/* */

ହ୍ବାଟ୍‌ସଆପ୍‌ ମେସେଜ୍‌କୁ ପ୍ରମାଣ ଭାବେ ନିଆଯାଇ ପାରିବ ନାହିଁ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ହ୍ବାଟ୍‌ସଆପ୍‌ରେ ଆଦାନପ୍ରଦାନ କରାଯାଉଥିବା ମେସେଜ୍‌ ବା ବାର୍ତ୍ତାର କୌଣସି ପ୍ରମାଣଗତ ମୂଲ୍ୟ ଅଦାଲତ ପାଇଁ ନାହିଁ। ଏହି ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଦାୟୀ କରାଯାଇ ପାରିବ ନାହିଁ। ବିଶେଷକରି ରାଜିନାମା ଅନୁଯାୟୀ ହୋଇଥିବା ଭାଗିଦାରୀ ବ୍ୟବସାୟ ପାଇଁ ଏହାର କୌଣସି ମୂଲ୍ୟ ନାହିଁ। ସୁପ୍ରିମ କୋର୍ଟର ପ୍ରଧାନ ବିଚାରାପତି ଏନ ଭି ରମଣା ଏବଂ ବିଚାରପତି ହୃଷୀକେଶ ରାୟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣ ବେଳେ କହିଛନ୍ତି ଆଜିର ଯୁଗରେ ହ୍ବାଟ୍‌ସଆପ୍‌ ମେସେଜ୍‌ର ପ୍ରମାଣଗତ ମୂଲ୍ୟ କ’ଣ ରହିଛି? ଆଜିକାଲି ସାମାଜିକ ଗଣମାଧ୍ୟମରେ ଯାହା କିଛି ଲେଖାଯାଇଛି ତାହାକୁ ଲିଭାଯାଇ ପାରିବ। ହ୍ବାଟ୍‌ସଆପ୍ ମେସେଜ୍‌କୁ ଆମେ କୌଣସି ଗୁରୁତ୍ବ ଦେଉନାହୁଁ ବୋଲି ଖଣ୍ଡପୀଠ କହିଛନ୍ତି।

ବର୍ଜ୍ୟ ବସ୍ତୁ ସଂଗ୍ରହ ଏବଂ ପରିବହନ ପାଇଁ ଗୋଟିଏ ପଟେ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଏବଂ ଅନ୍ୟପଟେ ଏ୨ଜେଡ୍‌ ଇନ୍‌ଫ୍ରାସର୍ଭିସେସ୍‌ ଏବଂ ଅନ୍ୟ ସଂସ୍ଥାଗୁଡ଼ିକୁ ନେଇ ଗଠିତ କନସୋର୍ଟିୟମ୍‌ ମଧ୍ୟରେ ୨୦୧୬ ଡିସେମ୍ବର ୨ ତାରିଖରେ ହୋଇଥିବା ରିହାତି ରାଜିନାମାର ବିଚାର ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି। ଉକ୍ତ ରାଜିନାମା ପରେ ୨୦୧୭ ଏପ୍ରିଲ ୨୮ରେ ଏହି କାମର ଏକ ଅଂଶ ପାଇବା ପାଇଁ ଏ୨ଜେଡ୍ ତତ୍କାଳୀନ କ୍ବିପୋ ଇନ୍‌ଫ୍ରାଷ୍ଟ୍ରକଚର (ବର୍ତ୍ତମାନର ଭାୟମ ଇନ୍‌ଫ୍ରା ଭେଞ୍ଚର୍ସ) ମଧ୍ୟରେ ରାଜିନାମା ହୋଇଥିଲା। ଏହି ରାଜିନାମାରେ କୁହାଯାଇଥିଲା ଏ୨ଜେଡ୍ ଗ୍ରହଣ କରିଥିବା ସବୁ ଅର୍ଥ ଏକ ସ୍ବତନ୍ତ୍ର ବା ଏସକ୍ରୋ ଆକାଉଣ୍ଟରେ ଜମା କରାଯାଇଛି। ସେହି ଆକାଉଣ୍ଟରୁ ସଂସ୍ଥାଗୁଡ଼ିକୁ ଅର୍ଥ ପଇଠ କରାଯିବ। ତେବେ ଗତବର୍ଷ ମେ ୨୮ ତାରିଖରେ ଏ‌୨ଜେଡ୍ ସେହି ରାଜିନାମାକୁ ଦାତିଲ କରିଦେଇଥିଲା। ଏହାପରୋ କ୍ବିପୋ କଲିକତା ହାଇକୋର୍ଟକୁ ଯାଇଥିଲା। ଏକ ମଧ୍ୟସ୍ଥତା କମିଟି ନିଯୁକ୍ତ କରିବା ପାଇଁ କ୍ବିପୋ ଆବେଦନ କରିଥିଲା।

