ଯେତେବେଳେ ଏସିଆରେ ସଂକଟ ଥିଲା ..ୟୁରୋପୀୟ ଦେଶମାନେ ଆମକୁ ଉପଦେଶ ଶୁଣାଉଥିଲେ : ଜୟଶଙ୍କର

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଉପଦେଶ ଦେଉଥିବା ୟୁରୋପୀୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଯେତେବେଳେ ଏସିଆରେ ସଂକଟ ଥିଲା, ଆମକୁ ୟୁରୋପୀୟ ଦେଶମାନେ ଉପଦେଶ ଦେଉଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ବାର୍ଷିକ ଭୂ-ରାଜନୈତିକ ଓ ଭୂ-ଅର୍ଥନୈତିକ ସମ୍ମିଳନୀ ରାଇସିନା ଡାଇଲଗରେ ଯୋଗ ଦେଇ ସେ କହିଛନ୍ତି ଯେ ଗତ ବର୍ଷ ଯେତେବେଳେ ଏସିଆରେ ନିୟମ ଭିତ୍ତିକ ବ୍ୟବସ୍ଥା ଉପରେ ପ୍ରଶ୍ନଵାଚୀ ସୃଷ୍ଟି ହୋଇଥିଲା ସେତେବେଳେ ପାଶ୍ଚାତ୍ୟ ଦେଶମାନେ ଅଧିକ ବ୍ୟବସାୟ ବାଣିଜ୍ୟ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏବେ ୟୁକ୍ରେନ ସଂକଟ ବେଳେ ଭାରତ ଅନ୍ତତଃ ପାଶ୍ଚାତ୍ୟ ଦେଶମାନଙ୍କୁ ସେପରି କୌଣସି ଉପଦେଶ ଦେଉନାହିଁ ।

ଆଫଗାନିସ୍ତାନ ପ୍ରସଙ୍ଗରେ ଜୟଶଙ୍କର ଏପରି କଥା କହିଥିବା ମନେକରାଯାଉଛି । ଗତ ବର୍ଷ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ତରବରିଆ ପ୍ରତ୍ୟାବର୍ତ୍ତନ ଓ ତାଲିବାନର କ୍ଷମତାଦଖଲ ବେଳେ ୟୁରୋପୀୟ ଦେଶମାନେ ନିରବତା ଅବଲମ୍ବନ କରିଥିଲେ । ଆଫଗାନିସ୍ତାନରେ ଗଭୀର ମାନବୀୟ ସଂକଟ ଓ ମୌଳବାଦ ଫେରିବା ପ୍ରସଙ୍ଗରେ ୟୁରୋପୀୟ ଦେଶମାନେ କୌଣସି ପଦକ୍ଷେପ ନେବାତ ଦୂରର କଥା ବିଭିନ୍ନ ପ୍ରକାରର ଉପଦେଶ ଦେଉଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ଆଜିର ଏକ ବଡ଼ ପ୍ରସଙ୍ଗ । କିନ୍ତୁ ଏହାର ପ୍ରଭାବ ଏସିଆ ଓ ଆଫ୍ରିକାର ଦେଶମାନଙ୍କ ଉପରେ ବି ପଡ଼ୁଛି । ସେମାନଙ୍କୁ ମହଙ୍ଗା ଖାଦ୍ୟ ଦ୍ରବ୍ୟ ଓ ତୈଳଦର ଚାପ ସହିବାକୁ ପଡୁଛି ।

ସମ୍ବନ୍ଧିତ ଖବର