କିମ୍ବା ନାହିଁ, ତାହାକୁ ନେଇ ବିଭିନ୍ନ ସମୟରେ ବିତର୍କ ବି ଲାଗି ରହିଛି। ମାତ୍ର, ଅନ୍ୟତମ ପ୍ରଭାବୀ ସୋସିଆଲ୍‌ ମିଡିଆ ବା ସାମାଜିକ ଗଣମାଧ୍ୟମ ହ୍ବାଟସ୍‌ଆପ୍‌ରେ ଘୂରି ବୁୁଲୁଥିବା ଏକ ଫଟୋ ୮ ବର୍ଷ ତଳୁ ମୃତ ଘୋଷିତ ଜଣେ ଯୁବତୀକୁ ଘରକୁ ଫେରାଇ ଆଣିଛି। ଏହି ଘଟଣା ଆଜି ଦିନତମାମ ସବୁ ସାମାଜିକ ଗଣମାଧ୍ୟମରେ ଛାଇ ହୋଇ ରହିଛି।
ଏହି ଯୁବତୀଙ୍କ ଘର ଝାଡ଼ଖଣ୍ଡର ଗୁମଲା ଅଞ୍ଚଳରେ। ଆଠ ବର୍ଷ ତଳେ ଜଣେ ବ୍ୟକ୍ତି ଚାକିରି ଦେବା କଥା କହି ଦିଲ୍ଲୀ ନେଇ ଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ମୃତ ବୋଲି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ସେହି ଦିନଠାରୁ ପରିବାର ଲୋକ ତାଙ୍କ ଝିଅ ମରିଯାଇଛି ବୋଲି ଧରି ନେଇଥିଲେ। ଯୁବତୀଙ୍କ ଭାଇ କିନ୍ତୁ ସ୍ଥିର ରହିନଥିଲେ। ଆଣ୍ଟି-ହୁମ୍ୟାନ୍‌ ଟ୍ରାଫିକିଂ ୟୁନିଟ୍‌ରେ ଅଭିଯୋଗ କରିଥିଲେ।
ସୌଭାଗ୍ୟକୁ, କିଛିଦିନ ପୂର୍ବରୁ ଦିଲ୍ଲୀର ଏକ ଏଜେନ୍ସି ଯୁବତୀଙ୍କର ଏକ ଫଟୋ ଉଠାଇ ତାଙ୍କ ସଂପର୍କରେ ଲେଖି ହ୍ବାଟ୍ସଆପ୍‌ରେ ପଠାଇଥିଲେ। ଏହାପରେ ଏହି ଫଟୋଟି ବୁଲିବାକୁ ଲାଗିଥିଲା। ଫଟୋଟି ପୀଡ଼ିତାଙ୍କ ପରିଚିତ ଲୋକ ଦେଖିବା ପରେ ତାଙ୍କ ସଂପର୍କରେ ଅଧିକ ସୂଚନା ଯୋଗାଡ଼ କରିବା ସହଜ ହୋଇଥିଲା। ଫଳରେ, ଯୁବତୀଙ୍କୁ ୮ ବର୍ଷ ପରେ ଘରକୁ ଫେରିବାରେ ସକ୍ଷମ ହୋଇଥିଲେ। ଆଠ ବର୍ଷ ତଳୁ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ମୃତ ବୋଲି ଧରି ନେଇଥିବା ବେଳେ ଅଚାନକ ତାଙ୍କର ଅବିର୍ଭାବ ସଭିଙ୍କୁ ଚକିତ କରିଛି। ଅନ୍ୟପକ୍ଷରେ, ତାଙ୍କ ଭଉଣୀକୁ ଜବରଦସ୍ତ ନିଜ ଘରେ କାମ କରାଉଥିବା ଲୋକଙ୍କ ବିରୋଧରେ ପରିବାର ଲୋକେ ସଙ୍ଗିନ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର