ଜୟପୁର: ରାଜସ୍ଥାନରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏହାପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ଏବେ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି | ତେବେ ବର୍ତ୍ତମାନର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲୋଟ୍ ବନାମ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲଢେଇ ତ କାହାକୁ ଅଛପା ନୁହେଁ | ଏଭଳି ପରିସ୍ଥିତିରେ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ଏକ ବଡ଼ ଆହ୍ୱାନ ଯେ ଏହି ଦୁଇ ନେତାଙ୍କୁ କିଭଳି ଏକାଠି କରି ନିର୍ବାଚନ ଲଢେଇ କରାଯିବ | ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ଗୋଡ ଟଣାଟଣି କେବେ ସମାପ୍ତ ହେବ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ଉତ୍ତର ରଖିଛନ୍ତି |

Advertisment

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କୁ ଯେତେବେଳେ ପଚରାଗଲା ଯେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ 'ଗେହଲୋଟ୍ ବନାମ ପାଇଲଟ୍' ଯୁଦ୍ଧରେ ମୁଖ୍ୟ ଚେହେରା କିଏ ହୋଇପାରେ? ଏହି ପ୍ରଶ୍ନର ଉତ୍ତରରେ ଜୟରାମ ରମେଶ କହିଛନ୍ତି ଯେ ସଂଗଠନ ପାଇଁ ଉଭୟ ନେତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଶୋକ ଗେହଲୋଟ୍ ବୟସ୍କ ଏବଂ ଅଭିଜ୍ଞ ହୋଇଥିବାବେଳେ ସଚିନ୍ ପାଇଲଟ ଯୁବପିଢ଼ିମାନଙ୍କ ମଧ୍ୟରେ ଲୋକପ୍ରିୟ | ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ସଫଳ କରିବା ପାଇଁ ଉଭୟ କଠିନ ପରିଶ୍ରମ କରିଛନ୍ତି |

ଜୟରାମ ରମେଶ କହିଛନ୍ତି ଯେ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦକୁ ଯୁଦ୍ଧ କୁହାଯାଇପାରିବ ନାହିଁ। କେବଳ ଉଭୟଙ୍କ ବିଚାରଧାରା ଅଲଗା | ଏଥି ସହ ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଉଭୟ ସଚିନ ପାଇଲଟ ଏବଂ ଅଶୋକ ଗେହଲୋଟ କଂଗ୍ରେସର ବଡ ସମ୍ପତ୍ତି। ଦଳ ଉଭୟଙ୍କୁ ଆବଶ୍ୟକ କରେ | ଗେହଲୋଟ ଏବଂ ପାଇଲଟଙ୍କ ବିନା ଦଳୀୟ କାର୍ଯ୍ୟ ଚାଲିପାରିବ ନାହିଁ। ତେବେ ଆସନ୍ତା ନିର୍ବାଚନରେ ମୁଖ୍ୟ ଚେହେରା କରିବାକୁ କଂଗ୍ରେସ ହାଇକମାଣ୍ଡ କଣ ଯୋଜନା କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି ଜୟରାମ କହିଛନ୍ତି ।