ନୂଆଦିଲ୍ଲୀ: ହ୍ବାଟସ୍ ଆପ୍ ସମଗ୍ର ବିଶ୍ୱରେ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ମାଧ୍ୟମରେ ଲୋକମାନେ ବର୍ତ୍ତମାନ କେବଳ ବ୍ୟକ୍ତିଗତ ଚାଟ୍ କରୁନାହାନ୍ତି ବରଂ ବୃତ୍ତିଗତ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଯେଉଁଠାରେ ପୂର୍ବରୁ ହ୍ବାଟସ୍ ଆପ୍ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ରହିବାକୁ ବ୍ୟବହୃତ ହେଉଥିଲା ।

Advertisment

ସମ୍ପ୍ରତି ଅଫିସିଆଲ୍ ବାର୍ତ୍ତାଳାପ କିମ୍ବା କାର୍ଯ୍ୟ ପାଇଁ ମଧ୍ୟ ଏହି ଆପ୍ ବହୁଳ ଭାବେ ବ୍ୟବହୃତ ହେଉଛି। ପରସ୍ପରକୁ ଡକ୍ୟୁମେଣ୍ଟ ପଠାଇବା ଠାରୁ ଆରମ୍ଭ କରି ଅନ୍ୟ କୌଣସି ସୂଚନା ଦେବା ପର୍ଯ୍ୟନ୍ତ ଏହି ଆପ୍ ବ୍ୟବହୃତ ହେଉଛି। ଗତ କିଛି ବର୍ଷ ତୁଳନାରେ ହ୍ବାଟସ୍ ଆପ୍ ଏତେ ଲୋକପ୍ରିୟ ହୋଇପାରିଛି ଯେ ଲୋକମାନେ ଏହାର ଚାଟ୍ ଏବଂ ଭିଡିଓକୁ ପ୍ରମାଣ ଭାବରେ ବ୍ୟବହାର କରିବାକୁ ମଧ୍ୟ ଭାବୁଛନ୍ତି।

କିନ୍ତୁ ଏହା କୋର୍ଟଙ୍କ ଦୃଷ୍ଟିରେ ଆଇନଗତ କି? ଭାରତୀୟ ନିୟମ ଅନୁଯାୟୀ ହ୍ବାଟସ୍ ଆପ୍ ଚାଟ୍ କିମ୍ବା ଭିଡିଓଗୁଡିକ ପ୍ରମାଣ ଭାବରେ ବିବେଚନା କରାଯାଏ କି? ଏନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।

ନିକଟରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ପ୍ରଦାନ କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ହ୍ୱାଟସ୍ ଆପ୍ ଚାଟ୍ ଆଇନ୍ ଦୃଷ୍ଟିରେ ଏକ ଆଇନଗତ ପ୍ରମାଣ ନୁହେଁ। ଉପଯୁକ୍ତ ପ୍ରମାଣପତ୍ର ବିନା ହ୍ବାଟସ୍ ଆପ୍ ଚାଟ୍‌କୁ କୌଣସି ସ୍ୱୀକୃତି ମିଳିବ ନାହିଁ। ଏହାକୁ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ ନାହିଁ।

ବାସ୍ତବରେ, ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଭାରତୀୟ ପ୍ରମାଣ ଅଧିନିୟମ ୧୮୭୨ ଅନୁଯାୟୀ, ଯେତେବେଳେ କୌଣସି ପ୍ରମାଣ ଆବଶ୍ୟକ ପ୍ରମାଣପତ୍ର ସହିତ ଉପସ୍ଥାପିତ ହେବା ଜରୁରୀ। ତେଣୁ କୋର୍ଟଙ୍କ ଦୃଷ୍ଟିରେ ହ୍ବାଟସ୍ ଆପ୍ ଚାଟ୍ ଆଇନଗତ ପ୍ରମାଣ ଭାରବେ ମାନ୍ୟ ନୁହେଁ।

ବାଧ୍ୟତାମୂଳକ ସାର୍ଟିଫିକେଟ୍ ବିନା ହ୍ବାଟସ୍ ଆପ୍ ଭିଡିଓଗୁଡିକ ମଧ୍ୟ ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ନିଶ୍ଚିତ କରିଛନ୍ତି ଯେ ହ୍ବାଟସ୍ ଆପ୍ ଚାଟ୍ ଆଇନଗତ ପ୍ରମାଣ ନୁହେଁ।

ବାସ୍ତବରେ, ୨୦୨୨ ମସିହାରେ, ଜଣେ ଗ୍ରାହକ ଡେଲ୍ ଇଣ୍ଟରନ୍ୟାସନାଲ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଦାଖଲ କରିବାରେ ବିଳମ୍ବ ଯୋଗୁ ଗ୍ରାହକ କୋର୍ଟ ଦ୍ୱାରା ଡେଲ୍‌କୁ ଜରିମାନା କରାଯାଇଥିଲା। ତେବେ ଡେଲ୍ କହିଥିଲା ଯେ ଅଭିଯୋଗର ସମ୍ପୂର୍ଣ୍ଣ କପି ସେମାନଙ୍କୁ ଦିଆଯାଇ ନାହିଁ ଯେଉଁ କାରଣରୁ ପ୍ରତିକ୍ରିୟା ବିଳମ୍ବ ହୋଇଥିଲା। ଏହାକୁ ପ୍ରମାଣ କରିବା ପାଇଁ କମ୍ପାନି ପକ୍ଷରୁ ହ୍ବାଟସ୍ ଆପ୍ ଚାଟ୍‌ର ଏକ ସ୍କ୍ରିନସଟ୍ ମଧ୍ୟ କୋର୍ଟରେ ଉପସ୍ଥାପନ କରା ଯାଇଥିଲା। କିନ୍ତୁ କୋର୍ଟ ଏହାକୁ ପ୍ରମାଣ ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ହ୍ବାଟସ୍ ଆପ୍ ଚାଟ୍‌ର ସ୍କ୍ରିନସଟ୍ ବିଷୟରେ କୋର୍ଟ କହିଛନ୍ତି ଏହାକୁ ପ୍ରମାଣ ଭାବରେ ବିବେଚନା କରାଯିବ ନାହିଁ। ଦିଲ୍ଲୀ ହାଇକୋର୍ଟର ଜଜ୍ କହିଛନ୍ତି ଭାରତୀୟ ପ୍ରମାଣ ଅଧିନିୟମ ୧୯୭୨ ଅନୁଯାୟୀ କେବଳ ଆବଶ୍ୟକ ପ୍ରମାଣପତ୍ର ଥିବା ପ୍ରମାଣ ସ୍ୱୀକୃତିପ୍ରାପ୍ତ। ଏହାକୁ ପ୍ରମାଣ ଭାବରେ ଗ୍ରହଣ ନ କରିବାରୁ ଦିଲ୍ଲୀ ହାଇକୋର୍ଟ ଗ୍ରାହକ କୋର୍ଟର ରାୟକୁ କାଏମ୍ ରଖିବା ସହ ଡେଲ୍ କମ୍ପାନିର ଆବେଦନକୁ ଖାରଜ କରି ଦେଇଥିଲେ।