ବୁଦ୍ଧି ଶିଖିଲା ହ୍ଵାଟ୍ସଆପ, ମିଛ ଖବର ବାବଦରେ ଲୋକଙ୍କୁ ସଚେତନ କରିବ

ନୂଆଦିଲ୍ଲୀ : ଉଭୟ ସୁପ୍ରିମକୋର୍ଟ ଓ ଭାରତ ସରକାରଙ୍କ ଦ୍ୱାରା ତାଗିଦ କରାଯିବା ପରେ ମେସେଜିଂ ଆପ ହ୍ଵାଟ୍ସଆପ କିଛିଟା ବୁଦ୍ଧି ଶିଖିଲା ପରି ଲାଗୁଛି । ମିଳିଥିବା ସୂଚନା ମୁତାବକ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫେସବୁକ ମାଲିକାନାରେ ଥିବା ଏହି କମ୍ପାନି ଲୋକମାନଙ୍କୁ ମିଥ୍ୟା ଖବର ବା ଗୁଜବ ବାବଦରେ ସଚେତନ କରିବ । ଏଥିଲାଗି ହ୍ଵାଟ୍ସଆପ ଦିଲ୍ଲୀର ଏକ ସଂସ୍ଥା ଡିଜିଟାଲ ଏମ୍ପାଓ୍ଵାରମେଣ୍ଚ ଫାଉଣ୍ଡେସନ (ଜିଇଏଫ) ସହ ଏକ ଚୁକ୍ତି କରିଛି । ଏହି ଚୁକ୍ତି ଅନୁସାରେ ଉଭୟ ସଂସ୍ଥା ମିଳିତଭାବେ ଦେଶର ୧୦ଟି ରାଜ୍ୟରେ ୪୦ଟି ତାଲିମ ଶିବିର କରିବେ । ଏହି ସବୁ ରାଜ୍ୟମାନଙ୍କ ମଧ୍ୟରେ ରହିଛି ଆସନ୍ତା ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତଶଗଡ । ଦୁଇଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ହ୍ଵାଟଆପ ଉପରେ ବିରକ୍ତ ହୋଇଥିଲେ । ହ୍ଵାଟ୍ସଆପ ମାଧ୍ୟମରେ ବିଭିନ୍ନ ମିଥ୍ୟା ଖବର ଓ ଗୁଜବ ବ୍ୟାପୀ ଦେଶରେ ହିଂସାକାଣ୍ଡ ସୃଷ୍ଟି ହେଉଥିବାବେଳେ ଏହି କମ୍ପାନି କାହିଁକି ଭାରତରେ ନିଜର ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିନାହିଁ । ଏ ସଂପର୍କରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ କମ୍ପାନି ଓ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନତଳେ କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ରବିଶଙ୍କର ପ୍ରସାଦ ହ୍ଵାଟ୍ସଆପ ସିଇଓ କ୍ରିସ ଡାନିଏଲ୍ସଙ୍କୁ କହିଥିଲେ ଯେ ହ୍ଵାଟ୍ସଆପ ଭାରତରେ ନିଜର ଅଭିଯୋଗ କେନ୍ଦ୍ର ଖୋଲୁ, ଯଦ୍ୱାରା ଲୋକମାନେ ସହଜରେ କମ୍ପାନି ନିକଟରେ ପହଞ୍ଚିପାରିବେ । ସେହିପରି ହ୍ଵାଟ୍ସଆପ ଭାରତୀୟ ନିୟମକୁ ପାଳନ କରୁ ।

ସମ୍ବନ୍ଧିତ ଖବର