ମଧ୍ୟସ୍ଥତା ନିଯୁକ୍ତି ନେଇ ଉଭୟ ପକ୍ଷ ଚଳିତମାସ ୧୪ ତାରିଖରେ ରାଜି ହୋଇଥିଲେ। କଲିକତା ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠକୁ କ୍ବିପୋର ଆଇନଜୀବୀ କହିଥିଲେ ୨୦୨୦ ମାର୍ଚ୍ଚ ୧୯ରେ ଏକ ହ୍ବାଟ୍‌ସଆପ୍ ମେସେଜ୍ ଏ୨ଜେଡ୍ କ୍ବିପୋକୁ ଦେଇଥିଲା। ସେଥିରେ କ୍ବିପୋକୁ ୮.୧୮ କୋଟି ଟଙ୍କା ଦେବାକୁ ଅଛି ବୋଲି ଏ୨ଜେଡ୍ ସ୍ବୀକାର କରିଥିଲା। ଏଥିସହିତ ୨୦୧୮ ମସିହାର ଏକ ଇ-ମେଲକୁ ମଧ୍ୟ କ୍ବିପୋ ଦେଖାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ମହାନଗର ନିଗମ ପକ୍ଷରୁ ଆସିବାକୁ ଥିବା ସବୁ ଟଙ୍କା ଏକ ଏସ୍‌କ୍ରୋ ଆକାଉଣ୍ଟରେ ଜମା କରାଯିବ ବୋଲି ଏ୨ଜେଡ୍ ରାଜି ହୋଇଥିଲା। ତେବେ ଏ୨ଜେଡ୍ ପକ୍ଷରୁ ଅଦାଲତରେ କୁହାଯାଇଥିଲା ଯେ ସେହି ହ୍ବାଟ୍‌ସଆପ୍ ମେସେଜଗୁଡ଼ିକ ଜାଲ୍ ଏବଂ ମନଗଢ଼ା। କିନ୍ତୁ ହାଇକୋର୍ଟ ଏ୨ଜେଡ୍‌କୁ ନିର୍ଦ୍ଦେଶ ଦେଇଥିଲେ ଯେ ମହାନଗର ନିଗମ ପକ୍ଷରୁ ଭବିଷ୍ୟତରେ ଯେଉଁ ଅର୍ଥ ଗ୍ରହଣ କରାଯିବ ତାହାକୁ ଏସକ୍ରୋ ଆକାଉଣ୍ଟରେ‌ ଜମା କରାଯିବ। ମଧ୍ୟସ୍ଥତା କମିଟି ବା ଅଦାଲତ ତାଙ୍କ ରାୟ ଦେବା ପର୍ଯ୍ୟନ୍ତ ଏହି ଅର୍ଥ ଜମା ରହିବ ବୋଲି ହାଇକୋର୍ଟ କହିଥିଲେ।

ତେବେ ଏହା ବିରୋଧରେ ଏ୨ଜେଡ୍ ସୁପ୍ରିମ କୋର୍ଟକୁ ଯାଇଥିଲା। ବୁଧବାର ଶୁଣାଣିବେଳେ ପ୍ରଧାନ ବିଚାରପତି ରମଣାଙ୍କ ଖଣ୍ଡପୀଠ କହିଥିଲେ ଏହି ପ୍ରସଙ୍ଗ ମଧ୍ୟସ୍ଥତା କମିଟିକୁ ପଠାଯାଇଛି। ଯେଉଁ ପକ୍ଷ ରାଜିନାମାକୁ ବାତିଲ କରିଛି ସେ କାହିଁକି ଏସ୍‌କ୍ରୋ ଆକାଉଣ୍ଟରେ ଟଙ୍କା ଜମା ରଖିବ? ଟଙ୍କା ଏସକ୍ରୋ ଆକାଉଣ୍ଟରେ ଜମା କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆମେ ସନ୍ତୁଷ୍ଟ ନୁହେଁ। ଆମେ ସେହି ହ୍ବାଟ୍‌ସଆପ୍ ମେସେଜ୍‌କୁ ବିଚାରକୁ ନେଉନାହୁଁ। ଯଦି ବିଳମ୍ବ ହୋଇନାହିଁ ତାହେଲେ ମଧ୍ୟସ୍ଥଙ୍କ ନିକଟକୁ ପକ୍ଷମାନେ ଯାଇ ‌ତାଙ୍କ ରାୟକୁ ମାନିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ କ୍ବିପୋ ଆଇନଜୀବୀ ତାଙ୍କ ଯୁକ୍ତିକୁ ଦୃଢ଼ଭାବେ ଉପସ୍ଥାପିତ କରିବା ପରେ ଖଣ୍ଡପୀଠ ନୋଟିସ ଜାରି କରିବା ସହିତ ଏ୨ଜେଡ୍ ଦ୍ବାରା ଦାଖଲ ପିଟିସନ ଉତ୍ତର ଦେବାକୁ କ୍ବିପୋକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର