ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ସାମିଲ ହେବା ଏକ ସାଧାରଣ କଥା । ଜଣେ ଜଣେ ବ୍ୟକ୍ତି ୧୦-୨୦ଟି ଗ୍ରୁପର ସଦସ୍ୟ ରହୁଛନ୍ତି । ଏପରିକି ଲୋକମାନଙ୍କ ଅଜାଣତରେ ମଧ୍ୟ ସେମାନଙ୍କୁ ବିଭିନ୍ନ ଗ୍ରୁପରେ ସାମିଲ କରାଯାଉଛି ଓ ବିଭିନ୍ନ ଅଦରକାରୀ ମେସେଜ ସେୟାର କରାଯାଉଛି । ବିଭିନ୍ନ ମିଥ୍ୟାଖବର ଓ ଗୁଜବ ମଧ୍ୟ ପ୍ରଚାର କରାଯାଉଛି । ଏ ନେଇ ବିଭିନ୍ନ ଆଡୁ ଅଭିଯୋଗ ଆସିବା ପରେ ଚେତିଛି ହ୍ଵାଟ୍ସଆପ ।
ଫଳରେ ଏଣିକି ଆପଣଙ୍କ ଅନୁମତି ବିନା ଆପଣଙ୍କୁ କେହି କୌଣସି ହ୍ଵାଟ୍ସଗ୍ରୁପରେ ସାମିଲ କରିପାରିବେ ନାହିଁ । ଏଥିଲାଗି ମେସେଜିଂ ଆପ୍ ହ୍ଵାଟ୍ସଆପ ନିଜର ପ୍ରାଇଭେସି ସେଟିଂରେ କେତେକ ନୂଆ ବ୍ୟବସ୍ଥା ଆରମ୍ଭ କରିଛି ।
ନୂଆ ପ୍ରାଇଭେସୀ ସେଟିଂରେ ତିନି ପ୍ରକାରର ବ୍ୟବସ୍ଥା ରହିଛି, ଯଥା ଏଭ୍ରିଓ୍ଵାନ(ସମସ୍ତେ), ମାଇଁ କଣ୍ଟାକ୍ଟସ ( ମୋର କଣ୍ଟାକ୍ଟ), ମାଇଁ କଣ୍ଟାକ୍ଟସ ଏକସେପ୍ଟ ( ନିର୍ଦ୍ଦିଷ୍ଟ ନମ୍ବର ବ୍ୟତୀତ ମୋ କଣ୍ଟାକ୍ଟ) । ଆପଣ ଯଦି ଏଭ୍ରିଓ୍ଵାନ ସେଟିଂ ସେଟ କରିଛନ୍ତି ତେବେ ସମସ୍ତେ ଆପଣଙ୍କୁ ଗ୍ରୁପ ସଦସ୍ୟ କରିପାରିବେ । ଯଦି ମାଇଁ କଣ୍ଟାକ୍ଟସ ରଖିଛନ୍ତି, ତେବେ କେବଳ ଆପଣଙ୍କ କଣ୍ଟାକ୍ଟ ତାଲିକାରେ ଥିବା ଲୋକମାନେ ଆପଣଙ୍କୁ ହ୍ଵାଟ୍ସଆପ ଗ୍ରୁପ ସଦସ୍ୟ କରିପାରିବେ । ମାଇଁ କଣ୍ଟାକ୍ଟସ ଏକସେପ୍ଟ ସେଟିଂ କଲେ ଆପଣଙ୍କ ଇଚ୍ଛାଅନୁସାରେ ସୀମିତ ସଂଖ୍ୟକ ଲୋକ ଆପଣଙ୍କୁ ସଦସ୍ୟ କରିପାରିବେ ।