ବୀରଭଦ୍ରଙ୍କୁ ବିରୋଧ ସତ୍ତ୍ୱେ ସୁଖୁଙ୍କର ରହିଛି ଏଭଳି ଦବଦବା

ଶିମଲା: କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି । ତେବେ ପ୍ରତିଭା ସିଂଙ୍କ ଭଳି ହେଭିୱେଟ ରେସରେ ଥିବାବେଳେ ସୁଖୁଙ୍କୁ କାହିଁକି ଚୟନ କରାଗଲା ସେ ବାବଦରେ ଜାଣିଛନ୍ତି କି? ବାସ୍ତବରେ ସୁଖବିନ୍ଦର ସିଂ ସୁଖୁ ହେଉଛି ସେହି ନାମ ଯିଏକି ଗତ ୪୦ ବର୍ଷ ଧରି କଂଗ୍ରେସ ସହିତ ଜଡିତ ଅଛନ୍ତି । ହାଇକମାଣ୍ଡ ଏବଂ ସଂଗଠନରେ ତାଙ୍କର ଦବଦବାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ରାଜ୍ୟବାସୀ ମଧ୍ୟ ତାଙ୍କୁ ବହୁତ ସମ୍ମାନ କରନ୍ତି, ସେଥିପାଇଁ ସେ ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି। ସୁଖବିନ୍ଦର ସିଂଙ୍କ ସମର୍ଥନରେ ଅନେକ ବିଧାୟକ ଥିବାରୁ କଂଗ୍ରେସ ବିଧାୟକଙ୍କୁ ହରାଇବାକୁ ଚାଁହୁନାହି । ଏହି କାରଣରୁ ବିଧାୟକଙ୍କ ସମର୍ଥନକୁ କଂଗ୍ରେସ ଗୁରୁତ୍ୱ ଦେଇଥିବାର କୁହାଯାଉଛି |

ଅନ୍ୟପକ୍ଷରେ, ସୁଖୁଙ୍କ ରାଜନୈତିକ ଯାତ୍ରା ବିଷୟରେ କହିବାକୁ ଗଲେ ସେ ଛାତ୍ର କଂଗ୍ରେସ ମାଧ୍ୟମରେ କଂଗ୍ରେସ ସଂଗଠନରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୭ ବର୍ଷ ଧରି ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ଥିଲେ। ସୁଖବିନ୍ଦର ସିଂଙ୍କ ସହ ୨୦ ରୁ ୨୧ ଜଣ ବିଧାୟକଙ୍କ ନିରନ୍ତର ସମର୍ଥନ ଥିବାର କୁହାଯାଇଥାଏ |ବଡ କଥା ସୁଖୁଙ୍କର ହିମାଚଳପ୍ରଦେଶ କଂଗ୍ରେସରେ ଏତେ ଦବଦବା ରହିଛି ଯେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କୁ ବିରୋଧ କରିବା ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା | ରାଜନୈତିକ ସମୀକ୍ଷକଙ୍କ ମତରେ ସୁଖୁ କଂଗ୍ରେସରେ ଥିଲେ ମଧ୍ୟ ତାଙ୍କୁ ସର୍ବଦା ବୀରଭଦ୍ର ସିଂଙ୍କ ବିରୋଧୀ ନେତା ଭାବେ କୁହାଯାଉଥିଲା। ଆଉ ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ବିରୋଧ ସତ୍ତ୍ୱେ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରାଯାଇଥିଲା।

୧୦ ବର୍ଷ ଧରି ଯୁବ କଂଗ୍ରେସରେ ରହିବା ପରେ ଯେତେବେଳେ ସେ ହମିରପୁର ଜିଲ୍ଲାର ନାଦୋନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେତେବେଳେ ସେ ବୀରଭଦ୍ର ସିଂଙ୍କ ଅନେକ ନିଷ୍ପତ୍ତି ବିରୁଦ୍ଧରେ ଯାଇଥିଲେ। ତେବେ ସେ ମଧ୍ୟ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ଏହା ସହିତ ସେ ସାଢେ ୬ ବର୍ଷ ପର୍ଯ୍ୟନ୍ତ ରେକର୍ଡ ସମୟ ପାଇଁ ରାଜ୍ୟ କଂଗ୍ରେସର ସଭାପତି ରହିଥିଲେ। ତାଙ୍କୁ ତିନି ବର୍ଷ ପୂର୍ବେ ଏହି ପଦବୀରୁ ହଟାଇ ଦିଆଯାଇଥିଲା। ତେବେ ନିର୍ବାଚନ ପୂର୍ବରୁ ହାଇକମାଣ୍ଡ ତାଙ୍କୁ ରାଜ୍ୟ ନିର୍ବାଚନ ପ୍ରଚାର କମିଟିର ସଭାପତି କରିଥିଲେ। ସୁଖୁ ହମିରପୁରରେ ପ୍ରଥମ ଥର ପାଇଁ ପାଞ୍ଚଟି ସିଟ୍ ମଧ୍ୟରୁ ଚାରିଟିରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇଥିବାବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ସହିତ ଏହି ଆସନ ସଂପୂର୍ଣ୍ଣ ବିଜେପି ମୁକ୍ତ ହୋଇପାରିଛି | ଯାହାକୁ ଦଳ ଗୁରୁତ୍ୱ ଦେଇଛି | ଦଳରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିବେଚନା କରାଯାଏ।

ସମ୍ବନ୍ଧିତ ଖବର