ଜୈଶ୍‌ ଗୋଷ୍ଠୀର ହ୍ବାଟ୍ସଆପ୍‌ ମେସେଜ୍‌ ଠାବ, ବଡ଼ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଜୈଶ୍‌-ଏ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ଜାକିର ମୁସା ନେତୃତ୍ବରେ ଜୈଶ ଆତଙ୍କବାଦୀ କୌଣସି ମୁହୂର୍ତ୍ତରେ ବଡ଼ଧରଣର ଆକ୍ରମଣ ଘଟାଇ ପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି। ସୂତ୍ର ମୁତାବକ ଜାକିର ସମେତ ସମୁଦାୟ ୭ ଜଣ ଜେଇଏମ୍‌ ଆତଙ୍କବାଦୀ ଏହି ଆକ୍ରମଣ ଯୋଜନା କରିଛନ୍ତି। ଏ ବାବଦରେ ସେମାନଙ୍କ ହ୍ବାଟ୍‌ସଆପ୍‌ ମେସେଜ୍‌ରୁ ତଥ୍ୟ ମିଳିଛି। ଗୁଇନ୍ଦା ବିଭାଗ ଦ୍ବାରା ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଠାବ କରାଯାଇଥିବା ଜଣାପଡ଼ିଛି। ଜୈଶ ଆତଙ୍କବାଦୀମାନେ ଜୈଶ କମାଣ୍ଡର ଉସମାନ୍‌ର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଦିଲ୍ଲୀରେ ଆକ୍ରମଣ ଯୋଜନା କରିଥିବାରୁ ବିଭାଗ ପକ୍ଷରୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଗୁଇନ୍ଦା ବିଭାଗ ଠାବ କରିଥିବା ଏହି ହ୍ବାଟ୍ସଆପ୍‌ ଗ୍ରୁପ୍ ଜେଇଏମ୍‌ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଥିବା ଜଣାପଡ଼ିଛି। ଏଥିରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରେ ସମସ୍ତ ସ୍ପର୍ଶକାତର ଅଞ୍ଚଳରେ ଆକ୍ରମଣ ଯୋଜନା କରାଯାଉଛି। ଏନେଇ ଗତ ମଙ୍ଗଳବାର ଗୁଇନ୍ଦା ସଂସ୍ଥା ଦ୍ବାରା ଏକ ଚିଠି ଜାରି ‌ ହୋଇଥିଲା। ଦିଲ୍ଲୀରେ ଥିବା ସମସ୍ତ ନିରାପତ୍ତା ପ୍ରତିଷ୍ଠାନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଏହି ଚିଠିରେ ଦର୍ଶାଯାଇଥିଲା। ଏହାପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୦ରେ କଶ୍ମୀରର ତ୍ରାଲ୍‌ରେ ଜୈଶ ମୁଖ୍ୟ ମୌଲାନା ମାସୁଦ ଆଝାରର ପୁତୁରା ଉସମାନ୍‌ ସୁରକ୍ଷାକର୍ମୀ ଗୁଳିରେ ନିହତ ହୋଇଥିଲା। ତେବେ ଉସମାନ୍‌ର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର