ବାଲି (ଇଣ୍ଡୋନେସିଆ): କୂଟନୈତିକ ମହତ୍ତ୍ୱ ବହନ କରୁଥିବା ଜି-୨୦ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଆଡ଼ୁ ଡାକି ତାଙ୍କ ସହ କରମର୍ଦ୍ଦନ (ହ୍ୟାଣ୍ଡସେକ୍‌) କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହ ଏହି ଘଟଣାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖିପାରି ନାହାନ୍ତି ଏବଂ ନିଜ ଆସନ ଆଡ଼କୁ ଆଗେଇ ଯାଉଛନ୍ତି। ତେବେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପଛେ ପଛେ ତାଙ୍କର ଅନୁଧାବନ କରିଆସି କରମଦ୍ଦର୍ନନ ପାଇଁ ଡାକୁୁଥିବା ଜାଣିବା ପରେ ସେ ବୁଲିପଡ଼ି ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ କରମର୍ଦ୍ଦନ (ହ୍ୟାଣ୍ଡସେକ୍‌) କରିବା ସହ ତାଙ୍କୁ ଆଲିଙ୍ଗନ କରୁଛନ୍ତି।

ପରେ ରାଷ୍ଟ୍ରପତି ବାଇଡେନ୍‌ ତାଙ୍କ ଆସନକୁ ଯିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କିଛି କୁହଛନ୍ତି; ଏବଂ ଯାହାକୁ ଶୁଣି ସେ ହସୁଛନ୍ତି। ଏସବୁ ଘଟଣା ଘଟୁଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚାହିଁ ରହିଛନ୍ତି ଏବଂ ପରେ ଦୁଇ ନେତାଙ୍କ ପଛରେ ଯାଇ ନିଜ ନିଜର ଆସନ ଗ୍ରହଣ କରୁଛନ୍ତି।

ରାଷ୍ଟ୍ରପତି ବାଇଡେନ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ କରମର୍ଦ୍ଦନ ଏବଂ ଆଲିଙ୍ଗନ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଦୃଢୋକ୍ତି ପ୍ରକାଶ କରିଛି ଯେ ୟୁକ୍ରେନ୍‌ ଯୁଦ୍ଧରେ ରୁଷ ବିରୋଧରେ ଆମେରିକାର ନିର୍ଦ୍ଦେଶ ପାଳନ କରିବାକୁ ଭାରତ ବାଧ୍ୟ ନୁହେଁ। ଏହି ବିବାଦର ସମାଧାନ ପାଇଁ ଅସ୍ତ୍ରବିରତି ଏବଂ ଆଲୋଚନା ପାଇଁ ଆମେରିକା ଆହ୍ଵାନ କରୁଥିବା ବେଳେ ଭାରତ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଜାତିସଂଘରେ କୌଣସି ଭୋଟ୍‌ ଦେବାରୁ ନିଜକୁ ଦୂରେଇ ରଖିଛି।

ଏଥିସହ ଯେତେବେଳେ ଆମେରିକା ଏବଂ ପାଶ୍ଚାତ୍ୟର ଅନ୍ୟ ରାଷ୍ଟ୍ରମାନେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ୟୁକ୍ରେନ ଉପରେ ଆକ୍ରମଣକୁ ସମାଲୋଚନା କରୁଛନ୍ତି; ସେତେବେଳେ ଭାରତ ସରକାର କହିଛନ୍ତି ଯେ ଭାରତ ରୁଷରୁ କିଣୁଥିବା ତୈଳ ବା ଅନ୍ୟ ସାମଗ୍ରୀକୁ ନେଇ କୌଣସି ନୈତିକ ବିବାଦ ନାହିଁ।

ଏହା ପୂର୍ବରୁ ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୟୁକ୍ରେନ କୂଟନୀତି ପଥକୁ ଫେରିବା ପାଇଁ ବିଶ୍ୱକୁ ଏକ ଉପାୟ ଖୋଜିବାକୁ ପଡିବ। ବିଗତ ଶତାବ୍ଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏହା ପରେ ସେହି ସମୟର ନେତାମାନେ ଶାନ୍ତିର ମାର୍ଗ ଗ୍ରହଣ କରିବାକୁ ଏକ ଗମ୍ଭୀର ପ୍ରୟାସ କରିଥିଲେ। ବର୍ତ୍ତମାନ  ଆମର ପାଳି ବୋଲି ସେ କହିଛନ୍ତି।

ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋର ବିଶ୍ୱାସ ଆସନ୍ତା ବର୍ଷ ଯେତେବେଳେ ଜି-୨୦ ଶିଖର ସମ୍ମିଳନୀ ବୁଦ୍ଧ ଏବଂ ଗାନ୍ଧୀଙ୍କ ପବିତ୍ର ଭୂମିରେ ଭାରତ ଆୟୋଜନ କରିବ, ସେତେବେଳେ ଆମେ ସମସ୍ତେ ବିଶ୍ୱକୁ ଶାନ୍ତିର ଏକ ଦୃଢ ବାର୍ତ୍ତା ଦେବାକୁ ଉଦ୍ୟମ କରିବୁ।